ଭୁବନେଶ୍ବର:ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା । ଋତୁସ୍ରାବ ହେଉଛି ନାରୀ ଜୀବନର ଏକ ବିଶେଷ ଅଂଶ । ଏହା ବିନା ନାରୀ ମା’ ହୋଇପାରେ ନାହିଁ । ସାଧାରଣତଃ 22 ରୁ 30 ଦିନ ଭିତରେ ଋତୁସ୍ରାବ ହୋଇଥାଏ । କିନ୍ତୁ ଗୋଟିଏ ଗୋଟିଏ ମାସରେ ଋତୁସ୍ରାବ ହେଉନଥିବା ଭଳି ସମସ୍ୟା ଦେଖାଦିଏ । ଏହା ପଛର ଅନେକ କାରଣ ରହିଛି । ମାନସିକ, ଶାରୀରିକ ଚାପ, ଚିନ୍ତା ଏବଂ ହରମୋନରେ ଅସନ୍ତୁଳନତା କାରଣରୁ ଋତୁସ୍ରାବରେ ବିଳମ୍ବ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଏହାକୁ ନେଇ କ'ଣ ପରାମର୍ଶ ଦେଇଛନ୍ତି ସ୍ତ୍ରୀ ପ୍ରସୂତି ଡାକ୍ତର ଶିବାନୀ ଦେବୀ ଆସନ୍ତୁ ଜାଣିବା ।
ଅନିୟମିତତା ଋତୁସ୍ରାବର ସମୟ:
ସ୍ତ୍ରୀ ପ୍ରସୂତି ଡାକ୍ତର ଶିବାନୀ ଦେବୀ କହିଛନ୍ତି, "ଋତୁସ୍ରାବ ଅନିୟମିତତା ଭିନ୍ନ ଭିନ୍ନ ବୟସ ରହିଛି । ଗୋଟିଏ 15 ରୁ 30 ବର୍ଷରୁ କମ । ଅନ୍ୟଟି 35 ବର୍ଷରୁ ଊର୍ଦ୍ଧ୍ବ । ଯେମିତିକି 30 ବର୍ଷ ବା ନୂଆ କରି ବିବାହ କରିଥିବା ମହିଳାଙ୍କ ଋତୁସ୍ରାବରେ ଅନିୟମିତତା ଅଧିକ ଦେଖାଯାଉଛି । ଏହାର ମୁଖ୍ୟକାରଣ ପଲିଷ୍ଟିକ ଓଭରି ସିଣ୍ଡ୍ରୋମ (PCOS) । ଏହା କଲେଜ ଯାଉଥିବା ଝିଅମାନେ ବା ଚାକିରି କରୁଥିବା ଝିଅମାନଙ୍କ କ୍ଷେତ୍ରରେ ବହୁ ମାତ୍ରାରେ ଦେଖାଯାଉଛି । ଶାରୀରିକ ବ୍ୟାୟାମ ଉପରେ ଗୁରୁତ୍ବ ଦିଆଯାଉନାହିଁ । ଆଧୁନୀକରଣ ଲାଇଫ ଷ୍ଟାଇଲ, ଖାଦ୍ୟରେ ଜଙ୍କ ଫୁଡ, ଚକୋଲେଟ୍, ଅଧିକ ମିଠା ଖାଉଥିଲେ ଏହି ସମସ୍ୟା ଦେଖାଦିଏ । ଏହାସହ ଷ୍ଟ୍ରେସ ଅଧିକ ରହିଲେ ଏଭଳି ଦେଖାଯାଇଥାଏ । ଯାହା ଫଳରେ ମେଦବହୁଳତା ମଧ୍ୟ ଅଧିକ ରହିଥାଏ । ପିସିଓଏସ ଗୋଟିଏ ଲାଇଫ ଷ୍ଟାଇଲ ରୋଗ ।"
କାହିଁକି ହୋଇନଥାଏ ସଠିକ ସମୟରେ ଋତୁସ୍ରାବ?
ଡାକ୍ତର ଶିବାନୀ ଦେବୀ କହିଛନ୍ତି, "ଆଜିକାଲି ଅନେକ ଅବିବାହିତ ମହିଳାଙ୍କର ସଠିକ ସମୟ ଅନୁସାରେ ଋତୁସ୍ରାବ ହୋଇନଥାଏ । ଯାହା ଫଳରେ ଅନେକ ସମସ୍ୟା ଦେଖାଯାଇଥାଏ । ବିଶେଷ ଭାବରେ ଓଭାରିରେ ଛୋଟ ଛୋଟ ଚର୍ବି ଏକାଠି ହୋଇଥାଏ । ଯାହା ଫଳରେ ସଠିକ ସମୟରେ ଋତୁସ୍ରାବ କରିନଥାଏ । ତେଣୁ ଗର୍ଭାଶୟରେ ସୃଷ୍ଟି ହେଉଥିବା ଅଣ୍ଡା ମଧ୍ୟ ସଠିକ ଭାବରେ ବିକଶିତ ହୋଇ ପାରିନଥାଏ । ଏଣୁ ଗର୍ଭବତୀ କରାଇବାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏପରିକି 30 ଦିନରେ ଥରେ ଋତୁସ୍ରାବ କରିବାକୁ ଦିଏ ନାହିଁ । ଅନେକ ଝିଅ ମାନଙ୍କର 3 ମାସ ଓ 6 ମାସ ଏଭଳି କି ଏକ ବର୍ଷ ଧରି ଋତୁସ୍ରାବ ହୋଇନଥାଏ । ଯାହାକୁ ଅଣଦେଖା କରିଥାନ୍ତି । କିନ୍ତୁ ବର୍ଷ ବର୍ଷ ଧରି ଋତୁସ୍ରାବ ନହେବା କାରଣରୁ ଅନେକ ସମସ୍ୟା ଦେଖାଯାଇଥାଏ । ତେବେ ଏହି ସମୟରେ ଯେତେବେଳେ ଅଲଟ୍ରାସାଉଣ୍ଡ କରାଯାଏ ସେଥିରେ ପିସିଓଏସ ବାହାରିଥାଏ । ଯାହା ଏକ ମାରାତ୍ମକ ରୋଗ ଅଟେ ।"
କେଉଁ ବୟସରେ ଅନିୟମିତତା ଦେଖାଯାଏ ?
"ପିସିଓଏସ ବିଶେଷ ଭାବରେ 18 ବର୍ଷ ଠାରୁ ଆରମ୍ଭ କରି 40 ବର୍ଷ ବୟସର ଝିଅମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଯେଉଁ ମାନଙ୍କର ବର୍ଷ ବର୍ଷ ଧରି ଋତୁସ୍ରାବ ହୋଇନଥାଏ । ସେମାନେ ଅନେକ ସମସ୍ୟାରେ ପଡିଥାନ୍ତି । ଏପରିକି ଭବିଷ୍ୟତରେ ମଧ୍ୟ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି" ବୋଲି କହିଛନ୍ତି ଡାକ୍ତର ଶିବାନୀ ଦେବୀ ।