ହାଇଦ୍ରାବାଦ:ଅଭିନେତ୍ରୀ ମଲାଇକା ଆରୋରା ଏବଂ ଗାୟକ ହିମେଶ ରେଶମିଆଙ୍କ ବାପାଙ୍କ ଦେହାନ୍ତ ଖବର ଏପର୍ଯ୍ୟନ୍ତ ମନରୁ ଲିଭିନଥିବା ବେଳେ ସାଉଥ ସିନେ ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି । ବର୍ତ୍ତମାନ ଦୁନିଆକୁ ଅଲବିଦା କହିଛନ୍ତି ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ କାବିୟୁର ପୋନ୍ନମ୍ମା । କାବିୟୁର ପୋନମ୍ମା ଦୀର୍ଘ ସମୟ ଧରି କର୍କଟ ରୋଗରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ଦେହାନ୍ତରେ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ସେଲିବ୍ରିଟି ସୋସିଆଲ ମିଡିଆ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ଆରପାରିରେ କାବିୟୁର ପୋନମ୍ମା
ରିପୋର୍ଟ ଅନୁସାରେ, ଗତ ମେ' ମାସରେ କାବିୟୁର ପୋନମ୍ମା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଇବାକୁ ପାଇଥିଲେ । ପରୀକ୍ଷଣରୁ ଜଣାପଡିଥିଲା ଯେ ଅଭିନେତ୍ରୀ 4ର୍ଥ ଷ୍ଟେଜରେ କର୍କଟ ରୋଗରେ ପୀଡିତ ଅଛନ୍ତି । ସେବେଠାରୁ ତାଙ୍କ ଚିକିତ୍ସା ଜାରି ରହିଥିଲା । ତାଙ୍କ ଅବସ୍ଥା ବିଗିଡିଯିବା ପରେ ସେପ୍ଟେମ୍ବର 3 ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଆଜି ଅନ୍ତିମ ସଂସ୍କାର
ଆଜି ମାଲାୟାଲମ୍ ଅଭିନେତ୍ରୀ କାବିୟୁର ପୋନମ୍ମାଙ୍କ ଅନ୍ତିମ ସଂସ୍କାର କରାଯିବ । ଅନ୍ତିମ ସଂସ୍କାର ଅପରାହ୍ନ 4 ଟା ସମୟରେ ଆଲୁଭା କରିମାଲୁରର ବାସଭବନରେ ହେବ । ସକାଳ 9 ଟାରୁ 12 ଟା ପର୍ଯ୍ୟନ୍ତ କଲାମାସେରି ଟାଉନ ହଲରେ ତାଙ୍କର ଶେଷ ଦର୍ଶନ କରିବେ ଲୋକେ । ମାମୁତି, ମୋହନଲାଲ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ଏବଂ ନେତା ତାଙ୍କୁ ଟାଉନ ହଲରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।