ନୂଆଦିଲ୍ଲୀ: ସଂସଦରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅନ୍ତରୀଣ ବଜେଟରେ ଦେଶର ବେସାମରିକ ଉଡ଼ାଣ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ଦେଶରେ ବିମାନ ସେବା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ଦେଶରେ ବିମାନ ବନ୍ଦର ସଂଖ୍ୟା 149କୁ ବୃଦ୍ଧି ପାଇଛି। ଦେଶ ସ୍ବାଧୀନ ହେବା ପରଠାରୁ 2014 ମଧ୍ୟରେ ଦେଶରେ ମାତ୍ର 74ଟି ବିମାନ ବନ୍ଦର ଥିବା ବେଳେ, 2014ରୁ 2023 ମଧ୍ଯରେ ଶେଷ 10 ବର୍ଷରେ 75 ନୂଆ ବିମାନ ବନ୍ଦର ନିର୍ମାଣ ହୋଇଛି । ଦେଶରେ 1000 ନୂଆ ବିମାନ ଚଳାଚଳ କରିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି । ସେହିପରି ୟାତ୍ରୀଙ୍କ ସୁବିଧା ପାଇଁ ନୂଆ 517 ଏୟାର ରୁଟ୍ କରାଯିବ । ଏହା ଦ୍ବାରା 1.03 କୋଟି ଯାତ୍ରୀ ସୁବିଧା ପାଇବେ । ଉଡ଼ାଣ ଯୋଜନାରେ ଏହା ଆରମ୍ଭ ହେବ ।
1947 ମସିହାରେ ଦେଶ ସ୍ବାଧୀନ ହୋଇଥିଲା । ସୂଚନା ଅନୁସାରେ, 1947ରୁ 2014 ପର୍ଯ୍ୟନ୍ତ ଦେଶରେ ମୋଟ 74ଟି ବିମାନ ବନ୍ଦର ଥିଲା। ତେବେ 2014ରୁ 2023 ମଧ୍ୟରେ 75ଟି ନୂଆ ବିମାନ ବନ୍ଦର ନିର୍ମାଣ ହୋଇଛି। ସେହିପରି 2024ରୁ 2025 ମଧ୍ୟରେ ଆଉ 71ଟି ବିମାନ ବନ୍ଦର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଅର୍ଥାତ 2025 ସୁଦ୍ଧା ଦେଶରେ ମୋଟ ବିମାନ ବନ୍ଦର 220ରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି 72ଟି ନୂଆ ଗ୍ରୀନ ଫିଳ୍ଡ ବିମାନ ବନ୍ଦର ପାଇଁ 85,000 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।