ସମଗ୍ର ବିଶ୍ବରେ କୋଭିଡ-19ର ଭୟାବହତା ଏ ଯାଏଁ ମନରୁ ଲିଭିନି, ଏହାରି ମଧ୍ୟରେ ଚୀନରେ ପୁଣି ଚିନ୍ତା ବଢାଇଛି ଆଉ ଏକ ନୂଆ ଭାଇରସ୍ । ଦେଶରେ ପୁଣିଥରେ ଅଦୃଶ୍ୟ ଭାଇରସର ଆତଙ୍କ ଦେଖାଯାଇଛି । ପିଲାଠୁ ବୁଢା ସମସ୍ତଙ୍କୁ ଏହି ନୂଆ ଭାଇରସ ଆକ୍ରାନ୍ତ କରୁଛି । ହୁ ହୁ ହୋଇ ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ଫଳରେ ହସ୍ପିଟାଲଗୁଡିକ ଭର୍ତ୍ତି ହୋଇଗଲାଣି । ଚୀନରେ ଚିହ୍ନଟ ହୋଇଥିବା ଏହି ନୂଆ ଭାଇରସ୍ ଲକ୍ଷଣ କୋଭିଡ-19 ମହାମାରୀ ଭଳି । ଏହି ନୂଆ ଭାଇରସ ନାମ 'ହ୍ୟୁମାନ ମେଟାନ୍ୟୁମୋଭାଇରସ' (human metapneumovirus) ବା HMPV ରଖାଯାଇଛି ।
ରିପୋର୍ଟ ମୁତାତକ, ଚୀନରେ HMPV ଭାଇରସ୍ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ବିଶେଷକରି ଉତ୍ତର ଚୀନରେ ସଂକ୍ରମଣ ମାମଲା ଅଧିକ ରହିଛି । ଏଥିରେ 14 ବର୍ଷରୁ କମ୍ ବୟସ୍କ ପିଲା ସର୍ବାଧିକ ସଂକ୍ରମିତ ହେଉଛନ୍ତି । ଏହି ଭାଇରସ ସଂକ୍ରମଣ ରୋକିବାକୁ ଚୀନ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍କିନିଂ, ଡିଟେକ୍ସନ ଓ ଆଇସୋଲେସନ ପ୍ରୋଟକଲକୁ ଗୁରୁତ୍ବ ଦିଆଯାଉଛି । ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ଏହାରି ମଧ୍ୟରେ ଚୀନରୁ କିଛି ଭାଇରାଲ ଭିଡିଓ ଓ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିଛି ଯେଉଁଥିରେ ହସ୍ପିଟାଲଗୁଡିକରେ ପ୍ରବଳ ଭିଡ ଜମିବାର ଦୃଶ୍ୟ ଦେଖିବାକୁ ମିଳୁଛି । କିଛି ଲୋକଙ୍କ ଦାବି ଯେ, ହସ୍ପିଟାଲ ସହିତ ଶ୍ମଶାନ ଘାଟରେ ମଧ୍ୟ ଭିଡ ଦେଖାଯାଉଛି ।
HMPV କ'ଣ ଓ ଏହା କାହିଁକି ବ୍ୟାପୁଛି ?
କୋରୋନା ଭଳି ଏଚଏମପିଭି ସଂକ୍ରମିତଙ୍କଠାରେ ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖାଯାଉଛି । ସାମାନ୍ୟ ଥଣ୍ଡା-କାଶ ଲକ୍ଷଣ ସହିତ ଏହା ନିମୋନିଆ, ବ୍ରୋଙ୍କାଇଟିସ୍ ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏହି ଭୂତାଣୁ ବିଶେଷଭାବେ ଛୋଟ ପିଲା, ବୟସ୍କ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି ।
ବିଭିନ୍ନ ରିପୋର୍ଟ ମୁତାବକ, ଚୀନରେ ଏଚଏମପିଭି ମାମଲା ଦ୍ରୁତଗତିରେ ବଢୁଛି । ରୟଟର୍ସ ଅନୁସାରେ, ସେଠାରେ ଇନଫ୍ଲୁଏନଞ୍ଜା ଏ, ମାଇକୋପ୍ଲାଜମା ନିମୋନିଆ, ରାଇନୋଭାଇରସ ଓ କୋଭିଭ-19 ଭଳି ଅନ୍ୟ ଭାଇରସର ସଂକ୍ରମଣ ମଧ୍ୟ ଦେଖାଯାଉଛି । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଅଧିକ ଚାପ ପଡୁଛି ।
HMPV ଭାଇରସର ଲକ୍ଷଣ ଓ ଚିକିତ୍ସା