ସମ୍ବଲପୁର: କଫ୍ ସିରପ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ହେଲେ ଜାମିନ୍ ପାଇ ମୁକ୍ତ ହେବା ପରେ ବି ଘରକୁ ଫେରି ପାରୁନାହାନ୍ତି । ମାନସିକ ସ୍ଥିତି ଠିକ ନଥିବା କାରଣରୁ ଘର ଠିକଣା ମଧ୍ୟ ମନେ ପଡୁନି । ହେଲେ ଗିରଫଦାରୀ ସମୟରେ ପୋଲିସ୍ ମଧ୍ୟ ତ୍ରୁଟିପୂର୍ଣ୍ଣ ଠିକଣା ପଞ୍ଜୀକୃତ କରିଥିଲା । ତେଣୁ ସରକାରୀ ରେକର୍ଡରୁ ଏବେ ତାଙ୍କ ଠିକଣା ଚିହ୍ନଟ କରି ଘରକୁ ପଠାଇବା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଫଳରେ ଜିଲ୍ଲା ପ୍ରଶାସନର ସହାୟତାରେ 'ସମର୍ଥ' ନାମକ ଏକ ଆଶ୍ରମରେ କଟୁଛି ଜୀବନ । ଏ କାହାଣୀ ହେଉଛି, ପୋଲିସ ପ୍ରଶାସନର ବେପରୁଆ କାର୍ଯ୍ୟଶୈଳୀରେ ଛନ୍ଦି ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ଅଭିଯୁକ୍ତ ଜାବୀରଙ୍କର । ଏବେ ପ୍ରଶ୍ନ ଉଠୁଛି, ଏ ତ୍ରୁଟି ପାଇଁ ଦାୟୀ କିଏ ।
- କାହିଁକି ଗିରଫ ହୋଇଥିଲେ ଜାବୀର ?
ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, 2019 ମସିହା ଜୁଲାଇ 16 ତାରିଖରେ ଧନୁପାଲି ପୋଲିସ କେତୋଟି ବେଆଇନ କଫ ସିରପ୍ ଚାଲାଣ ଅଭିଯୋଗରେ ଜାବୀରଙ୍କୁ ଗିରଫ କରିଥିଲା । ଜାବୀର ସତ୍ତାରଙ୍କର ପିତା-ମହମ୍ମଦ ରେହମାନ, ଘର-ଅଘୋରା, ଥାନା-ସୋନୁଆ, ଜିଲ୍ଲା- ରାଞ୍ଚି, ରାଜ୍ୟ – ଝାଡ଼ଖଣ୍ଡ । ଗତ 17.07.2019 ତାରିଖରୁ ସମ୍ବଲପୁର ମଣ୍ଡଳ କାରାଗାରରେ ST Case No-8/2020, u/s- 274/275 IPC (GR case no 2307/2019) ସମ୍ବଲପୁର ଅତିରିକ୍ତ ସତ୍ର ନ୍ୟାୟାଧିଶଙ୍କ ନିର୍ଦ୍ଦେଶକ୍ରମେ ରହିଆସୁଥିଲେ ।
- ଏବେ କେମିତି ଅଛନ୍ତି ଜାବୀର ?
ବର୍ତ୍ତମାନ ଜାବୀରଙ୍କ ମାନସିକ ସ୍ଥିତି ସ୍ୱାଭାବିକ ନାହିଁ । ଫଳରେ ସେ ତାଙ୍କର ଘରର ଠିକଣା ସଠିକ ଭାବେ କହି ପାରୁନାହାନ୍ତି । ଦୀର୍ଘ ଦିନ ହେଲା ତାଙ୍କୁ ଜାମିନଦାର ମିଳୁନଥିଲେ । ଏହି ଘଟଣା ନେଇ ସମ୍ବଲପୁରର ‘Legal Aid Defence Council’ର ମୁଖ୍ୟ ଦୁଷ୍ମନ୍ତ ବେହେରା କହିଛନ୍ତି, "ନିୟମ ଅନୁସାରେ, ଏଭଳି ସ୍ଥିତିରେ ସେହି କ୍ଷେତ୍ରରେ ଜେଲ ଅଧୀକ୍ଷକ, DLSA, ଜିଲ୍ଲାପାଳଙ୍କ ମିଳିତ ପ୍ରଚେଷ୍ଟାରେ ଯେଉଁ ଆଶ୍ରୟସ୍ଥଳଗୁଡିକ ଅଛି ସେଠାରେ ତାଙ୍କୁ ରଖାଯିବ । ପ୍ରଥମେ ଚେଷ୍ଟା କରାଯିବ ତାଙ୍କ ନିଜ ଲୋକ କିଏ ଅଛନ୍ତି, ତାଙ୍କୁ ଦିଆଯିବ । ଯଦି ନାହିଁ ଏହି ସବୁ ଯେଉଁ ଏନଜିଓ ଗୁଡିକ ଅଛି ସେମାନଙ୍କ ଜରିଆରେ ତାଙ୍କୁ ଜେଲରୁ ବାହାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯିବାର ବ୍ୟବସ୍ଥା ଓ ତାର ଚିକିତ୍ସା ପାଇଁ ଚେଷ୍ଟା କରାଯିବ l ଏସବୁ ପ୍ରାବଧାନ ଅଛି l"
- ତ୍ରୁଟିପୂର୍ଣ୍ଣ ଠିକଣା:
ଆଇନ ସେବା ପ୍ରତିପକ୍ଷ ଓକିଲ ଦୁଷ୍ମନ୍ତ ବେହେରା ଆହୁରି କହିଛନ୍ତି, "ଏହି ଘଟଣାରେ ତଦନ୍ତକାରୀ ଅଫିସର ଯିଏ ଥିଲେ ସେ ତ୍ରୁଟିପୂର୍ଣ୍ଣ ଠିକଣା ଦାଖଲ କରିଛନ୍ତି । ଫଳରେ ଜାବୀରଙ୍କ ଘର ଲୋକଙ୍କୁ ଠାବ କରାଯାଇପାରୁନାହିଁ । ଯଦି ତଦନ୍ତକାରୀ ଅଧିକାରୀ ସଠିକ ଠିକଣା ଦେଇଥାନ୍ତେ ଘର ଲୋକଙ୍କୁ ଆଣି ତାଙ୍କୁ ହସ୍ତାନ୍ତର କରାଯାଇପାରିଥାନ୍ତା । ଠିକଣା ନଥିବାରୁ, ଜେଲ ଅଧୀକ୍ଷକ ଜିଲ୍ଲା ପ୍ରଶାସନ, DLSA ସମସ୍ତେ ଚେଷ୍ଟା କରିକି ତାଙ୍କର ଉତ୍ତମ ବ୍ୟବସ୍ଥା କରାଯାଇଛି l ଜାବୀରଙ୍କ ବେଲ ବହୁତ ଦିନ ପୂର୍ବରୁ ହୋଇଯାଇଥିଲା । କେହି ଜଣେ ଜେଲ ଅନ୍ତେବାସୀ ଆସିଥିଲେ ଜଣେ ଜାମିନଦାରକୁ ଆଣି ଏବଂ ସେ ତାଙ୍କୁ ଜାମିନରେ ନେଇଥିଲେ l ସେଥିପାଇଁ ତାଙ୍କୁ ଆଶ୍ରମରେ ରଖାଯାଇଛି । ଜାବୀର ମୁକୁଳିବା ପାଇଁ ଜଣେ ଜେଲ ଅନ୍ତେବାସୀ ତାଙ୍କୁ ସହାୟତା କରିଥିଲେ l "
- ଜେଲରେ ବିଗିଡିଥିଲା ମାନସିକ ସ୍ଥିତି:-
ଜେଲରେ ଥିବାବେଳେ ଜାବୀର ସତ୍ତାର ଭଲଭାବେ କଥାବାର୍ତ୍ତା କରିପାରୁନଥିଲେ । କାହା ସହିତ ବାର୍ତ୍ତାଳାପ ସମୟରେ ସେ କ'ଣ କହୁଥିଲେ କିଛି ବୁଝି ହେଉନଥିଲା । ସେ ମାନସିକ ସ୍ତରରେ ଦୁର୍ବଳ ଥିଲେ । କିନ୍ତୁ କାରାଗାରରେ ତାର ଆଚରଣ ବ୍ୟବହାର ଉତ୍ତମ ଥିଲା । 20 ଅଗଷ୍ଟ 2019 ରେ ତାଙ୍କର ଚାର୍ଜସିଟ ଦାଖଲ ହୋଇଥିଲା । କିଛି ଦିନ ପରେ ତାଙ୍କୁ ଜାମିନର ପ୍ରାବଧାନ ଥିଲେ ମଧ୍ୟ ପରିବାର ଲୋକ କେହି ନଥିବାରୁ ତାଙ୍କୁ ଜାମିନଦାର ମିଳିନଥିଲେ । ଏହାପରେ ସେ ଜେଲରେ ବିଚାରଧୀନ କଏଦୀ ଭାବେ ରହିଲେ । ପରବର୍ତ୍ତୀ ସମୟରେ ତାଙ୍କ ମାନସିକ ସ୍ଥିତି ସ୍ୱାଭାବିକ ନଥିବା ଜଣାପଡିଥିଲା । ତେଣୁ 2022-23ରେ ପିଆର ବଣ୍ଡରେ ମଧ୍ୟ ତାଙ୍କର ବେଲ ହୋଇପାରିଲା ନାହିଁ l ଏହି ସମୟ ମଧ୍ୟରେ ଜେଲରେ ତାଙ୍କର ମାନସିକ ରୋଗରେ ଚିକିତ୍ସା ଜାରି ରହିଥିଲା । ସେ କେତେକ ମେଡ଼ିସିନ ମଧ୍ୟ ଖାଉଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ପ୍ରତ୍ୟେକ ମାସ ତାଙ୍କର ମାନସିକ ସ୍ଥିତିର ମେଡିକାଲ ରିପୋର୍ଟ କୋର୍ଟରେ ଦାଖଲ କରାଯାଉଥିଲା । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ରିପୋର୍ଟରେ ଏହା ଉଲ୍ଲେଖ ରହୁଥିଲା ଯେ ମାନସିକ ସ୍ଥିତି ସ୍ବାଭାବିକ ଅଛି, ମେଡିସିନ ଜାରି ରହିଛି l ଏମିତି 4 ବର୍ଷ ବିତିଗଲା ।
ଏହା ବି ପଢନ୍ତୁ... ସରିଲା ସଜ୍ଜା, ଜେଲରୁ ଫେରିବା ପରେ ମିଳୁନି ଘର ଠିକଣା କଏଦୀଙ୍କ ପାଇଁ ମୁକ୍ତି ଅଭିଯାନ, ୬୦ ଦିନରେ ୬୦ ଜଣଙ୍କୁ ମୁକାଳିବା ପାଇଁ ଲକ୍ଷ୍ୟ |
ସମ୍ବଲପୁର ସର୍କଲ ଜେଲର ଜଣେ ବରିଷ୍ଠ ଅଧିକାରୀ ନିଜ ପରିଚୟ ଗୁପ୍ତ ରଖି ସୂଚନା ଦେଇଛନ୍ତି ଯେ, ଜେଲ କର୍ତ୍ତୃପକ୍ଷ ଜାବୀର ସତ୍ତାରଙ୍କ ଚାର୍ଜସିଟରେ ଉଲ୍ଲେଖ ଥିବା ଠିକଣାରେ 2023 ଡିସେମ୍ବର ମାସରୁ ୱାରଲେସ ଓ ଚିଠି ଜରିଆରେ ଯୋଗାଯୋଗ ସ୍ଥାପନା କରିବାକୁ ଚେଷ୍ଟା କରିଥିଲେ, ତେବେ ଚିଠି ଫେରି ଆସିଥିଲା l ଏହି ସମସ୍ୟା ନେଇ ଜେଲ କର୍ତ୍ତୃପକ୍ଷ ଜେଲ ଡିଜିଙ୍କୁ ପ୍ରତ୍ୟେକ ମାସ ରିପୋର୍ଟ ଦେଇ ଆସୁଥିଲେ l ଏଭଳି ସ୍ଥିତିରେ ଠିକଣାରୁ ଚିଠି ଫେରି ଆସିବା ପରେ ରାଜ୍ୟ ଜେଲ ଡିଜି 2 ଜଣ ଅଧିକାରୀଙ୍କୁ ଝାଡଖଣ୍ଡକୁ ଖୋଳତାଡ଼ କରିବାକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ସମ୍ବଲପୁର ଜେଲର ଆସିସଷ୍ଟଣ୍ଟ ଜେଲର ଦିଗାମ୍ବର ଅଢା ଓ ୱାଡାର ଦିଲ୍ଲୀପ କୁମାର ମଠାଙ୍କୁ ଗତ 08 ଡିସେମ୍ବର 2024ରେ ଜାବୀରଙ୍କ ଠିକଣା ଖୋଜିବାକୁ ଝାଡଖଣ୍ଡର ରାଞ୍ଚିକୁ ପଠାଯାଇଥିଲା । ଏହି 2 ଜେଲ ଅଫିସର 8 ଡିସେମ୍ବର 2024ରେ ସକାଳେ ରାଞ୍ଚି ପହଞ୍ଚିଥିଲେ । ସକାଳ 9ଟାରେ ସେମାନେ ରାଞ୍ଚି ସ୍ଥିତ SSP ଅଫିସକୁ ଯାଇ ଥାନା ଅଧିକାରୀଙ୍କ ଭେଟିଥିଲେ । ଏହି ଘଟଣା ନେଇ ସୂଚନା ଦେବା ପରେ ତାଙ୍କୁ ସହାୟତା ପାଇଁ 2 ଜଣ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ପଠାଗଲା l
- କ'ଣ ଥିଲା ଜାବୀରଙ୍କ ଠିକଣା ?
ଜାବୀରଙ୍କ ପ୍ରଦତ୍ତ ଠିକଣାରେ ଘର - ଅଘୋରା, ଥାନା - ସୋନୁ , ଜିଲ୍ଲା - ରାଞ୍ଚି ଲେଖା ଥିବାବେଳେ ପ୍ରଥମେ ସେମାନେ ରାଞ୍ଚି ଜିଲ୍ଲାର ଅରଘୋରା ନାମକ ଏକ ପୋଲିସ ଷ୍ଟେସନ ଯାଇଥିଲେ । ଦିନ 10ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସେହି ପୋଲିସ ଷ୍ଟେସନ ଅଞ୍ଚଳରେ ସେମାନେ ଖୋଜାଖୋଜି କରିଥିଲେ । ତେବେ ସେମାନେ କୌଣସି ଠିକଣା ପାଇନଥିଲେ l ସେହି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି କୌଣସି ଲାଭ ମିଳିନଥିଲା । ସନ୍ଧ୍ୟା 6 ଟା ପରେ ସେମାନେ ପଶ୍ଚିମ ସିଂହଭୂମର ସୋନୁଆ ପୋଲିସ ଷ୍ଟେସନକୁ ଯାଇଥିଲେ । ସେଠାରେ ସେମାନେ ରାତି 11ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ତେବେ ହେଲେ ଠିକଣା ଜଣାପଡିନଥିଲା । SSP କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି କରାଗଲା ଯେ ଏହି ପ୍ରକାର ଠିକଣା ମିଳିନାହିଁ, ଆଗକୁ ଏହିଭଳି ଠିକଣା ମିଳିଲେ ତୁରନ୍ତ ସୂଚନା ଦିଆଯିବ । ପରେ ଉଭୟ ଜେଲ ଅଧିକାରୀ ସମ୍ବଲପୁର ଫେରି ଆସିଥିଲେ । ପରେ ଜିଲ୍ଲାପାଳ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସହ ଏନେଇ ଆଲୋଚନା କରିଥିଲେ ଜେଲ କର୍ତ୍ତୃପକ୍ଷ ।
- ଜାବୀରଙ୍କ ମାନସିକ ସ୍ଥିତି ଏବେ କେମିତି ?
ଗତ 13 ଡିସେମ୍ବର 2024ରେ ତାଙ୍କୁ ଜେଲରୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । 14 ଡିସେମ୍ବର 2024ରୁ ସେ ଜେଲରୁ ମୁକ୍ତ ହେଲେ । ତାଙ୍କର ମାନସିକ ସ୍ଥିତି ସ୍ୱାଭାବିକ ନଥିବାରୁ ତାଙ୍କୁ ଉଭୟ ପୋଲିସ ଓ କାରାଗାର କର୍ମଚାରୀଙ୍କ ସହଯୋଗରେ 'ସମର୍ଥ' ନାମକ ଏକ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟେ ଜାବୀର ସତ୍ତାର ଜେଲରେ ଥିବାବେଳେ ତାଙ୍କୁ ଚିକିତ୍ସା କରିବାକୁ ଦାୟିତ୍ୱରେ ଥିବା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଚିତ୍ତରଞ୍ଜନ ମହାପାତ୍ର କହିଛନ୍ତି, "ସେ କିଛି କଥା କହି ପାରନ୍ତିନି, ତାଙ୍କର ଭାଷଗତ ସମସ୍ୟା ରହେ l ସେ କେଉଁ ଭାଷା କୁହେ ଜାଣି ହୁଏନାହିଁ । ହେଲେ ଅନ୍ୟ ଆଚରଣ ସ୍ବାଭାବିକ ଥିଲା । ତାଙ୍କୁ ବୁର୍ଲା ମେଡିକାଲରୁ ମେଡିସିନ ପ୍ରେସକ୍ରାଇବ କରାଯାଇଥିଲା, ସେ ଅଳ୍ପ କିଛି ମେଡିସିନ ଖାଉଥିଲେ l ହେଲେ ତାଙ୍କ ମାନସିକ ସ୍ଥିତିରେ ସେତେଟା ସୁଧାର ଆସିନଥିଲା ।"
ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରାଣା, ଇଟିଭି ଭାରତ