ଭୁବନେଶ୍ବର: ବାରମ୍ବାର ଆଣ୍ଟିବାୟୋଟିକ୍ସ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ଥଣ୍ଡା, କାଶ ଭଳି ସାମାନ୍ୟ ରୋଗରେ ଆଣ୍ଟିବାୟୋଟିକ୍ସ ସେବନ କରିବା ଶରୀର ପାଇଁ ଘାତକ ହୋଇପାରେ । ଏହା ଲିଭର, କିଡନୀ ଭଳି ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରି ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଏମିତି କିଛି ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାରର ରୋଗ ଦ୍ଵାରା ସଂକ୍ରମିତ ହୋଇଥାଉ । ଆମ ମଧ୍ୟରୁ ଅଧିକାଂଶ ଲୋକ ଛୋଟ ଛୋଟ ସମସ୍ୟା ପାଇଁ ତୁରନ୍ତ ଆଣ୍ଟିବାୟୋଟିକ୍ସ ସେବନ କରିଥାନ୍ତି। କିନ୍ତୁ ଏହା ବାରମ୍ବାର ସେବନ କରିବା ସ୍ବାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ । ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଆଣ୍ଟିବାୟୋଟିକ୍ସ ଔଷଧ ଖାଇବା ଶରୀର ପ୍ରତି ବିପଦ ସୃଷ୍ଟି କରୁଛି । ଏନେଇ ଆରଏମଆରସି ପକ୍ଷରୁ ସୂଚନା ଦିଆଯାଇଥିବା ଜଣାଇଛନ୍ତି ଡାକ୍ତର ଶୁଭଶ୍ରୀ ସାମନ୍ତରାୟ ।
ଆଣ୍ଟିବାୟୋଟିକ୍ସ କ'ଣ ଏବଂ ଏହାର ଶରୀର ଉପରେ ପ୍ରଭାବ:
ପ୍ରଥମ ଉଦ୍ଭାବନ ହୋଇଥିବା ଆଣ୍ଟିବାୟୋଟିକ୍ସ ନାମ ଥିଲା 'ପେନିସିଲିନ' । ଏହାଦ୍ବାରା ଏକ ମାରାତ୍ମକ ସଂକ୍ରମଣରୁ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଥିଲା । ପରବର୍ତ୍ତୀ ସମୟରେ ଅଧିକାଂଶ ରୋଗୀ ଭଲ ହୋଇଥିଲେ । ଫଳରେ ସମୟ ସହିତ ଆଣ୍ଟିବାୟୋଟିକ୍ସ ବ୍ୟବହାର ମାତ୍ରାଧିକ ବୃଦ୍ଧି ପାଇଲା ।
ଡାକ୍ତର ଶୁଭଶ୍ରୀ ସାମନ୍ତରାୟ କହିଛନ୍ତି, ''ଆଣ୍ଟିବାୟୋଟିକ୍ସ ସଠିକ୍ ମାତ୍ରାରେ ସଠିକ୍ ରୋଗ ପାଇଁ ଦେବା ଆବଶ୍ୟକ । ବିନା ଡାକ୍ତରୀ ପରାମର୍ଶରେ ଅତ୍ୟଧିକ ଆଣ୍ଟିବାୟୋଟିକ୍ସ ସେବନ କରିବା ଦ୍ଵାରା ଏହାର ରେଜିଷ୍ଟାନ୍ସ ମାତ୍ରା ବା ପ୍ରଭାବହୀନତା ବୃଦ୍ଧି ପାଏ । ଫଳରେ ଅନେକ ସମୟରେ ଆଣ୍ଟିବାୟୋଟିକ୍ସ ଶରୀରରେ କାମ କରିନଥାଏ କିମ୍ବା କମ୍ କାମ କରିଥାଏ । ଏହି କାରଣରୁ ଭବିଷ୍ୟତରେ ରୋଗୀର ଚିକିତ୍ସା କ୍ଷେତ୍ରରେ ସମସ୍ଯା ଦେଖାଯାଏ । ଯଦି କୌଣସି କାରଣରୁ ଆଣ୍ଟିବାୟୋଟିକ୍ସ ଆବଶ୍ୟକ ପଡୁଛି ତେବେ ଡାକ୍ତରଙ୍କ ପରାମର୍ଶରେ ନେବା ଆବଶ୍ୟକ । ଆଣ୍ଟିବାୟୋଟିକ୍ସ ବାରମ୍ବାର ଓ ଅନୁପଯୁକ୍ତ ଡୋଜ୍ ଖାଉଥିଲେ ଏହା ସିଧାସଳଖ ଲିଭର, କିଡନୀ ଆଦି ଅଙ୍ଗ ଉପରେ ପ୍ରଭାବ ପକାଇଥାଏ । ଏହି ଅଙ୍ଗଗୁଡିକରେ ସମସ୍ୟା ଦେଖାଯିବା କିମ୍ବା ଖରାପ ହେବାର ଆଶଙ୍କା ରହିଥାଏ ।''
ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଖାଇବା ଅନୁଚିତ୍ । ଋତୁ ପରିବର୍ତ୍ତନ ଯୋଗୁଁ ଜ୍ବର, ଥଣ୍ଡା, ଗଳା ଦରଜ ଭଳି ସମସ୍ୟା ହେଲେ ସଙ୍ଗେ ସଙ୍ଗେ ଆଣ୍ଟିବାୟୋଟିକ୍ସ ଖାଇବା ଦରକାର ନାହିଁ । ପ୍ରଥମେ ୩ ଦିନ ଡାକ୍ତରଙ୍କ ପରାମର୍ଶରେ ମେଡ଼ିସିନ ଖାଆନ୍ତୁ । ଏହାସହ ଲୁଣ ପାଣି କୁଳୁକୁଜା କରିବା, ବାମ୍ଫ ନେବା ଆବଶ୍ୟକ । ଏସବୁ ପରେ ଯଦି ୩ ଦିନ ପରେ ସ୍ବାସ୍ଥ୍ୟବସ୍ଥା ନ ସୁଧୁରିଲା ତେବେ ଡାକ୍ତରଙ୍କ ପରାମର୍ଶରେ କିଛି ଟେଷ୍ଟ କରିବା ସହ ଆଣ୍ଟିବାୟୋଟିକ ସେବନ କରିପାରିବେ ।
କ'ଣ କରିବେ:
ପ୍ରଥମେ ରୋଗକୁ ଚିହ୍ନନ୍ତୁ ପରେ ଡାକ୍ତର ପରାମର୍ଶରେ ଆଣ୍ଟିବାୟୋଟିକ୍ସ ସେବନ କରନ୍ତୁ ।
ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା । ଛିଙ୍କିବା ବେଳେ ମୁହଁରେ ହାତ ରଖିବା । ଏହାଦ୍ବାରା ସଂକ୍ରମଣ ଆଶଙ୍କା ଏଡାଇ ପାରିବେ ।