ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ବହୁଚର୍ଚ୍ଚିତ ବିଲ୍ ‘ଏକକ ନିର୍ବାଚନ ବିଲ-2024’ (One Nation, One Election Bill)। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଏହାକୁ ଗୃହରେ ଆଗତ କରିଛନ୍ତି । ବିଲ ଆଗତ ହେବା ମାତ୍ରେ ବିରୋଧୀ ଏହାକୁ ବିରୋଧ କରିଛନ୍ତି । ଚଳିତମାସ 12 ତାରିଖରେ ଏହି ବିଲକୁ ମୋଦି କ୍ୟାବିନେଟରେ ଅନୁମୋଦନ ମିଳିଥିଲା । ଆଜି ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚା ଚାଲିଥିବା ବେଳେ ନିମ୍ନସଦନ ଲୋକସଭାରେ ଏହାକୁ ଆଗତ କରାଯାଇଛି । ଏହି ସମ୍ବିଧାନ ସଂସ୍କାରଧର୍ମୀ ବିଲ୍କୁ ଯୁଗ୍ନ ସଂସଦୀୟ କମିଟିକୁ ପଠାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
- କୋବିନ୍ଦ କମିଟି ସୁପାରିଶରେ ପ୍ରସ୍ତୁତ ହୋଇଛି ବିଲ୍
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ 8 ଜଣିଆ ଉଚ୍ଚସ୍ତରୀୟ କମିଟିର ସୁପାରିଶରେ ଏହି ବିଧେୟକକୁ ପ୍ରସ୍ତୁତ କରାଯାଇଛି । ଦୀର୍ଘ ଦଶନ୍ଧିରୁ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଇସ୍ତାହାରରେ ଥିବା ଏକ ବଡ ମୁଦ୍ଦା ହେଉଛି, ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନାରା । ତେବେ ଏହା କାର୍ଯ୍ୟକାରୀ ହେଲେ ବିଶ୍ବର ସର୍ବବୃହତ୍ତ ଗାଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନୀ ଢାଞ୍ଚାରେ ଆମୁଳଚୂଳ ପରିବର୍ତ୍ତନ ହେବ । ସାଧାରଣ (ଲୋକସଭା) ନିର୍ବାଚନ ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାଠୀ ହେବ । ବିରୋଧୀ ଏହି ଚର୍ଚ୍ଚିତ ବିଲକୁ ପ୍ରଥମରୁ ବିରୋଧ କରିଆସୁଥିବା ବେଳେ ଶାସକ ଭାରତୀୟ ଜନତା ପାର୍ଟି ଏହାକୁ ସମୟର ଆବଶ୍ୟକତା ବୋଲି ଦର୍ଶାଇଛି ।
- ବିରୋଧୀଙ୍କ ବିରୋଧ ସତ୍ତ୍ୱେ ମିଳିଲା ବହୁମତ