ବୟସ ବଢିବା ସହ ଭୁଲିବା ଅଭ୍ୟାସ ଅତି ସାଧାରଣ କଥା । ବାର୍ଦ୍ଧକ୍ୟବସ୍ଥାରେ ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ (Age related memory loss) ହୋଇଥାଏ । ମାତ୍ର ସବୁବେଳେ ଏହି ବୟସ ବୃଦ୍ଧି ଭୁଲିବାର କାରଣ ହୋଇନପାରେ । ବେଳେବେଳେ ମସ୍ତିଷ୍କ ସହ ଜଡିତ କେତେକ ରୋଗ କାରଣରୁ ଜଣେ ଛୋଟ ଛୋଟ କଥା ଭୁଲିବା, ସ୍ମରଣ ଶକ୍ତି ହରାଇବା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇପାରେ । କିନ୍ତୁ ଏସବୁ ରୋଗର ଲକ୍ଷଣ ପ୍ରାୟତଃ ସମାନ ହୋଇଥିବାରୁ ଅନେକ ଲୋକ ଜାଣିପାରନ୍ତି ନାହିଁ ଯେ, ଏହା 'ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ' ନା ଡିମେନ୍ସିଆ, ଅଲଜାଇମର କିମ୍ବା ପାର୍କିନସନ୍ସ ।
ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ, ଡିମେନ୍ସିଆ ଓ ପାର୍କିନସନ୍ସ ମଧ୍ୟରେ ପାର୍ଥକ୍ୟ:
ଦିଲ୍ଲୀର ମନସ୍ତତ୍ତ୍ବବିତ୍ ଡଃ ରୀନା ଦତ୍ତା କହିଛନ୍ତି ଯେ, ଆମେ ବେଳେବେଳେ କେଉଁଠି କେଉଁ ଜିନିଷ ରଖିଛେ ଭୁଲି ଯାଇଥାଉ । ଯେମିତିକି-ବେଳେବେଳେ ଚାବି ପାଇନଥାଉ କିମ୍ବା ହଠାତ୍ କାହାର ନାମ ମନେ ପକାଇ ପାରିନଥାଉ । କିନ୍ତୁ ଅଧିକାଂଶ ଲୋକଙ୍କଠାରେ ବୟସ ବଢିବା ସହ ସ୍ମୃତିଶକ୍ତି କମିଯିବା ଏକ ରୋଗରେ ପରିଣତ ହେବାକୁ ଲାଗେ । ଏଥିପାଇଁ ସବୁବେଳେ ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ ଦାୟୀ ହୋଇନଥାଏ, ବରଂ ଅନେକ ସମୟରେ ଡିମେନ୍ସିଆ, ଅଲଜାଇମର କିମ୍ବା ପାର୍କିନସନ୍ସ ଭଳି ମସ୍ତିଷ୍କ ବ୍ୟାଧି କାରଣରୁ ହୋଇପାରେ ।
ସେ ଆହୁରି କହିଛନ୍ତି, ବୟସାଧିକ ଜନିତ ସ୍ମୃତିଶକ୍ତି ହ୍ରାସ ଘଟଣାରେ ସାଧାରଣତଃ ଭୁଲି ଯିବା, ସ୍ମରଣ ଶକ୍ତି ଦୁର୍ବଳ ହେବା କିମ୍ବା ନିଷ୍ପତ୍ତି ନେବାର କ୍ଷମତା କମିଯିବା ଭଳି ଲକ୍ଷଣ ଦେଖାଯାଏ । ହେଲେ ଡିମେନ୍ସିଆରେ ବ୍ୟକ୍ତିର ସ୍ମୃତିଶକ୍ତି, ଚିନ୍ତନ କ୍ଷମତା ଓ ନିଷ୍ପତ୍ତି ନେବାର କ୍ଷମତା ଦୁର୍ବଳ ହେବା ସହ ଜିନିଷଗୁଡିକୁ ଭୁଲିବା, ଭାବନାତ୍ମକ ଅସ୍ଥିରତା ଭଳି ଲକ୍ଷଣ ଦେଖିବାକୁ ମିଳେ । ସେହିପରି ପାର୍କିନସନ୍ସରେ ମସ୍ତିଷ୍କ ଶିରା ପ୍ରଭାବିତ ହୁଏ । ଏଥିରେ ହାତଗୋଡ ଥରିବା, ମାଂସପେଶୀରେ ଯନ୍ତ୍ରଣା ଓ ଚଲାବୁଲା କରିବାରେ କଷ୍ଟ ଅନୁଭବ ହୁଏ । ଅଲଜାଇମର ମଧ୍ୟ ଡିମେନ୍ସିଆର ଏକ ପ୍ରକାର ।
କେମିତି ଜାଣିବେ ଏହା ସାଧାରଣ ନା ଗମ୍ଭୀର ରୋଗ ?
ମନସ୍ତତ୍ତ୍ବବିତ୍ କହିଛନ୍ତି ଯେ, କିଛି କଥା ବା ସଙ୍କେତ ଥାଏ ଯାହା ପ୍ରତି ଧ୍ୟାନ ଦେଇ ବୁଝିପାରିବେ ଯେ ପୀଡିତଙ୍କ ଭୁଲିବା ଅଭ୍ୟାସ ସାଧାରଣ ନା କୌଣସି ଗମ୍ଭୀର ରୋଗର କାରଣ । ଯେମିତିକି-
ସାଧାରଣ ଭୁଲିବା ଅଭ୍ୟାସ:ଯଦି କାହାକୁ ବେଳେବେଳେ କୌଣସି ଜିନିଷ ମନେ ପକାଇବାରେ ଅସୁବିଧା ହେଉଛି ଏବଂ ବାକି ସମୟରେ ମୁଣ୍ଡ ଠିକ୍ କାମ କରୁଛି ତାହେଲେ ଏହା ସାମାନ୍ୟ । ଯେମିତିକି-ହଠାତ୍ କାହାର ନାଁ ଭୁଲିଯିବା ଏବଂ କିଛି ସମୟ ପରେ ମନେ ପଡିବା ।
ଡିମେନ୍ସିଆ ଲକ୍ଷଣ: ଦୈନନ୍ଦିନ କାମକୁ ଭୁଲିଯିବା, ବାରମ୍ବାର ଜିନିଷ ହଜାଇବା ଓ ଭାବନାତ୍ମକ ପରିବର୍ତ୍ତନ ଯେମିତିକି- ଚିଡଚିଡାପଣ ଓ ଅବସାଦ ଭଳି ଲକ୍ଷଣ ଡିମେନ୍ସିଆ ହୋଇଥାଏ । ଏଥିରେ ପୀଡିତଙ୍କ ଚିନ୍ତା କରିବା ଓ ବୁଝିବାର କ୍ଷମତା ନଷ୍ଟ ହୋଇଯାଏ ।
ପାର୍କିନସନ୍ସ ଲକ୍ଷଣ:ପାର୍କିନସନ୍ସରେ ଭୁଲିବା ସହ ପୀଡିତଙ୍କ ଶରୀର ଥରିବା, ଚଲାବୁଲାରେ ଏବଂ କଥା କହିବାରେ କଠିନତା ଆଦି ସମସ୍ୟା ଦେଖାଯାଏ ।