ନୂଆଦିଲ୍ଲୀ:୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା ହୋଇଛି । ଅପରିବର୍ତ୍ତିତ ରହିଛି ସୁଧହାର । ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ସପ୍ତମ ଥର ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରଖିଛି । ଅର୍ଥନୀତିଜ୍ଞମାନେ ମଧ୍ୟ ପୂର୍ବରୁ ଏହି ଆକଳନ କରିଥିଲେ । କେନ୍ଦ୍ରୀୟ ବ୍ୟାଙ୍କର ୬ ଜଣିଆ ମୁଦ୍ରାନୀତି କମିଟିର ବୈଠକରେ ରେପୋ ରେଟ୍ ଏଥର ବି ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘୋଷଣା କରିଛନ୍ତି । ଏହାର ଅର୍ଥ ଏଥର ମଧ୍ୟ EMIରେ କୌଣସି ଆଶ୍ବସ୍ତି ମିଳିବ ନାହିଁ ।
ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଆର୍ଥକ ବର୍ଷ ୨୦୨୫ର ପ୍ରଥମ ମୁଦ୍ରାନୀତି ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି । କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ସପ୍ତମ ଥର ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରଖିଛି । ଏହି କ୍ରମରେ ସ୍ଥାୟୀ ଜମା ସୁବିଧା (SDF) ୬.୫ ପ୍ରତିଶତ ଓ ସୀମାନ୍ତ ଜମା ସୁବିଧା (MSF)୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ୨୦୨୪-୨୫ରେ ଭାରତର ଅର୍ଥବ୍ୟବସ୍ଥା ୭ ପ୍ରତିଶତ ଅଭିବୃଦ୍ଧି ସହ ଆଗକୁ ବଢିବ । ୨୦୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ୭.୧ ପ୍ରତିଶତ, ଦ୍ବିତୀୟ ତ୍ରୟମାସିକରେ ୬.୯ ଏବଂ ତୃତୀୟ ଓ ଚତୁର୍ଥ ତ୍ରୟମାସିକରେ ଡିଜିପି ଅଭିବୃଦ୍ଧି ୭ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି ।
ଆରବିଆଇ ଗଭର୍ଣ୍ଣର ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ ୨୯ ସୁଦ୍ଧା ଭାରତ ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ରେକର୍ଡ ସ୍ତର ୬୪୫.୬ ବିଲିୟନ ଡଲାରରେ ପହଞ୍ଚିଛି । ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଗତି ବଜାୟ ରହିଛି । ଉଭୟ ଜାନୁଆରୀ ଓ ଫେବୃଆରୀରେ ମୁଦ୍ରାସ୍ଫୀତି ହ୍ରାସ ପାଇ ୫.୧ ପ୍ରତିଶତ ରହିଛି, ଯାହାକି ଡିସେମ୍ବରରେ ୫.୭ ପ୍ରତିଶତ ରହିଥିଲା । ଏହାକୁ ୪ ପ୍ରତିଶତକୁ ହ୍ରାସ କରିବାର ଲକ୍ଷ୍ୟ ରଖାଯାଇଛି ।