ଭୁବନେଶ୍ବର/ବ୍ରହ୍ମପୁର:ଖୋଲିଛି 2025/26 ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡି । ନିର୍ମଳାଙ୍କ ଆର୍ଥିକ ପେଡିରେ ରହିଛି ମଧ୍ୟବିତ୍ତଙ୍କ ଉପରେ ଫୋକସ । ବଜେଟକୁ ନେଇ ଆସିଛି ମିଶ୍ର ପ୍ରତିକ୍ରିୟା । ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଦେଖିଲେ ବଜେଟ ସନ୍ତୋଷଜନକ ବୋଲି ଅର୍ଥନୈତିଜ୍ଞ ପ୍ରତିକ୍ରିୟା ରଖିଥିବା ବେଳେ କେନ୍ଦ୍ର ସରକାର ଚତୁରତାର ସହ ବଜେଟ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ସେହିପରି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ କହିଛନ୍ତି ବିକଶିତ ଭାରତ ପାଇଁ ଏହା ଯଥେଷ୍ଟ ନୁହେଁ । 8 ପ୍ରତିଶତ ଅଭିବୃଦ୍ଧି ହାର ନହେଲେ ବିକଶିତ ଭାରତ ଚିନ୍ତା ଅସମ୍ପୂର୍ଣ୍ଣ ରହିବ ।
ଚତୁରତାର ସହ କରିଛନ୍ତି ବଜେଟ:
କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "କେନ୍ଦ୍ରୀୟ ବଜେଟ ଉପରେ ସମସ୍ତଙ୍କର ନଜର ଥାଏ । ବିଭିନ୍ନ ବର୍ଗର ଲୋକଙ୍କ ବିଜେଟରୁ ଆଶା ଥାଏ । 2025/26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଚତୁରତାର ସହ ବଜେଟ କରିଛନ୍ତି । ମଧ୍ୟବିତ୍ତଙ୍କୁ ସନ୍ତୁଷ୍ଟ କରିବାକୁ ନିର୍ମଳାଙ୍କ ପେଡିରେ ବ୍ୟବସ୍ଥା କରାଯାଇଛି । ଚଳିତ ବଜେଟରେ ମଧ୍ୟବିତ୍ତ ଟିକେ ଅଧିକ ଲାଭବାନ ହୋଇଛନ୍ତି । ଜିଡିପି ଗ୍ରୋଥ ରେଟ 2024/25 ଆର୍ଥିକ ବର୍ଷରେ ହଠାତ କମିଆସିଛି । ଜାତୀୟ ଅଭିବୃଦ୍ଧି 6.03 ପ୍ରତିଶତ ଥିବା ବେଳେ ଏହା ଆହୁରି କମିବାର ସମ୍ଭାବନା ରହିଛି । ଏଥିରୁ ରକ୍ଷା ପାଇବା ଲାଗି 2025/26 ଆର୍ଥିକ ବର୍ଷ ପାଇଁ ଏକ ଭଲ ବଜେଟ ପ୍ରସ୍ତୁତ କରିଛନ୍ତି ।
1 କୋଟି କରଦାତା ସୁବିଧା ପାଇବେ:
ବଜେଟରେ କରଦାତାଙ୍କ ମଧ୍ୟରୁ ପ୍ରାୟ 1 କୋଟି ଲୋକ ସୁବିଧା ପାଇବେ । ମଧ୍ୟବିତ୍ତଙ୍କ ପାଖକୁ ଆସିଲେ ସେମାନେ ବଜାରକୁ ଯିବେ । ବଜାର ଚଳଚଞ୍ଚଳ ହେବ । ଏହା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଲାଭନ୍ବିତ ହେବେ । ବଜାରରେ କିଛି ଜିନିଷ ଶସ୍ତା ହୋଇଛି । କପଡା, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀ ଶସ୍ତା ହୋଇଛି । ଏଥିରେ ଥିବା ଜିଏସଟି ଦ୍ୱାରା ଲୋକଙ୍କ ଟଙ୍କା ବା ପକେଟ ଫାଙ୍କା ହୋଇଯିବ ।
ଔଷଧ ଦାମ ଶସ୍ତା:
ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛି ଔଷଧ ଦାମ ଶସ୍ତା କରାଯାଇଛି । କ୍ୟାନ୍ସର ପରି ଯନ୍ତ୍ରଣାଦାୟକ ରୋଗ ଲାଗି ଔଷଧ ଶସ୍ତା ହୋଇଛି । ସେହିପରି ପ୍ରତି ଜିଲ୍ଲା ମେଡ଼ିକାଲରେ କ୍ୟାନ୍ସର ୱାର୍ଡ ଖୋଲାଯିବ । ଭାରତରେ କ୍ୟାନ୍ସର ବ୍ୟାପି ଗଲାଣି ବୋଲି କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି । ଏହାର ଔଷଧ ଦର କମାଯାଇଛି । କର୍ପୋରେଟ ହସ୍ପିଟାଲର ବିଭିନ୍ନ ସୁବିଧା ସୁଯୋଗ ବ୍ୟବସ୍ଥା ହୋଇଛି । ଆସବାବପତ୍ର, ଯନ୍ତ୍ରପାତି କିଣାକିଣିରେ ରିହାତି ଦିଆଯାଇଛି । ଆଗାମୀ ଦିନରେ କର୍ପୋରେଟ ହସ୍ପିଟାଲରେ ରୋଗୀ ଚିକିତ୍ସା ଓ ଟେଷ୍ଟରେ ସୁବିଧା ପାଉଛନ୍ତି ନା ନାହିଁ ଦେଖିବାକୁ ପଡିବ । ସେହିପରି ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବୁ ବୋଲି କୁହାଯାଇଛି । ୟୁରିଆ ଉତ୍ପାଦନ କରୁଥିବା ସଂସ୍ଥା ଲାଗି ରିହାତି ବ୍ୟବସ୍ଥା କରାଯିବ । ଏହା ଦ୍ୱାରା ଉତ୍ପାଦନ ବଢିବା ସହ ସଂସ୍ଥା ଲାଭବାନ ହେବ ।
ସେ ଆହୁରି କହିଛନ୍ତି, ‘ବଜେଟକୁ ନେଇ ଦୁଇଟି ସନ୍ଦେହ ଅଛି । ମୁଦ୍ରାସ୍ପିତି ବୃଦ୍ଧି ହେବ ନା ନାହିଁ ଓ ଦରଦାମ ନିୟନ୍ତ୍ରଣ ହେବ ନା ନାହିଁ ? ଯଦି ବଜାରରେ ଦରଦାମ ଓ ମୁଦ୍ରାସ୍ପିତି ବୃଦ୍ଧି ହୁଏ, ତେବେ ସରକାର ଓ ଜନସାଧାରଣ ପ୍ରଭାବିତ ହେବେ । ଏହା ଉପରେ ନଜର ରଖିବାକୁ ପଡିବ । ଟୁରିଜିମରେ ଆର୍ଥିକ ବ୍ୟବସ୍ଥା ରହିଛି । ଓଡିଶା ଏ କ୍ଷେତ୍ରରେ କେତେ ଆଣିପାରିବ ଦେଖିବାକୁ ପଡିବ । ଯଦି ଆଣି ହେବ ତାହାଲେ ଆମେ ଲାଭବାନ ହେବା । ନହେଲେ ଆମେ ଯେମିତି ଥିଲେ, ସେମିତି ରହିବା ।’
ବିହାରକୁ ଖୁସ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା:
ସେ ଆହୁରି କହିଛନ୍ତି, ‘ଓଡିଶାରେ ନିର୍ବାଚନ ସରିଯାଇଛି । ଆମର ଆର୍ଥିକ ଆବଶ୍ୟକତା କଣ ଆବଶ୍ୟକତା ରହିଛି । ବିହାର ଓ ନୂଆଦିଲ୍ଲୀରେ ନିର୍ବାଚନ ରହିଛି । ତେଣୁ ସେଠାରେ ଆର୍ଥିକ ଆବଶ୍ୟକତା ରହିଛି । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଯୋଜନା ଓ ଅର୍ଥ ବରାଦ ହୋଇଛି । ବଜେଟକୁ ନେଇ ଦିଲ୍ଲୀରେ ଖୁସିର ଲହରୀ ଖେଳିଯାଇଥିବ । ବଜେଟରେ ବ୍ୟବସ୍ଥା ଯୋଗୁଁ ଲୋକେ ମାଡି ଆସିବେ । ବଜାରରେ ଲୋକ ସଂଖ୍ୟା ବଢିଲେ, ଦୋକାନୀ ଖୁସି ହେବ । କେନ୍ଦ୍ରୀୟ ଅଧିକାରୀ ଓ ପେନସନ ଉପଭୋକ୍ତାଙ୍କ ଆଶା ବଢିଛି । ସେହିପରି ବିହାରକୁ ମଧ୍ୟ ଖୁସି କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ନିଯୁକ୍ତି କ୍ଷେତ୍ର ପ୍ରସସ୍ଥ ହେବା ଲାଗି କୌଣସି ବ୍ୟବସ୍ଥା ନାହିଁ ।
ବିକଶିତ ଭାରତ ପାଇଁ ଏହା ଯଥେଷ୍ଟ ନୁହେଁ:
ବିଭିନ୍ନ କ୍ଷେତ୍ରକୁ ନଜରରେ ରଖି କେନ୍ଦ୍ର ସରକାର 2025/26 ବର୍ଷ ଲାଗି ବଜେଟରେ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଦେଶର ଅଭିବୃଦ୍ଧି ହାର 6.8 ରହିଛି । ଏହା ବିକଶିତ ଭାରତ ପାଇଁ ଏହା ଯଥେଷ୍ଟ ନୁହେଁ । 8 ପ୍ରତିଶତ ଅଭିବୃଦ୍ଧି ହାର ନହେଲେ ବିକଶିତ ଭାରତ ଚିନ୍ତା ଅସମ୍ପୂର୍ଣ୍ଣ ରହିବ । ଏହା ସହ 5 ଟ୍ରିଲିୟନ ଇକୋନୋମୀ ସମ୍ଭବ ନୁହେଁ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ କହିଛନ୍ତି ।
ସୁବିଧା ପାଇବେ ମଧ୍ୟବିତ୍ତ:
ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ କହିଛନ୍ତି, "ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ ଆଗତ କରନ୍ତି । ଆୟ ଓ ବ୍ୟୟର ହିସାବ ଉପସ୍ଥାପନ କରନ୍ତି । ଆର୍ଥିକ ବର୍ଷ 2025/26ରେ ବିଭିନ୍ନ ବିଭାଗ ପାଇଁ ଅର୍ଥର ବ୍ୟବସ୍ଥା କରାଯାଇଛି । ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । କୃଷି ଉତ୍ପାଦନ ବୃଦ୍ଧି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । କିଷାନ କ୍ରେଡିଟ କାର୍ଡର ପରିମାଣ ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ପରିମାଣ ମଧ୍ୟ ବୃଦ୍ଧି ହୋଇଛି । ଖାଇବା ତେଲ, ମତ୍ସ୍ୟ ଉତ୍ପାଦନ, ପନିପରିବା ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି । ମଧ୍ୟବିତ୍ତ ପରିବାର ଓ ଆୟକର ଗୋଷ୍ଠୀ ଯାହା ଆଶା କରୁଥିଲେ, ତାହା ହୋଇଛି । ମଧ୍ୟବିତ୍ତ ପରିବାର ଓ କର୍ମଜୀବୀ ନିଶ୍ଚୟ ସୁବିଧା ପାଇବେ ।
ସେ ଆହୁରି କହିଛନ୍ତି, ‘କେନ୍ଦ୍ର ସରକାର ବିକଶିତ ଭାରତ କଥା କହୁଛନ୍ତି । ବିକାଶ ସବୁ ସ୍ତରରେ ହେବା ଆବଶ୍ୟକ । ଅଳ୍ପ ପରିମାଣ ଲୋକଙ୍କ ହାତରେ ଦେଶର ପୁଞ୍ଜି ଠୁଳ ହେଉଛି । ପ୍ରାୟ 10 ପ୍ରତିଶତ ଲୋକଙ୍କ ପାଖରେ ପ୍ରାୟ 77 ଭାଗ ସମ୍ପତ୍ତି ରହିଛି । 1 ପ୍ରତିଶତ ଲୋକଙ୍କ ପାଖରେ 33 ଭାଗ ସମ୍ପତ୍ତି ରହିଛି । ଅନ୍ୟ ମାନେ ଦାରିଦ୍ର୍ୟ ଅବସ୍ଥାରେ ରହୁଛନ୍ତି । ମଧ୍ୟବିତ୍ତ ପରିବାରର ଉଲ୍ଲେଖନୀୟ ଉନ୍ନତି ହୋଇପାରୁ ନାହିଁ । ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ ସେମାନେ ଉପକୃତ ହେବେ । କେନ୍ଦ୍ର ସରକାର ଚଳିତ ବଜେଟ କେତେକ ଦିଗ ଉପରେ ଧ୍ୟାନ ଦେଇଛନ୍ତି ।
8 ପ୍ରତିଶତ ଅଭିବୃଦ୍ଧି ହାର ନହେଲେ ବିକଶିତ ଭାରତ ଚିନ୍ତା ଅସମ୍ପୂର୍ଣ୍ଣ:
ସେ ଆହୁରି କହିଛନ୍ତି, ‘ଦେଶର ଅଭିବୃଦ୍ଧି ହାର 6.8 ରହିଛି । ଏହା ବିକଶିତ ଭାରତ ପାଇଁ ଏହା ଯଥେଷ୍ଟ ନୁହେଁ । କିନ୍ତୁ 8 ପ୍ରତିଶତ ଅଭିବୃଦ୍ଧି ହାର ନହେଲେ ବିକଶିତ ଭାରତ ଚିନ୍ତା ଅସମ୍ପୂର୍ଣ୍ଣ ରହିବ । 5 ଟ୍ରିଲିୟନ ଇକୋନୋମୀ ସମ୍ଭବ ନୁହେଁ । ଦେଶର ଅଭିବୃଦ୍ଧି ହାର ବଢେଇବାକୁ ପଡିବ । ଦେଶରେ ପୁଞ୍ଜି ଖଟେଇବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଭିତ୍ତିଭୂମି ବିକାଶ ପାଇଁ କିଛି ବ୍ୟବସ୍ଥା ନାହିଁ । ବଜେଟରେ ବ୍ୟୟ ବରାଦ ହୋଇନାହିଁ । ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅର୍ଥ ନାହିଁ । ଭିର୍ତ୍ତିଭୂମି ବିକାଶ ନହେଲେ ବଡ଼ ଶିଳ୍ପ, ପୁଞ୍ଜି ନିବେଶ ସମ୍ଭବ ହେବନାହିଁ ।’
ଓଡ଼ିଶା ଏହି ବଜେଟରେ ସନ୍ତୁଷ୍ଟ ହୋଇପାରିବ ନାହିଁ:
ଅନେକ ପ୍ରକଳ୍ପ ବିହାରକୁ ମିଳିଛି । ଓଡିଶା ପାଇଁ ବିଶେଷ ବ୍ୟବସ୍ଥା ନାହିଁ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଓଡିଶା ପାଇଁ ଓଡିଶା ପାଇଁ ସ୍ୱତନ୍ତ୍ର ଅର୍ଥ ପ୍ରବଧାନ ନାହିଁ । ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଭିର୍ତ୍ତିଭୂମି ବିକାଶ ପାଇଁ ଦାବି ରଖିଥିଲେ । ସେ ପ୍ରତି କେନ୍ଦ୍ର ବିଶେଷ ଧ୍ୟାନ ଦେଇନାହିଁ । ଡବଲ ଇଞ୍ଜିନ ସରକାର ଆସିବା ପରେ ଡବଲ ଅର୍ଥ ଆସିବା କଥା । ଏହାର ସୂଚନା ଏଥିରେ କିଛି ନାହିଁ । ତେଣୁ ଓଡିଶା ଏହି ବଜେଟରେ ସନ୍ତୁଷ୍ଟ ହୋଇପାରିବ ନାହିଁ । ପେଟ୍ରୋଲ, ଡିଜେଲ ଦର କମିଲେ ଦରଦାମ କମିବ ନାହିଁ । ଏଥିରେ ଟିକସ ବଢ଼ିଲେ ଲାଭ କେନ୍ଦ୍ର ଓ ରାଜ୍ୟ ପାଇବେ ।