ହାଇଦ୍ରାବାଦ: କ୍ରୋଧ ହେଉଛି ବ୍ରହ୍ମଚଣ୍ଡାଳ । ଜଣେ ବ୍ୟକ୍ତି କ୍ରୋଧିତ ଥିବା ସମୟରେ ନିଜର ହିତାହିତ ଜ୍ଞାନକୁ ଭୁଲିଯାଇ ନିଜ ଅଜାଣତରେ ଅନେକ କାଣ୍ଡ ଘଟାଇ ବସେ । ଫଳରେ ସେ ନିଜ ସହ ଅନ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ । ସମସ୍ତେ କିଛି କଥାକୁ ନେଇ କ୍ରୋଧିତ ହୁଅନ୍ତି, ମାତ୍ର ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଟିକିଏ ଟିକିଏ କଥାରେ ନାକ ଅଗରେ ରାଗ । ଯଦି ଆପଣ ବି ଛୋଟ ଛୋଟ କଥାକୁ ନେଇ ରାଗି ଯାଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ନିହାତି ଜାଣିବା ଦରକାର ଯେ, ଆପଣ କାହିଁକି ଏତେ କ୍ରୋଧିତ ହେଉଛନ୍ତି । ଚାପ, ଚିନ୍ତା, ଅସୁସ୍ଥତା ମଧ୍ୟ କ୍ରୋଧର କାରଣ ହୋଇପାରେ । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, କେବଳ ଏତିକି ନୁହେଁ ଆମେ ଖାଉଥିବା ଖାଦ୍ୟ ମଧ୍ୟ କ୍ରୋଧର କାରଣ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ବାରା ରାଗ ଅଧିକ ହୋଇଥାଏ ।
ଲୁଣ:ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକ ଲୁଣ ଥିବା ଖାଦ୍ୟ ଏବଂ ସ୍ନାକ୍ସ କ୍ରୋଧକୁ ବଢାଇପାରେ । ଅତ୍ୟଧିକ ସୋଡିୟମ୍ ରକ୍ତଚାପ ବୃଦ୍ଧି କରାଥାଏ, ଯାହା ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ । ତେଣୁ ଅତ୍ୟଧିକ ଲୁଣ ଖାଇବା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
କଫିନ: ଅଧିକାଂଶ ଲୋକଙ୍କ ଦିନ କପେ କଫିରୁ ଆରମ୍ଭ ହୋଇଥାଏ । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, କଫିରେ ଅଧିକ ପରିମାଣର କଫିନ ଥାଏ । କଫିନ୍ ଯୁକ୍ତ ଖାଦ୍ୟ ମଧ୍ୟ କ୍ରୋଧର କାରଣ ହୋଇପାରେ । ଅଧିକ କଫି ପିଇବା ଦ୍ବାରା ଶରୀରରେ କଫିନର ପରିମାଣ ବୃଦ୍ଧି ପାଇଥାଏ । ଫଳରେ ଚିନ୍ତା, ଚାପ ଏବଂ କ୍ରୋଧ ଭଳି ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ ।
2016ରେ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ସାଇକାଟ୍ରିରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, କଫିନ ଖାଇବା ଦ୍ବାରା ଚିନ୍ତା, ଉଦାସୀନତା, କ୍ରୋଧ ଏବଂ ମାନସିକ ବ୍ୟାଧି ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଏହି ଅନୁସନ୍ଧାନରେ ଯୁକ୍ତରାଷ୍ଟ୍ରର ଡ୍ୟୁକ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନର ସାଇକ୍ରେଟ୍ରି ବିଭାଗର ଡକ୍ଟର ଆଡ୍ରିଏନା ଶେଲଡନ୍ ଅଂଶଗ୍ରହଣ କରିଥିଲେ।