Curry leaves health benefits:ପ୍ରାୟ ସବୁ ଭାରତୀୟ ରୋଷେଇ ଘରେ ଭୃସଙ୍ଗ ପତ୍ରର ବ୍ୟବହାର ହୁଏ । ଖାସ୍ କରି ଦକ୍ଷିଣ ଭାରତରେ ଏହାର ବହୁଳ ବ୍ୟବହାର କରାଯାଏ । ଏହି ସବୁଜ ପତ୍ର କେବଳ ଖାଦ୍ୟର ସ୍ବାଦ ବଢାଏନି ବରଂ ଅନେକ ରୋଗ ମଧ୍ୟ ଦୂର କରିଥାଏ । ସାମାନ୍ୟ ଦିଶୁଥିବା ଭୃସଙ୍ଗ ପତ୍ର ବହୁ ଔଷଧୀୟ ଗୁଣରେ ଭରପୂର । ଏଥିରେ ବିଭିନ୍ନ ଭିଟାମିନ, ଆଇରନ, ପ୍ରୋଟିନ, ଫାଇବର, କ୍ୟାଲେସିୟମ ସହିତ ଆଲକାଲଏଡ୍, ଗ୍ଲାଇକୋସାଇଡ୍ସ ଓ ଫେନୋଲିକ ଭଳି ଯୌଗିକ ରହିଛି, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ହ୍ରାସଠାରୁ ଡାଇବେଟିସ ଓ ବ୍ଲଡପ୍ରେସର ନିୟନ୍ତ୍ରଣ, ଇମ୍ୟୁନିଟି ବୃଦ୍ଧି ପ୍ରଭୃତି ଅନେକ ସ୍ବାସ୍ଥ୍ୟଗତ ଫାଇଦା ଦେଇଥାଏ ।
ବିଶେଷକରି ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇଲେ ଅଧିକ ଲାଭ ମିଳେ ବୋଲି କୁହାଯାଏ । ଯେଉଁମାନଙ୍କ ପାଚନ ସମସ୍ୟା ରହିଛି, ସେମାନେ ପ୍ରତିଦିନ ଭୃସଙ୍ଗ ପତ୍ର ଖାଇବା ଉଚିତ୍ ।
ହଜମ ପ୍ରକ୍ରିୟା ବଢାଏ: ଭୃସଙ୍ଗ ପତ୍ର ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହୋଇଥାଏ । ଏଥିରେ ଥିବା ଡାଇଜେଷ୍ଟିଭ ଏନଜାଇମ ଖାଦ୍ୟ ହଜମରେ ସାହାଯ୍ୟ କରେ । ଯାହାଫଳରେ ବଦହଜମୀ, ପେଟରେ ଗ୍ୟାସ୍, କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୁଏନି । ଭଲ ଭାବେ ପେଟ ସଫା ହୁଏ ।
ହୃଦୟ ସୁସ୍ଥ ରଖେ: ଭୃସଙ୍ଗ ପତ୍ରରେ ପ୍ରଚୁର ଆଣ୍ଟିଆକ୍ସିଡାଣ୍ଟ ଓ ଫାଇବର ରହିଛି, ଏହା କୋଲେଷ୍ଟ୍ରଲ ସ୍ତର କମାଏ, ପ୍ଲେକ୍ ହେବାରୁ ରୋକିଥାଏ ଏବଂ ବିଭିନ୍ନ ହୃଦଜନିତ ରୋଗ ତଥା ହୃଦଘାତ ଆଶଙ୍କା ହ୍ରାସ କରିଥାଏ । ଏହାର ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରକ୍ତ ଜମାଟ (blood clots) ଆଶଙ୍କା ହ୍ରାସ କରିବା ସହ ରକ୍ତ ସଞ୍ଚାଳନ ଉନ୍ନତ କରିଥାଏ ।
ବ୍ଲଡସୁଗାର ନିୟନ୍ତ୍ରଣ: ଡାଇବେଟିସ୍ ରୋଗୀଙ୍କ ପାଇଁ ଭୃସଙ୍ଗ ପତ୍ର ଖୁବ୍ ଲାଭଦାୟକ ହୋଇଥାଏ । କେତେକ ଅଧ୍ୟୟନରୁ ଜଣାପଡେ, ଭୃସଙ୍ଗ ପତ୍ର ଖାଇଲେ ବ୍ଲଡସୁଗାର ନିୟନ୍ତ୍ରିତ ହୋଇଥାଏ । କାରଣ ଏଥିରେ ଆଣ୍ଟି-ହାଇପରଗ୍ଲାଇସେମିକ ଗୁଣ ମିଳେ । ଏହା ବ୍ଲଡ ସୁଗାର ସ୍ତର କଣ୍ଟ୍ରୋଲ କରେ ।
ଓଜନ ହ୍ରାସ: ଭୃସଙ୍ଗ ପତ୍ରରେ ଆଲକାଲଏଡ୍ ରହିଥାଏ, ଯାହା ମୋଟାପଣ ଓ ଲିବିଡକୁ ହ୍ରାସ କରେ । ଏହା ମେଟାବୋଲିଜିମ ବଢାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ସେହିପରି ଏଥିରେ ପ୍ରଚୁର ଫାଇବର ରହିଥିବାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ।
ଦୃଷ୍ଟିଶକ୍ତି ଉନ୍ନତ କରେ: ଭୃସଙ୍ଗ ପତ୍ରରେ ଥିବା ଭିଟାମିନ-ଏ ଦୃଷ୍ଟିଶକ୍ତି ଉନ୍ନତ କରେ । ଶୁଷ୍କ ଆଖି, ଅନ୍ଧାର ଦୋଷ ଓ ମକ୍ୟୁଲର ଡିଜନରେସନ ଭଳି ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟାଗୁଡିକୁ ରୋକିବାରେ ସହାୟକ ହୁଏ ।
ମାନସିକ ସ୍ବାସ୍ଥ୍ୟ: ଭୃସଙ୍ଗ ପତ୍ର ଆମର ମାନସିକ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏହା ମାନସିକ ଚାପ ଓ ଚିନ୍ତା ହ୍ରାସ କରି ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଏ ।
କ୍ୟାନ୍ସର ବିରୋଧୀ ଗୁଣ:ଭୃସଙ୍ଗ ପତ୍ରରେ ଏମିତି କିଛି ଯୌଗିକ ରହିଛି ଯାହା କ୍ୟାନ୍ସର ବିରୋଧୀ ବୋଲି ଜଣାପଡେ । ଏହା କ୍ୟାନ୍ସର କୋଷିକାଗୁଡିକର ବିକାଶକୁ ରୋକିବାରେ ସାହାଯ୍ୟ କରେ । ବିଶେଷକରି ଲ୍ୟୁକେମିଆ ଓ ପ୍ରୋଷ୍ଟେଟ କ୍ୟାନ୍ସର କ୍ଷେତ୍ରରେ ଅଧିକ ଉପଯୋଗୀ ।