ହାଇଦ୍ରାବାଦ: ବାଦାମ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । କିଏ ସିଝା ଖାଏ ତ ଆଉ କି ଭଜା ଖାଏ । ତେବେ ଏହି ବାଦାମ କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ବେଶ୍ ଉପଯୋଗୀ । ବାଦାମରେ ପ୍ରୋଟିନ, ଫାଇଭର, ଆଇରନ, କ୍ୟାଲେସିୟମ ରହିଥିବାରୁ ଶରୀର ପାଇଁ ହିତକର ମନେକରାଯାଏ । ଏଥିରେ ପ୍ରଚୁର ମାତ୍ରାରେ ଥିବା ପ୍ରୋଟିନ ଆମ ଶରୀରକୁ ଶକ୍ତି ଯୋଗାଏ । ଡାଇବେଟିସ୍ ରୋଗୀଙ୍କ ସୁଗାର ସ୍ତର ନିୟନ୍ତ୍ରଣରେ ରଖେ । ସେହିପରି ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ମଧ୍ୟ କମ୍ କରେ । ଅଧିକାଂଶ ଲୋକେ ବାଦାମକୁ ସ୍ନାକ୍ସ ଭାବେ ଖାଇବାକୁ ପସନ୍ଦ କରନ୍ତି । ତେବେ ଭଜା ଅପେକ୍ଷା ସିଝା ବାଦାମରୁ ଅନେକ ସ୍ବାସ୍ଥ୍ୟପଯୋଗୀ ଫାଇଦା ମିଳେ । ତେଣୁ ଶରୀରରକୁ ସୁସ୍ଥ ରଖିବା ପାଇଁ ନିଜ ଡେଲି ଡାଏଟରେ ସାମିଲ କରନ୍ତୁ ସିଝା ବାଦାମ ।
ଜାଣନ୍ତୁ ସିଝା ବାଦାମ ଖାଇବାର ଫାଇଦା:
ନ୍ୟୁଟ୍ରିଏନ୍ସ: ସିଝା ବାଦାମରୁ ଶରୀରକୁ ପ୍ରଚୁର ପୋଷକତତ୍ତ୍ବ ମିଳେ । ଏଥିରେ ସୁସ୍ଥ ଶରୀର ପାଇଁ ଆବଶ୍ୟକ ପ୍ରୋଟିନ, ଫାଇବାର, ଆଇରନ, ବିଭିନ୍ନ ଭିଟାମିନ ଓ ମିନେରାଲ ସହ ଅନେକ ଜରୁରୀ ନ୍ୟୁଟ୍ରିଏନ୍ସ ରହିଥାଏ । ଯାହାକି ଆମର ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ।
ହେଲ୍ଦି ଫ୍ୟାଟ:ବାଦାମରେ ମୋନୋଅନସ୍ୟାଚୁରେଟେଡ ଓ ପଲିଅନସ୍ୟାଚୁରେଟେଡ ଫ୍ୟାଟ ରହିଛି । ଡାକ୍ତରଙ୍କ କହିବା କଥା, ଏହା ହାର୍ଟ ସୁସ୍ଥ ରଖିବାରେ ସହାୟକ ହୁଏ । ସୀମିତ ମାତ୍ରାରେ ସିଝା ବାଦାମ ଖାଇବା ଦ୍ବାରା ଖରାପ କୋଲେଷ୍ଟ୍ରୋଲ କମ୍ ହୋଇଥାଏ ଓ ହୃଦରୋଗ ଆଶଙ୍କା ମଧ୍ୟ କମାଇଥାଏ ।
ଆଣ୍ଟିଅକ୍ସିଡେଣ୍ଟ ଗୁଣ:ଚିନାବାଦାମ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୂର । ଏହା ଶରୀରରେ ଫ୍ରି ରେଡିକଲ୍ସ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଆଣ୍ଟିଅକ୍ସିଡେଣ୍ଟ ଗୁଣ ଅକ୍ସିଡେଟିଭ ଚାପ କମ୍ କରେ । ଅକ୍ସିଡେଟିଭ ଚାପ କୋଷିକା ନଷ୍ଟ, କ୍ୟାନ୍ସର ଓ ହୃଦରୋଗ ଭଳି ସମସ୍ୟାର କାରଣ ହୋଇଥାଏ ।