ହାଇଦ୍ରାବାଦ:ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ରବୀନା ଟଣ୍ଡନ୍, ରାଶା ଥଡାନି, ଅଭିନେତା ଅଭିଷେକ ବାନାର୍ଜୀ ଏବଂ ଅକ୍ଷୟ କୁମାର ପ୍ରୟାଗରାଜ (ଉତ୍ତର ପ୍ରଦେଶ)ରେ ଆୟୋଜିତ ମହାକୁମ୍ଭ 2025ରେ ପହଞ୍ଚି ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି । ଏଥିସହ କ୍ୟାଟ୍ରିନା କୈଫ୍, ରବୀନା ଟଣ୍ଡନ ମହାକୁମ୍ଭର ସନ୍ଧ୍ୟା ଆରତୀ କରିଛନ୍ତି । ଏହି ସମୟରେ କ୍ୟାଟ୍ରିନା, ରବୀନା, ରାଶା ଏବଂ ଅଭିଷେକ ଭଜନ-କୀର୍ତ୍ତନରେ ମଗ୍ନ ଥିବାର ଦେଖିବାକୁ ମିଳିଛି ।
ମହାକୁମ୍ଭରେ ରବୀନା-କ୍ୟାଟ୍ରିନା
ରବୀନା ତାଙ୍କ ଝିଅ ରାଶାଙ୍କ ସହ ଏଥିରେ ଯୋଗ ଦେଇଥିବା ବେଳେ କ୍ୟାଟ୍ରିନା ତାଙ୍କ ଶାଶୁ ବୀଣା କୌଶଳଙ୍କ ସହ ସାମିଲ ହୋଇଥିଲେ । ଆରତୀ ପୂର୍ବରୁ, କ୍ୟାଟ୍ରିନା ଏବଂ ରବୀନା ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଭଜନ-କୀର୍ତ୍ତନରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ସେହି ସମୟରେ, ଅଭିଷେକ ବାନାର୍ଜୀ ମଧ୍ୟ ଆଧ୍ୟାତ୍ମିକ ସଭାରେ ଯୋଗ ଦେଇଥିଲେ । ସାଧୁସନ୍ଥମାନଙ୍କ ସହ କାଟ୍ରିନା କୈଫଙ୍କ ବିତାଇଥିବା ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ମହାକୁମ୍ଭରେ ସେଲିବ୍ରିଟିଙ୍କ ସମେତ ବହୁ ସଂଖ୍ୟକ ଭକ୍ତଙ୍କ ଆଗମନ ବିଷୟରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ କହିଛନ୍ତି, 'ମହାକୁମ୍ଭ ସ୍ନାନ, ଧ୍ୟାନ ଏବଂ ଦାନ ପାଇଁ ଏକ ଅବସର।' ସେ (କ୍ୟାଟ୍ରିନା କୈଫ) ବୁଡ଼ ପକାଇଲେ, ଧ୍ୟାନ କଲେ ଏବଂ 'ଅନ୍ନଦାନ' କଲେ । ସେ କହିଥିଲେ ଯେ ସେ ସମସ୍ତଙ୍କଠାରେ ଈଶ୍ୱରଙ୍କୁ ଦେଖନ୍ତି... ଏପରି ବିଶ୍ୱାସ ପ୍ରଣାଳୀ ଏହି ଦେଶକୁ ଜୀବିତ ରଖିଥାଏ । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମତକୁ ସମର୍ଥନ କରେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁଭଳି ଭାବରେ ସବୁକିଛି ଆୟୋଜନ କରିଛନ୍ତି, ତାହା ଅନୁସାରେ ଏହା 'ବ୍ୟବସ୍ଥା, ଅର୍ଥନୀତି ଏବଂ ଅସ୍ତିତ୍ୱ'ର ମହାକୁମ୍ଭ । ଏହି କୁମ୍ଭ ସମସ୍ତଙ୍କ ପାଇଁ, ଯେଉଁମାନେ ଏପର୍ଯ୍ୟନ୍ତ ଆସି ନାହାଁନ୍ତି ସେମାନେ ଏଠାକୁ ଆସି ପବିତ୍ର ସ୍ନାନ କରିବା ଉଚିତ ।''