ମୁମ୍ବାଇ: ଶେଷ ହୋଇଯାଇଛି କଣ୍ଟ୍ରୋଭର୍ସୀ ରିଆଲିଟି ସୋ ବିଗ୍ବସ୍ ସିଜିନ 17 । ଗ୍ରାଣ୍ଡ ଫାଇନାଲରେ ଟ୍ରଫି ହାତେଇଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ ମୁନାୱାର ଫାରୁକି । ଟ୍ରଫି ସାଙ୍ଗକୁ ତାଙ୍କୁ 50 ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଏକ କାର ମଧ୍ୟ ପ୍ରଦାନ କରାଯାଇଛି । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦିଲ, ଦିମାକ ଓ ଦମକା ଗେମ ବିଗ୍ବସ୍ ସିଜିନ 17ର ଟ୍ରଫିକୁ ନିଜ ନାମରେ କରିଛନ୍ତି ମୁନାଓ୍ବାର । ସୋ ଆରମ୍ଭରୁ ତାଙ୍କୁ ଦର୍ଶକ ଖୁବ ପସନ୍ଦ କରୁଥିଲେ ଓ ସେ ହିଁ ବିଜେତା ହେବେ ବୋଲି ଚର୍ଚ୍ଚା ହେଉଥିଲା । ସେହିପରି ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ଅଭିଷେକ କୁମାର ଓ ଦ୍ବିତୀୟ ରନର୍ସ ଅପ ହୋଇଛନ୍ତି ଅଭିନେତ୍ରୀ ମନ୍ନାରା ଚୋପ୍ରା । ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଚତୁର୍ଥ ସ୍ଥାନରେ ଓ ହାଇଦ୍ରାବାଦର ଅରୁଣ ପଞ୍ଚମ ସ୍ଥାନରେ ରହିଛନ୍ତି । ଲଗାତାର 3 ମାସ ଧରି ଏହି ସୋ ଚାଲିବା ପରେ ଗତକାଲି (ରବିବାର) ଶେଷ ହୋଇଛି ।
ରବିବାର ବିଗ୍ବସ୍ 17 ସିଜିନର ଗ୍ରାଣ୍ଡ ଫାଇନାଲ ରହିଥିଲା । ରାତି 9ଟା ସମୟରେ ଆରମ୍ଭ ହୋଇ ରାତି 1ଟା ପର୍ଯ୍ୟନ୍ତ ସୋ ଚାଲିଥିଲା । ଟପ 5ରେ ରହିଥିଲେ ମୁନାୱାର ଫାରୁକି, ଅଭିଷେକ, ମନ୍ନାର, ଅଙ୍କିତା ଓ ଅରୁଣ । ସେହିପରି ଫାଇନାଲରେ ସମସ୍ତ ପୁରୁଣା ପ୍ରତିଯୋଗୀଙ୍କ ସହ ଫାଇନାଲିଷ୍ଟଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । କମେଡି କୁଇନ ଭାରତୀ ସିଂ ଓ କମେଡିଆନ କ୍ରିଷ୍ଣା ଅଭିଷେକ ନିଜ କମେଡିରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରିଥିଲେ । ଏଥି ସହ ସମସ୍ତ ପ୍ରତିଯୋଗୀ ମଧ୍ୟ ଡ୍ୟାସ ପରଫରମାନ୍ସ କରିଥିଲେ । ସମୟ ଯେତିକି ସରି ସରି ଆସୁଥିଲା କିଏ ବିଜେତା ହେବେ ସେନେଇ ସମସ୍ତଙ୍କ ହାର୍ଟବିଟ ବଢିବଢି ଚାଲିଥିଲା । ସେହି ଶେଷ ମୁହୂର୍ତ୍ତକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥିଲେ । ଜଣଙ୍କ ପରେ ଜଣେ ବିଗ୍ବସ୍ ହାଉସରୁ ବାହାରକୁ ଆସିଥିଲେ । ଶେଷରେ ମୁନାଓ୍ବର ଓ ଅଭିଷେକ ଟପ 2ରେ ରହିଥିଲେ । ଏହାପରେ ସୋର ହୋଷ୍ଟ ସଲମାନ ବିଜେତାଙ୍କୁ ନାମ ଘୋଷଣା କରି ମୁନାୱାରଙ୍କ ହାତରେ ଟ୍ରଫି ଦେଇଥିଲେ । ପୂର୍ବରୁ ସେ ଲକଅପ ସିଜିନ 1ର ବିଜୟ ମୁକୁଟ ମଧ୍ୟ ପିନ୍ଧିଥିଲେ ।