ହାଇଦ୍ରାବାଦ:ଜେଲ ଗଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି, ଡିସେମ୍ୱର 13ରେ ଅଭିନେତାଙ୍କୁ ହାଇଦ୍ରାବାଦର ଚିକ୍କଡପଲ୍ଲି ପୋଲିସ ଗିରଫ କରିଥିବା ବେଳେ ନାମ୍ପଲି କୋର୍ଟରେ ହାଜର କରିଥିଲା । ଯାହାର ଶୁଣାଣି କରିଛନ୍ତି କୋର୍ଟ । ଘଟଣାରେ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ 14 ଦିନିଆ ରିମାଣ୍ଡରେ ପଠାଇଛନ୍ତି । ସୂଚନା ଅନୁସାରେ, ଡିସେମ୍ବର 4 ରେ ଅଲ୍ଲୁ ଅର୍ଜୁନ 'ପୁଷ୍ପା 2' ପ୍ରିମିୟର ଶୋ'ରେ ହୋଇଥିବା ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଚିକ୍କଡପଲ୍ଲି ପୋଲିସ ଆଜି ସୁପରଷ୍ଟାରଙ୍କୁ ତାଙ୍କ ଘରୁ ଗିରଫ କରିଥିଲା ପୋଲିସ । ଡାକ୍ତରୀ ପରୀକ୍ଷା ପରେ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା ।
14 ଦିନିଆ ରିମାଣ୍ଡରେ ଗଲେ ଅଲ୍ଲୁ ଅର୍ଜୁନ
ଆଜି ଗିରଫ ପରେ ଚିକ୍କଡପଲ୍ଲି ପୋଲିସ ନାମ୍ପଲି କୋର୍ଟରେ ହାଜର କରିଥିଲା । ନାମ୍ପଲି 9ମ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ଅଲ୍ଲୁ ଅର୍ଜୁନଙ୍କୁ ଏହି ମାସର 27 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଚଞ୍ଚଲଗୁଡା ଜେଲକୁ ସ୍ଥାନାନ୍ତ କରିଛି । ଅଲୁ ଅର୍ଜୁନଙ୍କୁ ଚଞ୍ଚଲଗୁଡା ଅଣାଯିବା ପରେ ପୋଲିସ ଜେଲରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ସାଉଥ ପୂର୍ବ ଜୋନର ଏସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିଲେ ।
କହିରଖୁଛୁ କି, ଏହା ପୂର୍ବରୁ ଘଟଣା ନେଇ ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଜାରି ରହିଛି ।
ମୃତକଙ୍କ ପରିବାରକୁ ସହାୟତା ପାଇଁ ଦେଇଥିଲେ ପ୍ରତିଶୃତି
ଘଟଣା ପରେ ସୋସିଆଲ ମିଡିଆରେ ଭିଡିଓ କରି ଦୁଃଖ ପ୍ରକାଶ କରିବା ସହ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଅଲ୍ଲୁ ଅର୍ଜୁନ । ସେ ତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହ ଚିକିତ୍ସାଧୀନ ଶିଶୁର ସମସ୍ତ ଚିକିତ୍ସା ଖର୍ଚ୍ଚର ମଧ୍ୟ ଯତ୍ନ ନେବି ଓ ଯାହା ସମ୍ଭାବ୍ୟ ତାହା ସମର୍ଥନ ଯୋଗାଇବି ବୋଲି କହିଥିଲେ ।