ଭୁବନେଶ୍ବର:କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଗର୍ଜିଲା ବିଜେପି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ବିଜେପି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ । ସେପଟେ ସୋନିଆ ଗାନ୍ଧୀ ଦେଶବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଲେ ବିଜେପି ବିଧାୟକ ବାବୁ ସିଂ ।
ରାଜଧାନୀରେ ଗର୍ଜିଲା ବିଜେପି:
ଆଜି (ଶନିବାର) ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।ଏକାମ୍ର ସମେତ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ବିଧାୟକ ବାବୁ ସିଂ ନେତୃତ୍ବରେ କଳ୍ପନା ଛକ ସ୍ଥିତ ରାଜ୍ୟ ସଂଗ୍ରହାଳୟ ସମ୍ମୁକ୍ଷରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କଡ଼ା ପ୍ରତିବାଦ କରାଯାଇଛି । ବିଜେପି କାର୍ଯ୍ୟକର୍ତ୍ତା ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କୁଶ ପୁତ୍ତଳିକା ଦାହ କରିଥିଲେ ।
'ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ':
ଏହି ଅବସରରେ ବାବୁ ସିଂ କହିଛନ୍ତି," ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସୋନିଆ ଗାନ୍ଧୀଙ୍କ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାହା ନିନ୍ଦନୀୟ । ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ତୁରନ୍ତ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ସହ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ଯେପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କ୍ଷମା ମାଗି ନାହାନ୍ତି। ସେ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଆନ୍ଦୋଳନ ଜାରି ରହିବ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯେଉଁଭଳି ଟିପ୍ପଣୀ ଦେଇଛନ୍ତି । ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି । ଏକ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରୀୟ ଦଳର ଶୀର୍ଷ ନେତୃତ୍ୱ ରାଷ୍ଟ୍ରପତିଙ୍କ ବିରୋଧରେ ଯେଉଁଭଳି ଅପମାନସୂଚକ ମନ୍ତବ୍ୟ ଦେଲେ, ସେଥିଲାଗି ସର୍ବସାଧାରଣରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଉଚିତ୍ ।"
'କଂଗ୍ରେସର ଗର୍ବ ଓ ଅଂହକାର ଆଜି ସାରା ଦେଶ ଦେଖୁଛି'