ଓଡିଶା

odisha

ETV Bharat / bharat

ଭଲ ପାଇବ ତ ଏମିତି: ଭାଲେଣ୍ଟାଇନ ସପ୍ତାହରେ ନୀତୀଶ-ମଞ୍ଜୁଙ୍କ ଅଭୁଲା ପ୍ରେମ କାହାଣୀ - NITISH KUMAR LOVE STORY

ରାଜନୀତିରେ ଉସ୍ତାଦ, ପ୍ରେମରେ ବି ଖିଲାଡ଼ି । ଯୌତୁକ ଫେରାଇ କରିଥିଲେ ବିବାହ । ପତ୍ନୀଙ୍କ ମୃତ୍ୟୁ ପରେ ଗଢ଼ିଛନ୍ତି ମୂର୍ତ୍ତି ।

ନିଆରା ପ୍ରେମିକ ନୀତିଶ: ପତ୍ନୀ ମଞ୍ଜୁଙ୍କ ପ୍ରତି ଥିଲା ଗଭୀର ପ୍ରେମ, ମୃତ୍ୟୁ ପରେ ଗଢିଛନ୍ତି ପ୍ରତିମୂର୍ତ୍ତି
ନିଆରା ପ୍ରେମିକ ନୀତିଶ: ପତ୍ନୀ ମଞ୍ଜୁଙ୍କ ପ୍ରତି ଥିଲା ଗଭୀର ପ୍ରେମ, ମୃତ୍ୟୁ ପରେ ଗଢିଛନ୍ତି ପ୍ରତିମୂର୍ତ୍ତି (ETV Bharat Odisha)

By ETV Bharat Odisha Team

Published : Feb 11, 2025, 11:48 AM IST

ପାଟନା: ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହକୁ ନେଇ ବର୍ତ୍ତମାନର ଯୁବପିଢି ମଧ୍ୟରେ ବେଶ ଉତ୍ସାହ । ପାଶ୍ଚାତ୍ୟ ସଂସ୍କୃତି ହେଲେ ମଧ୍ୟ ବର୍ତ୍ତମାନ ସମୟରେ ଏହାର ପ୍ରଭାବ ଭାରତୀୟ ସମାଜରେ ମଧ୍ୟ ସ୍ପଷ୍ଟ ଭାବେ ଅନୁଭୂତ ହେଉଛି । ଏହି ସମୟ ଆସିଲେ, ପ୍ରେମ ଓ ନିଆରା ପ୍ରେମ କାହାଣୀର ବେଶ ଚର୍ଚ୍ଚା ହୁଏ । ତେବେ କେବଳ ଯୁବପିଢି କାହିଁକି, ବରଂ ଯୌବନକୁ ଅତିକ୍ରାନ୍ତ କରି ଆଜି ପରିଣତ ବୟସରେ ପହଞ୍ଚି ସାରିଥିବା ବ୍ୟକ୍ତିବିଶେଷଙ୍କ ପ୍ରେମ କାହାଣୀ ମଧ୍ୟ ଚର୍ଚ୍ଚାର ପରିସରକୁ ଆସେ ।

ଯୁବାବସ୍ଥାରେ ମଧ୍ୟ ସେମାନେ କରିଥିଲେ ପ୍ରେମ । କେହି ପ୍ରେମ ବିବାହ ତ, ଆଉ କେହି ବିବାହ ପରେ ପ୍ରେମ । ସେମିତି ଜଣେ ପ୍ରେମିକ ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (JDU) ପ୍ରତିଷ୍ଠାତା ନୀତୀଶ କୁମାର । ଭାରତୀୟ ରାଜନୀତିରେ ଲମ୍ବା ଇନିଂସ ଖେଳି ଆଜି ବି କ୍ଷମତା କରିଡରରେ ସକ୍ରିୟ ଥିବା ନୀତୀଶ ମଧ୍ୟ ଯୁବାବସ୍ଥାରେ ଥିଲେ ଜଣେ ପ୍ରେମିକ । ସେ ପୁଣି ଜଣେ ସଫଳ ପ୍ରେମିକ, ଆଉ ସଫଳ ସ୍ବାମୀ । ପ୍ରେମ ବିବାହ ନୁହେଁ ବରଂ ପାରମ୍ପରିକ ବିବାହ ପରେ ନୀତୀଶ ହୋଇଥିଲେ ଜଣେ ଉତ୍ତମ ସ୍ବାମୀ । ସେତେବେଳର ଜଣେ ପ୍ରାଧ୍ୟାପକଙ୍କ କନ୍ୟା ମଞ୍ଜୁ କୁମାରୀ ହୋଇଥିଲେ ନୀତୀଶଙ୍କ ଜୀବନସାଥୀ । ଦୀର୍ଘ ସୁଖମୟ ଦାମ୍ପତ୍ୟ ଜୀବନ ପରେ ମଞ୍ଜୁ ଆରପାରିକୁ ଚାଲିଗଲେଣି, ହେଲେ ତାଙ୍କ ପ୍ରତି ନୀତୀଶଙ୍କର ଥିବା ଭଲପାଇବା ଏକାଧିକ ଘଟଣାରୁ ସ୍ପଷ୍ଟ ବାରି ହୋଇପଡେ ।

ନିଆରା ପ୍ରେମିକ ନୀତିଶ: ପତ୍ନୀ ମଞ୍ଜୁଙ୍କ ପ୍ରତି ଥିଲା ଗଭୀର ପ୍ରେମ (ETV Bharat Odisha)
  • ନୀତୀଶ ଏବଂ ମଞ୍ଜୁଙ୍କ ବିବାହ ସ୍ଥିର ହୋଇଥିଲା:

ନୀତୀଶଙ୍କ ପ୍ରେମ କାହାଣୀ ତାଙ୍କ ରାଜନୈତିକ ଜୀବନ ପରି ବେଶ ରୋଚକ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ପାରମ୍ପରିକ ବିବାହ ହୋଇଥିଲା । ସିୟୋଡା ଗ୍ରାମର କୃଷ୍ଣନନ୍ଦନ ସିହ୍ନା ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଝିଅ ମଞ୍ଜୁ ସିହ୍ନାଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା । ସେତେବେଳେ ମଞ୍ଜୁ ପାଟନା ମଗଧ ମହିଳା କଲେଜରେ ସମାଜବିଜ୍ଞାନ ବିଭାଗର ଛାତ୍ରୀ ଥିଲେ । ଉଭୟ ପରିବାରର ସହମତିରେ ୧୯୭୩ ମସିହାରେ ଏହି ବିବାହ ସମ୍ପନ୍ନ ହୋଇଥିଲା ।

  • ଯୌତୁକ ଟଙ୍କା ଫେରାଇ ଦେଇଥିଲେ ନୀତୀଶ

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ‘ସମାଜବାଦ’ ବିଚାରଧାରାରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିରେ ସକ୍ରିୟ ଥିବା ନୀତୀଶ ସେତେବେଳେ ବିନା ଯୌତୁକରେ ବିବାହ କରିବାକୁ ଇଚ୍ଛା ପରିବାର ନିକଟରେ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର କନ୍ୟା ପକ୍ଷଠାରୁ ବରପକ୍ଷ (ନୀତୀଶଙ୍କ ପରିବାର) ଯୌତୁକ ଆକାରରେ କିଛି ଟଙ୍କା ନେଇଥିଲେ । ଏକଥା ଜାଣିବା ମାତ୍ରେ ନୀତୀଶ ଏହାକୁ ତୀବ୍ର ବିରୋଧ କରିଥିଲେ । ଯୌତୁକ ଟଙ୍କା ଫେରସ୍ତ ପାଇଁ ସେ ଚାପ ପକାଇଥିଲେ । ଫଳରେ ଉକ୍ତ ଟଙ୍କା ଫେରସ୍ତ ସହ ବିନା ଯୌତୁକରେ ଏହି ବିବାହ ସମ୍ପନ୍ନ ହୋଇଥିଲା ।

ପତ୍ନୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି ନୀତୀଶ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ଓଡ଼ିଶାରେ ହେବ ୩ ଟ୍ରେନିଂ ସେଣ୍ଟର, ବିମାନ ଉଡାଣ ପ୍ରଶିକ୍ଷଣ ନେବେ NCC କାଡେଟ

350 କିଲୋମିଟର ଯାଏଁ ଟ୍ରାଫିକ୍‌ ଜାମ, ଜାଣନ୍ତୁ କେଉଁଠି 12 ଦିନ ରାସ୍ତାରେ ଫସିଥିଲେ ଲୋକେ ?

  • ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଚାଲି ଚାଲି ସ୍କୁଲ ଯାଉଥିଲେ :

ନୀତୀଶଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ପ୍ରେମ କୁମାର ମଣି କୁହନ୍ତି,‘‘ମଞ୍ଜୁ ସିହ୍ନା ଖୁବ ସଚ୍ଚୋଟ ମହିଳା ଥିଲେ । ସ୍ବାମୀ ନୀତୀଶ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ବେ ମଧ୍ୟ ସେ ଶିକ୍ଷକତା ଛାଡି ନଥିଲେ । ସେ କେବେ କୌଣସି ସରକାରୀ ସୁବିଧା ବ୍ୟବହାର କରୁନଥିଲେ । ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ, ସେ ପାଦରେ ଚାଲି ଚାଲି ସ୍କୁଲକୁ ଯାଉଥିଲେ । ମଞ୍ଜୁ କେବେ ବି ମୁଖ୍ୟମନ୍ତ୍ରୀ ଭାବେ ସ୍ବାମୀଙ୍କ ପଦବୀ ଏବଂ ପ୍ରତିଷ୍ଠାକୁ ବ୍ୟବହାର କରୁନଥିଲେ । ନୀତିଶ କୁମାର ମଧ୍ୟ ମଞ୍ଜୁଙ୍କ ଏହି ସ୍ବାଭିମାନୀ ମାନସିକତା ଓ ସାଧାରଣ ଜୀବନଶୈଳୀକୁ ବେଶ ପ୍ରଶଂସା କରୁଥିଲେ ।

  • 2007ରେ ଆଖି ବୁଜିଥିଲେ ମଞ୍ଜୁ:-

କିଛି ଅସୁସ୍ଥତା ପରେ 2007ରେ ମଞ୍ଜୁଙ୍କ ଦେହାନ୍ତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଅରୁଣ ପାଣ୍ଡେଙ୍କ କହିବା ଅନୁସାରେ, ଏଥିରେ ନୀତୀଶଙ୍କୁ ବେଶ ଭାବପ୍ରବଣ ଅବସ୍ଥାରେ ଦେଖା ଯାଇଥିଲା । ପତ୍ନୀଙ୍କ ଅନ୍ତିମ ସଂସ୍କାରରେ ଖୁବ କାନ୍ଦିଥିଲେ ନୀତୀଶ । ନିଜେ ପତ୍ନୀ ମଞ୍ଜୁଙ୍କ କୋକେଇକୁ ସେ ଶ୍ମଶାନ ପର୍ଯ୍ୟନ୍ତ କାନ୍ଧରେ ନେଇଥିଲେ । ପତ୍ନୀଙ୍କ ଅବର୍ତ୍ତମାନରେ ମଧ୍ୟ ତାଙ୍କ ପ୍ରତି ନୀତୀଶଙ୍କ ପ୍ରେମ କମିନଥିଲା । ମଞ୍ଜୁଙ୍କ ସ୍ମୃତିରେ ରାଜଧାନୀ ପାଟନାର ରାଜେନ୍ଦ୍ର ନଗରରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ନୀତୀଶ କୁମାର ମଞ୍ଜୁଙ୍କ ପ୍ରତ୍ୟେକ ଜନ୍ମ ଓ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେବାକୁ କେବେ ଭୁଲନ୍ତି ନାହିଁ । 70 ଦଶକରେ ଭାରତୀୟ ପରମ୍ପରା ଅନୁସାରେ, ପାରିବାରିକ ସହମତିରେ ହୋଇଥିବା ବିବାହ, ପରେ ଲମ୍ବା ଦାମ୍ପତ୍ୟ ଜୀବନ ଓ ମୃତ୍ୟୁ ପରେ ପତ୍ନୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲପାଇବା ନୀତିଶଙ୍କ ପ୍ରେମ କାହାଣୀର ଏକ ବଳିଷ୍ଠ ଝଲକ୍‌ ।

ନୀତୀଶ କୁମାର (ETV Bharat Odisha)

ପ୍ରେମ ସପ୍ତାହ: ଗୋଲାପରୁ ଆରମ୍ଭ, ସାତ ଦିନରେ ସମ୍ପର୍କର ସାତ ନୂଆ କାହାଣୀ - VALENTINE WEEK 2025

ଦିଲ୍‌ ଚାଲିଗଲା ଦରିଆ ପାରି: ଗୁଗୁଲ ଟ୍ରାନ୍ସଲେଟରୁ ସମ୍ପର୍କର ସେତୁ - BRAZILIAN WOMAN ROSINIDE SECERA

ଦେଶୀ କନ୍ୟା ବିଦେଶୀ ବର: ଲଣ୍ଡନରେ ଲଭ, ବାଲେଶ୍ବରରେ ବାହାଘର - ODISHA GIRL LONDON MARRIAGE

ଇଟିଭି ଭାରତ, ବ୍ୟୁରୋ

ABOUT THE AUTHOR

...view details