ହାଇଦ୍ରାବାଦ: ୯୦ ଦଶକରେ ପିଲାମାନଙ୍କ ପାଇଁ ସୁପରହିରୋ ଭାବେ ଘରେ ଘରେ ପରିଚିତ ଥିଲା ସୁପରହିଟ୍ ସିରିଏଲ 'ଶକ୍ତିମାନ' । ଯାହାର ଚର୍ଚ୍ଚା ଏବେ ମଧ୍ୟ କରାଯାଉଛି । 'ଶକ୍ତିମାନ'ର ଚରିତ୍ରକୁ ଭେଟେରାନ ଅଭିନେତା ମୁକେଶ ଖନ୍ନା ଅଭିନୟ କରିଥିଲେ । ଏହି ଚରିତ୍ରର ଲୋକପ୍ରିୟତା ଦେଖି ଏହାକୁ ବଡ ପରଦାରେ ଆଣିବା ପାଇଁ ଯୋଜନା କରାଯାଇଥିଲା ଏବଂ ଫିଲ୍ମ ଘୋଷଣା ପରଠାରୁ ଏହା ଖବରରେ ଅଛି । ଏହି ସମୟରେ ଖବର ଆସିଥିଲା ଯେ ରଣଭୀର ସିଂ ଏହି ଫିଲ୍ମରେ 'ଶକ୍ତିମାନ'ର ଚରିତ୍ରରେ ଅଭିନୟ କରିବେ, କିନ୍ତୁ ବର୍ତ୍ତମାନ ଏହି ଭୂମିକାରେ ରଣଭୀରଙ୍କୁ କାଷ୍ଟିଂ ନେଇ ମୁକେଶ ଖନ୍ନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ଫଟୋସୁଟକୁ ସମାଲୋଚନା କରିଛନ୍ତି ।
ମୁକେଶ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ 'ଶକ୍ତିମାନ' ଫିଲ୍ମରେ ରଣଭୀର ସିଂଙ୍କ ଭୂମିକା ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ପୋଷ୍ଟରରେ ଲେଖିଛନ୍ତି,''ମୁଁ ହଁ କରିନି । ଏଥିସହ ସେ କ୍ୟାପସନରେ ଲେଖିଛନ୍ତି - ''ଏତେ ଦିନ ଧରି ଖବର ଆସୁଥିଲା ଯେ ରଣଭୀର ସିଂ ଏହି ଫିଲ୍ମ କରିବାକୁ ଯାଉଛନ୍ତି । ମୁଁ ଚୁପ୍ ରହିଲି, କିନ୍ତୁ ଯେତେବେଳେ ଚ୍ୟାନେଲ ଗୁଡ଼ିକ ମଧ୍ୟ ଏହିପରି ଖବର ଚଳାଇବା ଆରମ୍ଭ କଲେ । ତା’ପରେ ମୋତେ ପାଟି ଖୋଲିବାକୁ ପଡିଲା । ସେ କହିଛନ୍ତି - 'ମୁଁ କହିଥିଲି ଯେ ଏପରି ପ୍ରତିଛବି ଥିବା ବ୍ୟକ୍ତି ଯେତେ ବଡ଼ ଷ୍ଟାର ହୋଇପାରନ୍ତି, ସେ ଶକ୍ତିମାନ ହୋଇପାରିବେ ନାହିଁ ।''
ଏହା ସହ ଅଭିନେତା ତାଙ୍କ ଫ୍ୟାନ୍ସଙ୍କୁ ତାଙ୍କ ସାକ୍ଷାତକାରର ଭିଡିଓ ଦେଖିବାକୁ କହିଥିଲେ । ତାଙ୍କର ଏହି ଭିଡିଓ 'ଭୀଷ୍ମ ଇଣ୍ଟରନ୍ୟାସନାଲ' ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ । ଏହି ସାକ୍ଷାତକାରରେ ମୁକେଶ ଖନ୍ନା ନିକଟରେ ରଣଭୀର ସିଂ କରିଥିବା ନ୍ୟୁଡ୍ ଫଟୋସୁଟକୁ ନେଇ ସମାଲୋଚନା ବି କରିଛନ୍ତି । ସେ କହିଛନ୍ତି, ଯଦି ସେ ଏସବୁକୁ ପସନ୍ଦ କରନ୍ତି ତେବେ ସେ ଯାଇ ଅନ୍ୟ ଦେଶରେ ରହିବା ଭଲ । ଏହା ବ୍ୟତୀତ ରଣଭୀରଙ୍କ ଫଟୋସୁଟକୁ ସମର୍ଥନ କରୁଥିବା ଅଭିନେତ୍ରୀଙ୍କୁ ଅଭିନେତା ତାଗିଦ୍ କରିଛନ୍ତି । ମୁକେଶ ତାଙ୍କ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ ସେ ରଣଭୀର ସିଂଙ୍କୁ ଶକ୍ତିମାନଙ୍କ ଭୂମିକାରେ ଅଭିନୟ କରିବାକୁ ଦେବେ ନାହିଁ।