ନୂଆଦିଲ୍ଲୀ:୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାରଙ୍କୁ ବମ୍ଭର ଲାଭାଂଶ ବା ଡେଭିଡେଣ୍ଡ ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ କେନ୍ଦ୍ର ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିବ । ବୁଧବାର ଆରବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି । ଯାହାକି ଗତବର୍ଷ ପ୍ରଦାନ କରାଯାଇଥିବା ଲାଭାଂଶ ତୁଳନାରେ ୧୪୧% ଅଧିକ । ୨୦୨୨-୨୩ ବର୍ଷରେ ଆରବିଆଇ ସରକାରଙ୍କୁ ୮୭ ହଜାର ୪୧୬ କୋଟି ଲାଭାଂଶ ପ୍ରଦାନ କରିଥିଲା ।
୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ଆରବିଆଇ ୧ ଲକ୍ଷ କୋଟି ଦେଇପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସବୁ ଅନୁମାନକୁ ପଛରେ ପକାଇ କେନ୍ଦ୍ରୀୟ ବ୍ୟାଙ୍କ ରେକର୍ଡ ପରିମାଣର ୨.୧୧ଲକ୍ଷ କୋଟି ଦେବାକୁ ନିଷ୍ପତ୍ତି ନେଇଛି, ଏହା ବିତ୍ତୀୟ ନିଅଣ୍ଟ ପରିଚାଳନାରେ ସହାୟକ ହେବ ।
ଚଳିତ ବର୍ଷ ଅନ୍ତରୀଣ ବଜେଟରେ ମୋଦି ସରକାର ଆରବିଆଇ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକରୁ ୧.୦୨ ଲକ୍ଷ କୋଟି ଲାଭାଂଶ ହାସଲ କରିବେ ବୋଲି ଅନୁମାନ କରିଥିଲେ । ବୁଧବାର ମୁମ୍ବାଇରେ ବସିଥିବା କେନ୍ଦ୍ରୀୟ ବୋର୍ଡର ୬୦୮ତମ ବୈଠକରେ ବୈଶ୍ବିକ ଓ ଘରୋଇ ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ହେବା ସହ ସରକାରଙ୍କୁ ମୋଟ ୨ ଲକ୍ଷ ୧୦ ହଜାର ୮୭୪ କୋଟି ଟଙ୍କାର ବମ୍ପର ଲାଭାଂଶ ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି ।