ଓଡିଶା

odisha

ଓଡ଼ିଶାରେ ପ୍ରଥମ ୱାଟର ଡେଲିଭରି: ପାଣି ଭିତରେ କେମିତି ହୁଏ ଶିଶୁ ଜନ୍ମ, ଏହା କେତେ ସୁରକ୍ଷିତ ? - First water delivery in Odisha

By ETV Bharat Health Team

Published : 13 hours ago

First water delivery in Odisha: ଓଡ଼ିଶାରେ ପ୍ରଥମ ୱାଟର ଡେଲିଭରି । ତେବେ ପାଣିରେ କେମିତି ହୁଏ ଶିଶୁ ଜନ୍ମ ? ଏହା କେତେ ସୁରକ୍ଷିତ ? ଜାଣନ୍ତୁ ଡାକ୍ତରଙ୍କଠାରୁ

First water delivery in Odisha
First water delivery in Odisha (ETV Bharat Getty image)

ଭୁବନେଶ୍ବର: ସାଧାରଣତଃ ନର୍ମାଲ ଓ ସିଜରିଆନ ଡେଲିଭରିରେ ଛୁଆ ଜନ୍ମ ହେବା କଥା ଆପଣ ଜାଣିଥିବେ । ହେଲେ ପାଣିରେ ଛୁଆ ଜନ୍ମ ବିଷୟରେ କେବେ ଶୁଣିଛନ୍ତି କି ? ଏହାକୁ 'ୱାଟର ବାର୍ଥ' ବା 'ୱାଟର ଡେଲିଭରି' କୁହାଯାଏ । ଏହା ଏକ ନର୍ମାଲ ଡେଲିଭରି । ସାଧାରଣ ଭାବେ ହେଉଥିବା ପ୍ରସବ ଯନ୍ତ୍ରଣା ତୁଳନାରେ ଏହା କମ୍ ଯନ୍ତ୍ରଣାଦାୟକ ହୋଇଥାଏ । ଏବେ ବି କିଛି ମହିଳା ଏହି ପ୍ରକ୍ରିୟାରେ ଛୁଆ ଜନ୍ମ କରୁଛନ୍ତି । ବର୍ତ୍ତମାନ ଓଡ଼ିଶାରେ ପ୍ରଥମ ଥର ପାଣି ଭିତରେ ଜଣେ ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି ଏକ ଡାକ୍ତର ଟିମ୍ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସଫଳତାର ସହ ଏହି ୱାଟର ଡେଲିଭରି କରାଯାଇଛି ।

ପାଣି ମଧ୍ୟରେ ଡେଲିଭରି (Water Birth) କ'ଣ ?


ଏନେଇ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଲୀନା ଦାସ କହିଛନ୍ତି, "ଯେତେବେଳେ ଜଣେ ମାଆ ପାଣି ମଧ୍ୟରେ ଶିଶୁ ଜନ୍ମ ଦିଅନ୍ତି ତାହାକୁ ୱାଟର ବାର୍ଥ ବା ପାଣି ମଧ୍ୟରେ ଜନ୍ମ ଗ୍ରହଣ ବୋଲି କୁହାଯାଏ । ଏକ ଜାକୁଜି ମାଧ୍ୟମରେ ପାଣି ରଖି ସେଥିରେ ପ୍ରେସର ଦିଆଯାଇ ଏ ପ୍ରକାରର ନର୍ମାଲ ଡେଲିଭରି କରାଯାଇଥାଏ । ଏଥିରେ ମାଆ ଓ ଶିଶୁ ଦୁହେଁ ସୁସ୍ଥ ରହିଥାନ୍ତି । ସାଧାରଣ ଡେଲିଭରିରେ ଖୁବ୍ ଅଧିକ ପ୍ରସବ ଯନ୍ତ୍ରଣା ହୋଇଥାଏ । ହେଲେ ୱାଟର ଡେଲିଭରିରେ ଯନ୍ତ୍ରଣା କମ୍ ହୁଏ । କାରଣ ପାଣି ଉଷୁମ ରହିବା ଯୋଗୁଁ ଶରୀର ମାଂଶପେଶୀକୁ ନରମ କରିଥାଏ ଏବଂ ଆରାମ ଦେଇଥାଏ । ଯେଉଁ କାରଣରୁ ଡେଲିଭରି ସମୟରେ ଯନ୍ତ୍ରଣା କମ୍ ହୋଇଥାଏ ।''

ଓଡ଼ିଶାରେ ପ୍ରଥମ ୱାଟର ଡେଲିଭରି: ପାଣି ଭିତରେ କେମିତି ହୁଏ ଶିଶୁ ଜନ୍ମ, ଏହା କେତେ ସୁରକ୍ଷିତ ? (Getty image)
ମାଆ ଓ ଶିଶୁ ଉପରେ ପ୍ରଭାବ:

ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କ କହିବା କଥା, ୱାଟର ଡେଲିଭରିରେ ମାଆ ଓ ଶିଶୁ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ । ଏହା ଏକ ପ୍ରାକୃତିକ ଡେଲିଭରି ଅଟେ । ନର୍ମାଲ ଡେଲିଭରି ଭଳି ଏହି ଡେଲିଭରି ରହିଥାଏ ।

କେମିତି ହୁଏ ପାଣିରେ ଡେଲିଭରି ?

ୱାଟର ଡେଲିଭରିରେ ଗର୍ଭବତୀ ମହିଳାଙ୍କ ପାଇଁ ଉଷୁମ ପାଣି ଥିବା ଏକ ଟପ୍ ପ୍ରସ୍ତୁତ କରାଯାଏ । ଏହା ଭିତରେ ଗର୍ଭବତୀ ମହିଳା ରହିଥାନ୍ତି । ଏହି ସମୟରେ ଡାକ୍ତରମାନେ ଉପସ୍ଥିତ ରୁହନ୍ତି । ଏହାପରେ ମହିଳାଙ୍କର ଡେଲିଭରି କରାଯାଏ । ଏଥିରେ ଶିଶୁଟିର କୌଣସି ଅସୁବିଧା ନ ହୋଇ ନର୍ମାଲ ଭାବେ ଜନ୍ମ ଗ୍ରହଣ କରିଥାଏ ।

ଶିଶୁଟି ଯେତେବେଳେ ମାଆ ଗର୍ଭରେ ଥାଏ ସେହି ସମୟରେ ସମ୍ପୂର୍ଣ୍ଣ ଗର୍ଭରେ ପାଣି ରହିଥାଏ । ସେହିଭଳି ଭାବେ ମାଆର ଗର୍ଭାଶୟର ତାପମାତ୍ରା ସହିତ ଜନ୍ମ ଗ୍ରହଣ କରିବାକୁ ଥିବା ପାଣିର ତାପମାତ୍ରା ସମାନ କରାଯାଏ । ଯାହାଫଳରେ ଶିଶୁଟି ଯେତେବେଳେ ପାଣିରେ ଜନ୍ମ ନେବ, କୌଣସି ଅସୁବିଧା ହେବନି । ପରବର୍ତ୍ତୀ ସମୟରେ ଶିଶୁକୁ ପାଣିରୁ ବାହାର କରି ନିଃଶ୍ୱାସ ପ୍ରଶ୍ବାସ ପାଇଁ ପ୍ରସ୍ତୁତି କରାଯାଏ ବୋଲି କହିଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଲିନା ଦାସ ।

ୱାଟର ଡେଲିଭରିରେ ସମସ୍ୟା ଅଛି କି ?

ଏନେଇ ଡାକ୍ତର କହିଛନ୍ତି "ପାଣି ମଧ୍ୟରେ ଶିଶୁ ଜନ୍ମ ହେଲେ କୌଣସି ଅସୁବିଧା ହେବ ନାହିଁ । ଅନେକ ଲୋକଙ୍କ ଭୟ ଥାଏ, ଶିଶୁଟି ପାଣିରେ ଜନ୍ମ ନେଲେ କେତେବେଳେ ପାଣି ପିଇଦେବ କି ! ଯାହା ଏହା ଏକ ବଡ଼ ଚଲେଞ୍ଜ ଅଟେ । କିନ୍ତୁ ଉଭୟ ମାଆ ଓ ଶିଶୁର କୌଣସି ସମସ୍ୟା ହୁଏନି ।''

କେଉଁ ଗର୍ଭବତୀ ମହିଳା ଏପରି ଜନ୍ମ ଦେଇପାରିବେ ?

ଯେଉଁ ମହିଳାଙ୍କର ଉଚ୍ଚ ରକ୍ତଚାପ କିମ୍ବା କିଛି ସ୍ଵାସ୍ଥ୍ୟଗତ ସମସ୍ୟା ନଥିବ ସେମାନଙ୍କ ୱାଟର ଡେଲିଭରି ହୋଇପାରିବ । ସେହିପରି ଅଧିକ ବୟସ୍କ ମହିଳା, ଡାଇବେଟିସ ଥିବା ମହିଳା ୱାଟର ଡେଲିଭରି କରିପାରିବେ ନାହିଁ ବୋଲି କହିଛନ୍ତି ଡକ୍ଟର ଲିନା ଦାସ । ସେ ଆହୁରି କହିଛନ୍ତି ଯେ, ଏହା କେବଳ ସାଧାରଣ ମାଆ ଏବଂ ତାଙ୍କର ସ୍ବାଭାବିକ ବୟସ ରହିଥିବା ଆବଶ୍ୟକ । ଗର୍ଭବତୀଙ୍କ ବୟସ 30 ରୁ 35 ବୟସ ଥିବା ଆବଶ୍ୟକ । ସେହିପରି ଉକ୍ତ ମହିଳା ଅତ୍ୟଧିକ ଓଜନ ହୋଇନଥିବ । ଶିଶୁଟିର 3ରୁ 3.5 କେଜି ଓଜନ ରହିବା ଆବଶ୍ୟକ । ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆପେ ଆପେ ଆସୁଥିବା ଦରକାର । ଏହି ଡେଲିଭରି ପାଇଁ ପ୍ରାୟ 6 ରୁ 7 ଘଣ୍ଟା ସମୟ ଲାଗିଥାଏ ।
ପାଣି ମଧ୍ୟରେ ରହିଥିବା ବେଳେ ଗର୍ଭବତୀ ମହିଳାଙ୍କୁ ବ୍ୟାୟମ କରାଯିବା ଆବଶ୍ୟକ । ଶିଶୁଟି ପାଣି ମଧ୍ୟରୁ ବାହାରିବା ପରେ ତା'ର ହାର୍ଟ ବିଟ୍ ଚେକ୍ କରାଯିବା ନିହାତି ଜରୁରୀ ।


ୱାଟର ଡେଲିଭରି ନେଇ ପ୍ରସୂତି ମହିଳା ଜଣଙ୍କ କହିଛନ୍ତି, "ପ୍ରତ୍ଯେକ ସମୟରେ ମୋତେ ବ୍ୟାୟମ କରାଯାଉଥିଲା । ଆମେ ଯେମିତି ନର୍ମାଲ ଡେଲିଭରି ଚାହୁଁଥିଲୁ ପାଣି ମଧ୍ୟରେ ସେହିଭଳି ନର୍ମାଲରେ ଡେଲିଭରି ହୋଇଛି । ଏବେ ମୁଁ ଓ ମୋର ଶିଶୁ ସୁସ୍ଥ ଅଛୁ ।''

ଏଠାରେ ପ୍ରକାଶଥାଉ କି, ବିଶେଷ ଭାବେ ବିଦେଶରେ ଏହି ୱାଟର ଡେଲିଭରି କରାଯାଏ । ତେବେ ଭାରତରେ ମଧ୍ୟ କିଛି କିଛି ହସ୍ପିଟାଲରେ ଏ ପ୍ରକାର ଡେଲିଭରି କରାଯାଉଛି । ବର୍ତ୍ତମାନ ଓଡିଶାରେ ପ୍ରଥମ ଥର ପାଇଁ ୱାଟର ଡେଲିଭରି ହୋଇଛି ।

ଏହା ମଧ୍ୟ ପଢନ୍ତୁ:ମହିଳାଙ୍କଠାରେ ଏସବୁ ଲକ୍ଷଣ ହୋଇପାରେ ହୃଦଘାତର ସଙ୍କେତ, ଜମାରୁ କରନ୍ତୁନି ଅବହେଳା - Symptoms of heart attack in women

ଏହା ମଧ୍ୟ ପଢନ୍ତୁ:କୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ - How to control Cholesterol

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details