ହାଇଦ୍ରାବାଦ:ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତା ଦର୍ଶନ ଥୁଗୁଦିପା ବେଙ୍ଗାଲୁରୁର ପରପ୍ପନା ଅଗ୍ରାହାରା କେନ୍ଦ୍ରୀୟ ଜେଲରେ ରହିଛନ୍ତି। ଏପରି ସମୟରେ ବର୍ତ୍ତମାନ ଜେଲରୁ ଅଭିନେତାଙ୍କ କିଛି ଫଟୋ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ସାମ୍ନାକୁ ଆସିଥିବା ଫଟୋରେ ଅଭିନେତାଙ୍କୁ ଜେଲରେ ଭିଆଇପି ସୁବିଧା ମିଳୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ବର୍ତ୍ତମାନ ଘଟଣାରେ ପ୍ରାୟ 7 ଜଣ ଜେଲ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଡ. ଜି ପରମେଶ୍ୱର ।
ଦର୍ଶନଙ୍କୁ ଭିଆଇପି ସେବା ଘଟଣାରେ ଆକ୍ସନ
ଜେଲ ଭିତରେ ଅଭିଯୁକ୍ତ ଥିବା ଅଭିନେତା ଦର୍ଶନଙ୍କୁ ଭିଆଇପି ସେବା ଘଟଣାରେ ଆକ୍ସନ ମୋଡରେ ସରକାର । ଘଟଣାରେ 7 ଜଣ ଜେଲ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସରଭାନା, ଶରଣାୱାସଭା, ପ୍ରଭୁ ଏସ, ଏଲଏସ ଥିପ୍ପେସ୍ୱାମୀ, ଶ୍ରୀକାନ୍ତ ତଲୱାର, ଏଡ ୱାର୍ଡନ ବୈକପ୍ପା ଏବଂ ସନ୍ତୋଷ କୁମାରଙ୍କୁ ନିଲମ୍ୱନ କରାଯାଇଥିବା କହିଛନ୍ତି ଗୃହମନ୍ତ୍ରୀ ପରମେଶ୍ୱର । ସେ କହିଛନ୍ତି, ''କୌଣସି ବାହ୍ୟ ଚାପକୁ ଖାତିର ନକରି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅଧିକାରୀମାନେ କିପରି ଏହି ଘଟଣା ବିଷୟରେ ଅବଗତ ନାହାଁନ୍ତି ଜାଣିବା ପାଇଁ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି ।''
ଜେଲରୁ ଦର୍ଶନଙ୍କ ଫଟୋ ଭାଇରାଲ
ଫଟୋରେ ଦର୍ଶନ ଜେଲ ଭିତରେ ଥିବା ପାର୍କରେ ନଜର ଆସିଛନ୍ତି । ସେ ଏକ ଚେୟାରରେ ବସିଛନ୍ତି । ତାଙ୍କ ହାତରେ ଏକ କପ୍ ଅଛି ଏବଂ ଅନ୍ୟ ହାତରେ ସିଗାରେଟ୍ ଧରିଥିବାର ନଜର ଆସିଛନ୍ତି। ଫଟୋରେ ତାଙ୍କ ସହ କିଛି ଅନ୍ୟ କଏଦୀ ମଧ୍ୟ ନଜର ଆସିଛନ୍ତି। ଭାଇରାଲ ଫଟୋ ଲିକ୍ ହେବାର ଗୋଟିଏ ଦିନ ପରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଦର୍ଶନ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା ହୋଇଥିଲେ । ଏହି ଭିଡିଓରେ ଦର୍ଶନ ହସୁଥିବା ସହ ବନ୍ଧୁତ୍ୱପୂର୍ଣ୍ଣ ବାର୍ତ୍ତାଳାପ କରୁଥିବାର ନଜର ଆସିଥିଲେ । ଯାହାକୁ ଦେଖି ଏବେ ସାଧାରଣରେ ପ୍ରଶ୍ନ ଉଠିଥିଲା ।