ଓଡିଶା

odisha

ETV Bharat / health

ପାଗ ବଦଳିଲେ କେମିତି ନେବେ ଯତ୍ନ, ରୋଷେଇଘରେ ରାମବାଣ ଉପାୟ

ବଦଳୁଛି ପାଗ । ଶୀତ ଦିନ ଆରମ୍ଭ ସହିତ ଥଣ୍ଡା, କାଶ, ଜ୍ବର ମଧ୍ୟ ବଢୁଛି । ଏମିତିରେ କେମିତି ଏସବୁ ସଂକ୍ରମକ ରୋଗରୁ ରକ୍ଷା ପାଇବେ ଜାଣନ୍ତୁ ଡାକ୍ତରଙ୍କ ଠାରୁ

ପାଗ ବଦଳିଲେ କେମିତି ନେବେ ଦେହର ଯତ୍ନ ?
ପାଗ ବଦଳିଲେ କେମିତି ନେବେ ଦେହର ଯତ୍ନ ? (ETV Bharat)

By ETV Bharat Health Team

Published : 5 hours ago

ବାଲେଶ୍ବର:ସାଧାରଣତଃ ପାଗ ବଦଳିବା ସହ ଛୋଟ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏବେ ଶୀତ ଆରମ୍ଭ ହେଉଥିବାରୁ ଚାରିଆଡେ ଥଣ୍ଡା, କାଶ, ଛିଙ୍କ, ଜ୍ବର ଆଦି କ୍ରମଶଃ ବୃଦ୍ଧି ପାଇଲାଣି । ଯଦି ଆପଣ ମଧ୍ୟ ଏହି ସମସ୍ୟା ଭୋଗୁଛନ୍ତି, ତାହେଲେ ମେଡିସିନ ଦରକାର ନାହିଁ । ଆପଣଙ୍କ ବଗିଚା ଓ ରୋଷେଇ ଘରେ ଥିବା କିଛି ସାଧାରଣ ସାମଗ୍ରୀ ସେବନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ବାଲେଶ୍ୱର ସହରର ଆୟୁର୍ବେଦ ଡାକ୍ତର ପ୍ରଭାତ ରଞ୍ଜନ ପ୍ରଧାନ ଶୀତ ଦିନେ ସୁସ୍ଥ ରହିବାର ଉପାୟ ବତାଇ କହିଛନ୍ତି, "ଶୀତ ଦିନେ ଥଣ୍ଡା, ଜ୍ୱର କାଶ ରୋଗୀଙ୍କ ସଂଖ୍ୟା ବଢିଥାଏ । ଥଣ୍ଡା କେମିତି ହେବନି ସେଥିପାଇଁ ଉଷୁମ ପାଣି ପିଇବା, ବାହାରକୁ ବାହାରିଲେ ଶୀତବସ୍ତ୍ର ପରିଧାନ କରିବା ଉଚିତ୍ ।''

ଆହୁରି ମଧ୍ୟ ଆୟୁର୍ବେଦ ଚିକିତ୍ସକ କହିଛନ୍ତି ଯେ,

  • ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛ ରହିଥାଏ । ଥଣ୍ଡା ପାଇଁ ତୁଳସୀ ପତ୍ର ବେଶ୍ ଉପଯୋଗୀ । ଏହାର ଔଷଧୀୟ ଗୁଣ ଥଣ୍ଡା, କାଶ ଭଳି ସମସ୍ୟାରୁ ଆରାମ ଦିଏ । ଘରେ ଥିବା ମହୁ ମଧ୍ୟ ଥଣ୍ଡା କାଶ ପାଇଁ ପ୍ରଭାବଶାଳୀ । ସେହିପରି ତେଜପତ୍ର, ଅଦା, ଗୋଲମରିଚ ପକାଇ କାଢା ପ୍ରସ୍ତୁତ କରି ସକାଳ ସନ୍ଧ୍ୟାରେ ପିଇବା ଦ୍ବାରା ଥଣ୍ଡା କମିଯାଇଥାଏ ।
  • ଅଧିକ କାଶ ହେଉଥିଲେ ବାସଙ୍ଗପତ୍ର ଖାଇବା ଲାଭଦାୟକ ହୋଇପାରେ । ଏଥିରେ କାଢା ପ୍ରସ୍ତୁତ କରି ପିଇଲେ କାଶ କମିଯାଏ । ଯଦି ଜ୍ବର ହେଉଛି, ତାହେଲେ ଗଙ୍ଗଶିଉଳି ପତ୍ର ଆଣି ଏଥିରେ ମହୁ ଓ ଅଦା ରସ ମିଶାଇ ଖାଇଲେ ଏହା ରାମବାଣ ଭଳି କାର୍ଯ୍ୟ କରେ ।
  • ଏହିସବୁ ସଂକ୍ରାମକ ରୋଗରୁ ବର୍ତ୍ତିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେଲେ ଗିଲୟ ବା କୋଇଲି ସୂତା ଖୁବ୍ ଉପକାରୀ । ଏହାର ରସ ପିଇପାରିବେ ଏବଂ ପତ୍ରର ରସ ମଧ୍ୟ ସେବନ କରିପାରିବେ । ଗିଲୟ କାଣ୍ଡକୁ ରାତିରେ ପାଣିରେ ଭିଜାଇ ସକାଳେ ମହୁରେ ମିଶାଇ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
  • ଯଦି ଏହି ଗଛ ନାହିଁ ତାହେଲେ ଗୁଡୁଚି ସତ୍ବ ନାମକ ଏକ ଔଷଧ ରହିଛି । ଏହା ଦେଖିବାକୁ ଧଳା ଗୁଣ୍ଡ ଭଳି ହୋଇଥିବାବେଳେ ବୟସ ଓ ଓଜନ ଅନୁସାରେ ଏହାକୁ ମହୁ ସହ ସକାଳୁ ସନ୍ଧ୍ୟାରେ ଖାଇଲେ ଥଣ୍ଡା କଟିଯାଏ ।
  • ପିଲାକୁ ଥଣ୍ଡା ହେଲେ, ସକାଳ ସନ୍ଧ୍ୟାରେ ତୁଳସୀ ପତ୍ର ଚୋବାଇ ଖାଇବା ଲାଭଦାୟକ । ଏଥିସହ ତୁଳସୀ ପତ୍ର ରସରେ ମହୁ ମିଶାଇ ଦେଇପାରିବେ । ବଡ଼ ପିଲାମାନେ ତୁଳସୀ, ମହୁ ସହ ଗୋଲମରିଚ, ପିପିଳି, ଅଦା ମିଶାଇ ଖାଇବା ଦ୍ବାରା ଲାଭ ମିଳିଥାଏ । ଏଥିରେ ଥଣ୍ଡା ଦୂର ହୁଏ । ଯଦି ଥଣ୍ଡା, ଜ୍ୱର କାଶ ଅଧିକ ହେଲା ତାହେଲେ ଆୟୁର୍ବେଦ ଚିକିତ୍ସକଙ୍କ ପାଖକୁ ଯିବା ଉଚିତ୍ ।

ଡାକ୍ତର କହିଛନ୍ତି, ଆମ ଘରେ ଉପଚାର ରହିଛି, ଖାଲି ଆପଣଙ୍କୁ ଜାଣିବାର ଅଛି କେଉଁ ରୋଗ ପାଇଁ କ'ଣ ସେବନ କରିବେ । ଯଦି ଆପଣ ଜାଣିଗଲେ ତାହେଲେ ମେଡିସିନ ଦରକାର ନାହିଁ । ଘରେ ରହି ସୁସ୍ଥ ସୁରକ୍ଷିତ ରହିବା ଆବଶ୍ୟକ । ଯଦି କିଛି ଗୁରୁତର ହେଲା ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ABOUT THE AUTHOR

...view details