ହାଇଦ୍ରାବାଦ:ଏକାଡେମୀ ଅଫ୍ ପିକ୍ଚର୍ ଅଫ୍ ଆର୍ଟ ଆଣ୍ଡ ସାଇନ୍ସ ଯଥା ଓସ୍କାର ପୁରସ୍କାର ୨୦୨୪ ପାଇଁ ନାମାଙ୍କନ ଘୋଷଣା କରାଯାଇଛି । ମଙ୍ଗଳବାର ଏହାର ଘୋଷଣା କରାଯାଇଛି । ଏଥର ଓସ୍କାର ଦୌଡ଼ରେ ଏକ ଭାରତୀୟ ଫିଲ୍ମ ସାମିଲ ହୋଇଛି । ନିର୍ଦ୍ଦେଶକ ନିଶା ପାହୁଜାଙ୍କ ନିର୍ଦ୍ଦେଶିତ ଫିଲ୍ମ 'To Kill A Tiger ' ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ବର୍ଗରେ ମନୋନୀତ ହୋଇ ସଫଳତା ହାସଲ କରିଛି । ତେବେ 'ଟୁ କିଲ୍ ଏ ଟାଇଗର'ର ନିର୍ଦ୍ଦେଶକ ନିଶା ପାହୁଜା କିଏ ଏବଂ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର କାହାଣୀ କ'ଣ? ଜାଣନ୍ତୁ
ଦିଲ୍ଲୀରେ ଜନ୍ମିତ ନିଶା ପାହୁଜାଙ୍କ ନିର୍ଦ୍ଦେଶିତ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ 'ଟୁ କିଲ୍ ଏ ଟାଇଗର' ଏକ ସତ ଘଟଣା ଉପରେ ଆଧାରିତ । ଏହି ଫିଲ୍ମ ଝାଡଖଣ୍ଡରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ଏବଂ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ପରିବାରର ଏକ ସତ ଘଟଣା ଉପରେ ପ୍ରସ୍ତୁତ କରାଯାଇଛି । ଓସ୍କାରରେ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ବର୍ଗରେ 'ଟୁ କିଲ୍ ଟାଇଗର' ମନୋନୀତ ହୋଇଛି । ଏହି ଫିଲ୍ମ ୧୦ ସେପ୍ଟେମ୍ବର ୨୦୨୨ରେ ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । ଏହା ପରେ ଜୁନ ୨୦୨୩ରେ, ଉତ୍ତର ଆମେରିକୀୟରେ ଆୟୋଜିତ ଲାଇଟହାଉସ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ।
ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମ ଶ୍ରେଷ୍ଠ କାନାଡୀୟ ଫିଚର ଫିଲ୍ମ ପାଇଁ ଆମ୍ପ୍ଲିଫାଇ ଭଏସ ଆୱାର୍ଡ ଜିତିଥିଲା । ବର୍ତ୍ତମାନ ଏହି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଛି । ଓସ୍କାରରେ ନାମାଙ୍କନ ପାଇବା ପୂର୍ବରୁ ଏହି ଡକ୍ୟୁମେଣ୍ଟାରୀ ବିଶ୍ବର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ୧୯ଟି ପୁରସ୍କାର ଜିତିସାରିଛି । ଏଥିମଧ୍ୟରେ TIFF, ପ୍ଲାମ ସ୍ପ୍ରିଙ୍ଗ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଡକ ଅଭିଭ ଏବଂ କାନାଡୀୟ ଚଳଚ୍ଚିତ୍ର ମହୋତ୍ସବ ଅନ୍ତର୍ଭୁକ୍ତ ।
'ଟୁ କିଲ୍ ଏ ଟାଇଗର'ର କାହାଣୀ ବିଷୟରେ କହିବାକୁ ଗଲେ, ଝାଡଖଣ୍ଡର ଏକ ଗାଁରେ ଘଟିଥିବା ୧୩ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଉପରେ ଆଧାରିତ । ଯେଉଁଠି ଜଣେ ପିତା ନିଜ ଝିଅକୁ ନ୍ୟାୟ ଦେବା ପାଇଁ ସମାଜ ସହ କିପରି ସଂଘର୍ଷ କରିଛି ତାହା ଏଥିରେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ରଟି କର୍ଣ୍ଣେଲିଆ ପ୍ରିନ୍ସିପ ଏବଂ ଡେଭିଡ ଓପେନହାଇମଙ୍କ ଦ୍ବାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ନିଶା ପାହୁଜାଙ୍କ ନିର୍ଦ୍ଦେଶନା ଦେଇଛନ୍ତି ।