ଶରୀରକୁ ସୁସ୍ଥ ରଖିବାକୁ ଡାକ୍ତର ବିଭିନ୍ନ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ସେଥିମଧ୍ୟରୁ କିୱି ଅନ୍ୟତମ, ଯାହା ଏକ ସୁପରଫ୍ରୁଟ ଭାବେ ଜଣାଯାଏ । ଏହା କେବଳ ସ୍ବାଦିଷ୍ଟ ନୁହେଁ ଆମର ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । କିୱିରେ ଅନେକ ପୋଷକ ତତ୍ତ୍ବ ଭରି ରହିଛି । ଏହି ଛୋଟିଆ ଫଳ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବରର ପାୱାରହାଉସ । ପ୍ରତିଦିନ କିୱି ଖାଇଲେ ବିଭିନ୍ନ ପ୍ରକାର ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ରଖିଥାଏ । ଶରୀରରେ ଇମ୍ୟୁନିଟି ବଢାଇବାଠାରୁ ନେଇ ଆମର ତ୍ବଚା, ହୃଦୟ ସୁସ୍ଥ ରଖିବା ନିଦ୍ରା ସମସ୍ୟା ଦୂର କରିବାରେ ଲାଭଦାୟକ ହୋଇଥାଏ । ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ନିଜ ଡାଏଟ୍ରେ କିୱି ସାମିଲ କରିବା ଉଚିତ୍ । କାରଣ ଏଥିରେ ଅଧିକ ଫାଇବର କମ୍ କ୍ୟାଲୋରୀ ଥାଏ ।
ଇମ୍ୟୁନିଟି ବୁଷ୍ଟ କରେ: କିୱିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ଆମର ଇମ୍ୟୁନ ସିଷ୍ଟମ ମଜଭୁତ କରିବାରେ ସାହାଯ୍ୟ କରେ । ଅର୍ଥାର୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ବିଭିନ୍ନ ସଂକ୍ରମଣ ସହ ଲଢିବାକୁ ଶରୀରକୁ ଶକ୍ତି ଯୋଗାଏ । କମଳା ତୁଳନାରେ କିୱିରୁ ଅଧିକ ଭିଟାମିନ ସି ମିଳିଥାଏ ।
କୋଷ୍ଠକାଠିନ୍ୟରୁ ମୁକ୍ତି: କିୱିରେ ଡାଏଟାରୀ ଫାଇବର ଅଧିକ । ଏହା ଆମର ହଜମ ପ୍ରକ୍ରିୟା ଉନ୍ନତ କରିବା ସହ କୋଷ୍ଠକାଠିନ୍ୟରୁ ଆରାମ ଦିଏ । ତେଣୁ ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ରହିଛି ତାହେଲେ ନିୟମିତ ଗୋଟିଏରୁ ଦୁଇଟି କିୱି ଖାଆନ୍ତୁ ।
ହୃଦୟ ସୁସ୍ଥ ରଖେ: କିୱିରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ ଓ ଓମେଗା-3 ଫ୍ୟାଟି ଏସିଡ୍ ମିଳେ । ଏସବୁ ଆମର ହୃଦୟ ସୁସ୍ଥ ରଖିବା ପାଇଁ ଲାଭଦାୟକ । ପୋଟାସିୟମ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିବା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଯାହାଦ୍ବାରା ହୃଦରୋଗ ଆଶଙ୍କା କମ୍ ହୋଇଥାଏ ।
ତ୍ବଚା ପାଇଁ ଲାଭଦାୟକ: ଏହି ଫଳରେ ଥିବା ଭିଟାମିନ ସି କେବଳ ଆମର ଇମ୍ୟୁନିଟି ମଜଭୁତ କରେ ନାହିଁ ବରଂ ଶରୀରରେ କୋଲାଜେନ ଉତ୍ପାଦନରେ ମଧ୍ୟ ସାହାଯ୍ୟ କରେ । ଏହା ଆମର ତ୍ବଚାକୁ ସୁସ୍ଥ ରଖିଥାଏ । ତ୍ବଚା ଯୁବା ଦେଖାଯାଏ ଓ ଚମକ ବଜାୟ ରହେ ।