ହାଇଦ୍ରାବାଦ:ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ଜଣେ ଅଭିଯୁକ୍ତ ଅନୁଜ ଥାପନଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ ଅଭିଯୁକ୍ତଙ୍କ ମାଆ ଘଟଣାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ଯେଉଁଥିରେ ସଲମାନ ଖାନଙ୍କ ନାମ ରହିଥିଲା । ସେପଟେ ଏନେଇ ଏହି ଆବେଦନରୁ ତାଙ୍କ ନାମ ହଟାଇବାକୁ ଅଭିନେତା ଦାବି କରିଥିଲେ । ବର୍ତ୍ତମାନ ଏହି ମାମଲାରେ ବମ୍ବେ ହାଇକୋର୍ଟ ଜୁନ ୧୦ ସୋମବାର ଦିନ ଅଭିଯୁକ୍ତଙ୍କ ଆବେଦନରୁ ସଲମାନ ଖାନଙ୍କ ନାମ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ୍ ରେବତୀ ମୋହିତେ-ଡେରେ ଏବଂ ଶ୍ୟାମ ଚାନ୍ଦଙ୍କ ଏକ ଡିଭିଜନ୍ ବେଞ୍ଚ ଆବେଦନକାରୀ ଅନୁଜ ଥାପାନଙ୍କ ମାଆ ରୀତା ଦେବୀଙ୍କୁ ସଲମାନ ଖାନଙ୍କ ନାମକୁ ଏହି ଆବେଦନରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, 'ଏହି ଆବେଦନରେ ସଲମାନଙ୍କ ବିରୋଧରେ କିଛି ନାହିଁ । ଏଣୁ ତାଙ୍କ ନାମ ତୁରନ୍ତ ହଟାଯାଉ ।' ତେବେ ଅନୁଜଙ୍କ ମୃତ୍ୟୁ ମାମଲା ନେଇ ନିଶ୍ଚୟ ତଦନ୍ତ କରାଯିବ ବୋଲି ମଧ୍ୟ କୋର୍ଟ କହିଛନ୍ତି । ସୂଚନା ଥାଉ କି, ଏହି ଆବେଦନରେ ସଲମାନ ଖାନଙ୍କୁ ଦୋଷୀ ଭାବେ ଦର୍ଶାଯାଇଛି । ଏଥିସହ ଏହି ଆବେଦନରେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରାଯାଇଛି ।
ଏମିତି ହୋଇଥିଲା ଅନୁଜଙ୍କ ମୃତ୍ୟୁ
ବାନ୍ଦ୍ରା ଠାରେ ସଲମାନଙ୍କ ବାସଭବନ ବାହାରେ ଗତ ଏପ୍ରିଲ ୧୪ ତାରିଖ ସକାଳ ସମୟରେ ଗୁଳିମାଡ଼ ହୋଇଥିଲା । ଅଭିଯୁକ୍ତ ମାନେ ୪-୫ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏହି ଘଟଣାରେ ଅନୁପଙ୍କ ସମେତ ମୋଟ 5 ଜଣ ଅଭିଯୁକ୍ତକୁ ପୋଲିସ ବାନ୍ଧିଥିଲା । ୨ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଗିରଫ କରାଯାଇଥିଲା । ପରେ ପଞ୍ଜାବରୁ ଆଉ ୨ ଅଭିଯୁକ୍ତ ସୁଭାଷ ଚନ୍ଦର ଓ ଅନୁଜ ଥାପନଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଯାହା ପରେ ଏମାନଙ୍କୁ ପୋଲିସ ହେପାଜତକୁ ପଠାଯାଇଥିଲା । ଏହି ସମୟରେ ଏପ୍ରିଲ ୨ ତାରିଖରେ ପୋଲିସ ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅନୁଜ । ପରେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।