ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ସାମନାକୁ ଆସିଛି ଅନର କିଲିଂର ମାମଲା । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହୋଇଛି ଗୁଳିକାଣ୍ଡ । ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ନୟାଗାଓଁ ଅଞ୍ଚଳରେ ଜଣେ ପିତା ନିଜ ଜନ୍ମିତ ଝିଅକୁ ଗୁଳି କରି ହତ୍ୟା କରିଛି । ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପୁଅ ମଧ୍ୟ ସାମିଲ ରହିଛନ୍ତି । ତେବେ ଉଭୟ ବାପ ପୁଅ ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଗୋପନୀୟ ଭାବେ ସଂସ୍କାର କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ ।
ଏହା ମଧ୍ୟ ପଢନ୍ତୁ ...ଦେଶଦ୍ରୋହୀ ମୀର ଜାଫର ସହ କ'ଣ ରହିଛି ବିଜେପି ପ୍ରାର୍ଥୀଙ୍କ ସମ୍ପର୍କ, ପୁଣି କାହିଁକି ଚର୍ଚ୍ଚାରେ ଏହି ନାଁ ? - Lok Sabha Election 2024
ଏସିପି ଧନଞ୍ଜୟ ସିଂଙ୍କ କହିବା ମୁତାବକ, ନୟାଗାଓଁ ଅଞ୍ଚଳରେ ପରିବାର ସହ ରହୁଥିବା ମୃତକ ଯୁବତୀଙ୍କ ଜଣେ ପୁଅ ସହିତ ପ୍ରେମ ପ୍ରସଙ୍ଗ ଥିଲା । ଝିଅର ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ଏହି ସମ୍ପର୍କକୁ ପ୍ରତିବାଦ କରିଥିଲେ ପରିବାର ଲୋକ । ଯାହାକୁ ନେଇ ଯୁବତୀ ଓ ତାଙ୍କ ପରିବାର ମଧ୍ୟରେ ଗତ ଶନିବାର ଦିନ ଏକ ବଡ ଧରଣର ଝଗଡା ହୋଇଥିଲା । ଝିଅର ପ୍ରେମ ସମ୍ପର୍କକୁ ନେଇ ଉତକ୍ଷିପ୍ତ ହୋଇଥିବା ପିତା ଓ ଭାଇ ଯୁବତୀଙ୍କୁ ସମାଜରେ ନିଜର ସମ୍ମାନ ରକ୍ଷା କରିବା ପାଇଁ ଗୁଳି କରିଥିଲେ ଏବଂ ଯୁବତୀଙ୍କ ପେଟରେ ଗୁଳି ବାଜିଥିଲା । ପରିବାର ଲୋକ ତାଙ୍କୁ ନିକଟସ୍ଥ ଆଲିଗଞ୍ଜ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଏହା ପରେ କାହାରିକୁ ନ ଜଣାଇ ଗୋପନୀୟ ଭାବେ ଯୁବତୀଙ୍କ ଶେଷକୃତ୍ୟ କରିବାପାଇଁ ବିଲରେ ଚିତାର ବ୍ୟବସ୍ଥା କରିଥିଲେ । ତେବେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା । ନୟାଗାଓଁ ପୋଲିସ ଥାନାର ଇନଚାର୍ଜ ଅଫିସର ରିତେଶ ଠାକୁରଙ୍କ ନେତୃତ୍ବରେ ପୋଲିସ ଟିମ୍ ପହଞ୍ଚି ମୃତଦେହକୁ ଜଳନ୍ତା ଚିତାରୁ ଉଦ୍ଧାର କରିଥିଲା । ପୋଲିସ ସେଠାରେ କେବଳ ମୁଣ୍ଡ ଓ ଗଣ୍ଡି ପାଇଥିଲେ ଯାହାକୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଦିଆଯାଇଛି । ତେବେ ଘଟଣା ସ୍ଥଳରୁ ଅଭିଯୁକ୍ତ ପିତା ପୁତ୍ର ଫେରାର ହୋଇ ଯାଇଥିବାରୁ ସେମାନଙ୍କ ନାଁରେ କେସ୍ ରୁଜୁ ହୋଇଛି । ଏହା ସହ ପୋଲିସ ସେମାନଙ୍କ ସନ୍ଧାନ କରିବା ସହ କେସର ପରବର୍ତ୍ତୀ ଯାଞ୍ଚ ଚଳାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ