ରାୟପୁର:ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଜଣେ ସନ୍ଦିଗ୍ଧ ଅଟକ । ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଛି । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଧରିଲା RPF । ଅଟକ ସନ୍ଦିଗ୍ଧର ନାମ ଆକାଶ କୈଳାସ କନ୍ନୋଜିଆ । ଏନେଇ ମୁମ୍ବାଇ ପୋଲିସକୁ ସୂଚନା ଦିଆଯାଇଛି । ମୁମ୍ବାଇ-ହାୱଡା ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଟ୍ରେନର ଜେନେରାଲ ବଗିରେ ଯାତ୍ରା କରୁଥିଲା ସନ୍ଦିଗ୍ଧ । ଆଜି ଅପରାହ୍ନ ୨ଟା ସମୟରେ ଟ୍ରେନ ଦୁର୍ଗରେ ପହଞ୍ଚିବା ପରେ ରେଲଓ୍ବେ ପୋଲିସ ତାକୁ ଅଟକ ରଖିଥିଲା ।
ମୁମ୍ବାଇ ପୋଲିସ ଆରପିଏଫକୁ ଦେଇଥିଲା ସୂଚନା:
ଆରପିଏଫ ସୂତ୍ରରୁ ଜଣାପଡିଛି ଯେ, ମୁମ୍ବାଇ ପୋଲିସ ସନ୍ଦିଗ୍ଧ ବ୍ୟକ୍ତି ବିଷୟରେ ସୂଚନା ପାଇବା ପରେ ତାର ଫଟୋ, ଟ୍ରେନ ନମ୍ବର ଏବଂ ତାର ଲୋକେସନ ସମେତ ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରିଥିଲା । ଅଟକ ଥିବା ବ୍ୟକ୍ତି ଜଣକ ଟ୍ରେନରେ ଆସୁଥିବା ସୂଚନା ପାଇବା ପରେ ଆରପିଏଫ ଅଧିକାରୀମାନେ ପ୍ଲାଟଫର୍ମ ନମ୍ବର 2 କୁ ସିଲ୍ କରିଦେଇଥିଲେ । ଅଟକ ବ୍ୟକ୍ତି ବର୍ତ୍ତମାନ ଆରପିଏଫ ହେପାଜତରେ ଅଛି ଏବଂ ତାକୁ ପଚରାଉଚରା କରାଯାଉଛି । ତେବେ ଅଟକ ବ୍ୟକ୍ତି ଜଣଙ୍କ ପ୍ରକୃତରେ ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଛି କି ନାହିଁ ତାହା ଅସ୍ପଷ୍ଟ ରହିଛି ।
ପୂର୍ବରୁ ମଧ୍ୟ ଜଣଙ୍କୁ ଅଟକ ରଖାଯାଇଥିଲା:
ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ ପରେ ପୋଲିସ ତାଙ୍କ ଘରର ଏକ ସିସିଟିଭି ଫୁଟେଜ ପାଇଥିଲା । ଯେଉଁଥିରେ ସନ୍ଦିଗ୍ଧର ଫଟୋ ଦେଖିବାକୁ ମିଳିଥିଲା । ସିସିଟିଭିରେ ଅଭିଯୁକ୍ତଙ୍କ ଫଟୋ ଦେଖିବା ପରେ ଖୋଜା ଆରମ୍ଭ ହୋଇଥିଲା । ଏହାପରେ ପୋଲିସ ଶୁକ୍ରବାର ସକାଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ତାଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଆଣିଥିଲା । କିନ୍ତୁ ସେହି ବ୍ୟକ୍ତି ଜଣକ ସୈଫଙ୍କ ମାମଲାରେ ସମ୍ପୃକ୍ତ ନଥିବା ପୋଲିସ ସ୍ପଷ୍ଟ କରିଥିଲା । ଆଜି ଅଟକ ହୋଇଥିବା ବ୍ୟକ୍ତି ଜଣଙ୍କ ପ୍ରକୃତ ଅଭିଯୁକ୍ତ ହୋଇଥାଇପାରେ ବୋଲି ସନ୍ଦେହ ବଢିବାରେ ଲାଗିଛି ।