ହାଇଦ୍ରାବାଦ:ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ୨୦୧୭ ମସିହାରେ ଶାହାରୁଖ ଖାନଙ୍କ ବିପକ୍ଷରେ 'ରଇଜ' ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଥିଲେ । ମାହିରା କେବଳ ଏହି ଗୋଟିଏ ଚଳଚ୍ଚିତ୍ର ସହ ଭାରତୀୟ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମାହିରା । ନିକଟରେ ସେ ଦୁବାଇରେ ବଲିଉଡ ଗାୟକ ଅରିଜିତ ସିଂଙ୍କ ସଂଗୀତ କନସର୍ଟ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ସମୟରେ ଅରିଜିତ ସିଂ ମାହିରାଙ୍କୁ ଚିହ୍ନିପାରିନଥିଲେ ଯେଉଁଥିପାଇଁ ସେ ଅଭିନେତୀଙ୍କୁ କ୍ଷମା ମାଗିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଦୁବାଇରେ ଆୟୋଜିତ କନସର୍ଟରେ ଅରିଜିତ ସିଂ ମାହିରା ଖାନଙ୍କ ବଲିଉଡ ଡେବ୍ୟୁ ଚଳଚ୍ଚିତ୍ରର ସୁପରହିଟ୍ ଗୀତ 'ଜାଲିମା' ଗାଇଥିଲେ । ଏହି ସମୟରେ ଅରିଜିତ ସିଂ ଦର୍ଶକଙ୍କୁ ମାହିରା ଖାନଙ୍କ ସହ ପରିଚିତ କରାନ୍ତି । ସେ କୁହନ୍ତି, 'ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବ, ମୁଁ ଯାହା ଖୁଲାସା କରିବି? ସେ କ୍ୟାମେରା ପର୍ସନକୁ ମାହିରାଙ୍କୁ ଦେଖାଇବାକୁ କୁହନ୍ତି । ଏହା ପରେ ସେ କୁହନ୍ତି, ମୁଁ ଏହି ବ୍ୟକ୍ତିଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଥିଲି, ତା'ପରେ ମୋର ମନେ ପଡିଗଲା ଯେ ମୁଁ ତାଙ୍କ ପାଇଁ ଏକ ଗୀତ ଗାଇଥିଲି । 'ସାଥୀଗଣ, ମାହିରା ଖାନ ମୋ ସାମ୍ନାରେ ବସିଛନ୍ତି ଏବଂ ମୁଁ ତାଙ୍କ ଗୀତ 'ଜାଲିମା' ଗାଉଥିଲି । ଏହା ତାଙ୍କର ଗୀତ ଏବଂ ସେ ମଧ୍ୟ ଠିଆ ହୋଇ ଗୀତ ଗାଉଥିଲେ , ହେଲେ ମୁଁ ତାଙ୍କୁ ଚିହ୍ନିପାରିଲି ନାହିଁ । ମୋତେ କ୍ଷମା କରିଦେବେ ମାହିରା । ଏଠାରେ ସାମିଲ ହେବା ପାଇଁ ମୁଁ ବହୁତ କୃତଜ୍ଞ ।