ହାଇଦ୍ରାବାଦ:ଇଣ୍ଟନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (IFFI) 2024 ସମାରୋହ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ଗୋଆର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ନଭେମ୍ବର 28, 2024 ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ 9 ଦିନି ଧରି ଚାଲିଥିଲା । ଯେଉଁଥିରେ 75 ଟି ଦେଶରୁ 200 ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଜେତାଙ୍କ ତାଲିକା ପ୍ରକାଶ ପାଇଛି । ଜାଣନ୍ତୁ କିଏ ଏବଂ କେଉଁ ଆୱାର୍ଡ ହାତେଇଛି?
'ପର୍ସନାଲିଟି ଅଫ୍ ଦ ଇୟର' ଆୱାର୍ଡ ହାତେଇଲେ ବିକ୍ରାନ୍ତ ମାସି
ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ବିକ୍ରାନ୍ତ ମାସିଙ୍କୁ ବଡ ସମ୍ମାନରେ ସମ୍ମାନିତ କରାଯାଇଛି । 'ପର୍ସନାଲିଟି ଅଫ୍ ଦ ଇୟର' ଆୱାର୍ଡ ହାତେଇଛନ୍ତି ବିକ୍ରାନ୍ତ ମାସି । ସେହିପରି ଅଷ୍ଟ୍ରେଲିଆ ନିର୍ଦ୍ଦେଶକ ପିଲିପ ନୋଏସଙ୍କୁ 'ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ' ପ୍ରଦାନ କରାଯାଇଛି । ସଲେ ବ୍ଲୁଭେଟଙ୍କ ନିର୍ଦ୍ଦେଶିତ ଲିଥୁଆନିଆ ଚଳଚ୍ଚିତ୍ର 'ଟକ୍ସିକ' 55 ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ରେ ଜଲୱା ଦେଖାଇଛି । ଏହି ଫିଲ୍ମଟି ଶ୍ରେଷ୍ଠ ଫିଲ୍ମ ଭାବେ ଗୋଲ୍ଡେନ୍ ପିକୋକ୍ ପୁରସ୍କାର ଲାଭ କରିଛି । ଏଥିସହ ଶ୍ରେଷ୍ଠ ଅଭିନେତ୍ରୀ ଭାବେ 'ଟକ୍ସିକ୍'ରେ ଚମତ୍କାର ଅଭିନୟ ପାଇଁ ବେଷ୍ଟା ମାତୁଲାଇଟ୍ ଏବଂ ଲେଭା ରୁପେଇକାଇଟ୍ ମିଳିତ ଭାବରେ ଜିତିଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ମଡେଲିଂ ସ୍କୁଲକୁ ଯାଉଥିବା ଦୁଇ 13 ବର୍ଷର ଝିଅଙ୍କ କାହାଣୀ ଉପରେ ଆଧାରିତ । ସେପଟେ ନବଜୋତ ବାଣ୍ଡିୱାଡେକର 55ତମ ଏହି ଚଳଚ୍ଚିତ୍ର ମହୋତ୍ସବ (IFFI) 2024 ରେ ତାଙ୍କର ମରାଠୀ ଚଳଚ୍ଚିତ୍ର 'ଘରତ ଗଣପତି' ପାଇଁ ଏକ ଭାରତୀୟ ଫିଚର ଚଳଚ୍ଚିତ୍ର ପୁରସ୍କାରର ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି।