ଭୁବନେଶ୍ୱର:କମାଲ କଲେ ଓଡ଼ିଆ ଝିଅ ତଥା କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା । ଦୂରଦର୍ଶନରେ ପ୍ରସାରିତ ଭାରତର ପ୍ରଥମ ଲୋକ ସଙ୍ଗୀତ ରିଆଲିଟି ଶୋ' 'ଭାରତ କା ଅମୃତ କଳସ'ରେ ନିଜ ଜଲୱା ଦେଖାଇ ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବର୍ଣ୍ଣାଳୀ ହୋତା । ସେ ଏହି ପ୍ରତିଯୋଗୀତାରେ 28 ଟି ରାଜ୍ୟ ଓ 7ଟି କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଏହି ସଫଳତା ହାସଲ କରି ବର୍ତ୍ତମାନ ବର୍ଣ୍ଣାଳି ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି । ବର୍ତ୍ତମାନ ବର୍ଣ୍ଣାଳୀ ଓଡ଼ିଶା ଫେରିଥିବା ବେଳେ ଓଡ଼ିଆ ଦର୍ଶକ ଏବଂ ଭଗବାନଙ୍କ ଆଶୀର୍ବାଦ ପାଇଁ ଏସବୁ ହୋଇପାରିଛି ବୋଲି ସେ କହିଛନ୍ତି ।
ଓଡ଼ିଆ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା (ETV Bharat Odisha) ଦ୍ୱିତୀୟ ରନର୍ସ ଅପ ହେଲେ ବର୍ଣ୍ଣାଳୀ ହୋତା
ଦୀର୍ଘ ୬ ମାସ ଧରି ଚାଲିଥିବା ଏହି ପ୍ରଥମ ଲୋକସଙ୍ଗୀତ କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବର୍ଣ୍ଣାଳୀ ଫାଇନାଲରେ ପହଞ୍ଚିଥିଲେ । ତେବେ ଫାଇନାଲ ରାଉଣ୍ଡରେ ପ୍ରଥମ 'ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ’ ଗୀତ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ । ଏହା ପରେ ସେ ସ୍ୱର୍ଗତ ଭିକାରୀ ବଳଙ୍କ ଗୀତ ‘କୋଠ ଭୋଗଖିଆ ମୋ ଚକାଆଖିଆ..ଉଠହେ ପହଡ଼ ଭାଙ୍ଗି..’ ପରିବେଷଣ କରିଥିଲେ । ସେ ଅଳ୍ପକେ ବିଜେତା ଆଖ୍ୟାରୁ ବଞ୍ଚିତ ହୋଇଥିଲେ ହେଁ ଦ୍ୱିତୀୟ ରନର୍ସ ଅପ ଟ୍ରଫି ନିଜ ନାଁରେ କରିଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ଅନୀତା ଡାଙ୍ଗୀ ଏଥିରେ ବିଜେତା ହୋଇଥିବା ବେଳେ ମହାରାଷ୍ଟ୍ରର ସିଦ୍ଦେଶ ଯାଦବ ପ୍ରଥମ ରନର୍ସଅପ୍ ହୋଇଛନ୍ତି ।
'ଭାରତ କା ଅମୃତ କଳସ'ରେ ଦ୍ୱିତୀୟ ରନର୍ସ ଅପ ହେଲେ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା (ETV Bharat Odisha) ଓଡ଼ିଶାବାସୀଙ୍କୁ ଦେଲେ ବିଜୟର ଶ୍ରେୟ
ସେ ଓଡ଼ିଶା ଫେରିଥିବା ବେଳେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ଏହି ସମୟରେ ସେ ନିଜ ସଫଳତାର ଯାତ୍ରା ଏବଂ ଅନୁଭୂତି ବଖାଣିଛନ୍ତି । ବର୍ଣ୍ଣାଳୀ ଓଡ଼ିଆ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଭଗବାନଙ୍କ ଆଶୀର୍ବାଦ ପାଇଁ ଏସବୁ ହୋଇପାରିଛି । ଯେତିକି ଭାବି ନଥିଲି ସେସବୁ ପାଇଛି ବୋଲି କହିଛନ୍ତି ବର୍ଣ୍ଣାଳୀ । ବର୍ଣ୍ଣାଳୀ ହୋତା କହିଛନ୍ତି, ''ମୁଁ ଓଡ଼ିଶା ଅସ୍ମିତାର ସେତୁ ବନ୍ଧରେ ଏକ ଗୁଣ୍ଡୁଚୁମୁଷା । ତେଣୁ ମୁଁ ଗୁଣ୍ଡୁଚିମୁଷା ଭଳି ଓଡ଼ିଶାର ଲୋକକଳାକୁ ମୋ ସାଧ୍ୟ ଲୋକମାନଙ୍କ ପାଖରେ ପହଁଞ୍ଚାଇଛି । ଏହାକୁ ନେଇ ମୁ ବହୁତ ଖୁସି । ମୋ ହାର ଓ ଜିତ ସବୁ ମହାପ୍ରଭୁଙ୍କ କୃପା ହୋଇଥିବା ବେଳେ ତାହାକୁ ପାଥେୟ କରି ମୁଁ ଆଗକୁ ବଢ଼ିବି । ମୋ ଜୀବନର ଶେଷବିନ୍ଦୁ ଯାଏଁ ଏଭଳି ଆମ ଲୋକକଳାର ପ୍ରଚାର ପାଇଁ କାମ କରୁଥିବି ।''
ଏହା ମଧ୍ୟ ପଢନ୍ତୁ:ତେଲୁଗୁ ଇଣ୍ଡିଆନ ଆଇଡଲରେ କମାଲ କଲେ ଓଡ଼ିଆ ଝିଅ, ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଅନୁରାଧା
ସୂଚନା ଥାଉ କି, ବର୍ଣ୍ଣାଳୀ ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ପ୍ରତିଯୋଗୀ ଭାଗ ନେଇଥିଲେ । ଫାଇନାଲ ରାଉଣ୍ଡରେ ତାଙ୍କ ସହିତ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟର ଲୋକ ସଙ୍ଗୀତ କଳାକାରମାନେ ପ୍ରତିଯୋଗିତା କରିଥିବା ବେଳେ ସେ ରନର୍ସ ଅପ ଟାଇଟଲ ହାତେଇଛନ୍ତି । ସେ ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ଚର୍ଚ୍ଚିତ ଭଜନ, ଜଣାଣ ଓ ଓଡ଼ିଶାର ଅନେକଗୁଡ଼ିଏ ଲୋକପ୍ରିୟ ପାରମ୍ପରିକ ସଙ୍ଗୀତ ସହ ବିଭିନ୍ନ ସ୍ଥାନୀୟ ଭାଷାର ପ୍ରସିଦ୍ଧ ସଙ୍ଗୀତ ଚମତ୍କାର ସ୍ୱରରେ ପରିବେଷଣ କରି ଚର୍ଚ୍ଚାରେ ରହିବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ବିଚାରକଙ୍କ ହୃଦୟ ଜିତିପାରିଥିଲେ । ବିଶେଷ କରି ଉଠୁ କଙ୍କାଳ ଫ୍ୟୁଜନ ଗୀତର ଚତୁରତାକୁ ତାଙ୍କୁ ନୂଆ ଏକ ପରିଚୟ ଦେଇଥିଲା । ପ୍ରତିଟି ଓଡ଼ିଆ ତାଙ୍କୁ ନେଇ ଗର୍ବ କରିବା ସହ ସେ ବର୍ତ୍ତମାନ କେବଳ ଓଡିଶା ନୁହେଁ ନିଜର ପ୍ରତିଭା ପାଇଁ ସବୁ ଭାରତୀୟଙ୍କ ହୃଦୟରେ ରହିଛନ୍ତି । ଏନେଇ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
'ଭାରତ କା ଅମୃତ କଳସ'ରେ ଦ୍ୱିତୀୟ ରନର୍ସ ଅପ ହେଲେ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା (ETV Bharat Odisha) ଇଟିଭି ଭାରତ, ଭୁବନେଶ୍ୱର