ଲକ୍ଷ୍ନୌ:ଜଘନ୍ୟ...ବୀଭତ୍ସ... ନୃଶଂସ ! ଘରେ ପଶି ୩ ଛୁଆଙ୍କୁ ହାଣି ପକାଇଲା ଦୁର୍ବୃତ୍ତ । ଚା' ପିଇବାକୁ କହି ଖେଳିଲା ରକ୍ତର ହୋଲି । ଉତ୍ତରପ୍ରଦେଶ ବଦୌନ ଜିଲ୍ଲାରେ ଗତକାଲି (ମଙ୍ଗଳବାର) ରାତିରେ ଏମିତି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ସାଜିଦ ନାମକ ଏକ ଯୁବକ ଜଣକ ଘରେ ପଶି ତାଙ୍କର ୩ ଛୁଆଙ୍କୁ ହାଣି ଦେଇଥିବା ବେଳେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ତେବେ ପୋଲିସର ଏନକାଉଣ୍ଟରରେ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସର ଯାଞ୍ଚ ଅନୁସାରେ, ଅଭିଯୁକ୍ତର ମୃତ ଛୁଆମାନଙ୍କ ଘରକୁ ଯିବାଆସିବା ଥିଲା । ଘଟଣା ଦିନ ରାତିରେ ସାଜିଦ ତାଙ୍କ ଘରକୁ ଯାଇ ଚା' ମାଗିଥିଲା । ଏହାପରେ ପିଲାମାନେ ଛାତ ଉପରେ ଖେଳୁଥିବା ବେଳେ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲା ।
ବଦୌନ ଜିଲ୍ଲାର ବାବା କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ନାବାଳକଙ୍କ ଘର ଆଗରେ ସାଜିଦର ସେଲୁନ ଥିଲା । ଛୁଆମାନଙ୍କ ମାଆ ସଙ୍ଗୀତା ଘରେ ବିଉଟି ପାର୍ଲର କରିଥିଲେ । ସାଜିଦ ସହ ତାଙ୍କ ପରିବାରର ଭଲ ସମ୍ପର୍କ ଥିଲା । ମୃତକ ପିଲାଙ୍କ ଜେଜେମାଆ କହିବା ଅନୁସାରେ, ଅଭିଯୁକ୍ତ ସାଜିଦ ତାଙ୍କ ଘରକୁ ଅନେକ ସମୟରେ ଯିବାଆସିବା କରୁଥିଲା । ଘଟଣା ଦିନ ରାତି ୮ଟା ବେଳେ ମୁଣ୍ଡ ବିନ୍ଧୁଛି କହି ସେ ଘରକୁ ଆସିଥିଲା ଏବଂ ଚା' ମାଗିଥିଲା । ଆଉ ସ୍ତ୍ରୀର ଡେଲିଭରି ଥିବା କହି ସେ ବୋହୂ ସଙ୍ଗୀତାଙ୍କୁ ୫ ହଜାର ଟଙ୍କା ସାହାଯ୍ୟ ମାଗିଥିଲା ଏବଂ କାଲି ଫେରାଇ ଦେବ ବୋଲି କହିଥିଲା ।
ଏହି ସମୟରେ ୧୩ ବର୍ଷୀୟ ଆୟୁଷ ନିଜ ଦୁଇ ସାନ ଭାଇ ପୀୟୂଷ ଓ ଆହାନ ସହ ଛାତ ଉପରେ ଖେଳୁଥିଲା । ସାଜିଦ ଛାତକୁ ଯାଇ ପିଲମାନେ ଖେଳୁଥିବା ବେଳେ ଧାରୁଆ ଅସ୍ତ୍ରରେ ଜଣକ ପରେ ଜଣକୁ ହାଣି ପକାଇଥିଲା । ଏଥିରେ ଆୟୁଷ ଓ ଆହାନର ମୃତ୍ୟୁ ହୋଇଯାଇଥିବା ବେଳେ ସାନ ଭାଇ ପୀୟୁଷ ଗୁରୁତର ଆହତ ହୋଇଥିଲା । ଏହାଦେଖି ଜେଜେମାଆ ଚିତ୍କାର କରିବାରୁ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଥିଲା । ଏହି ଘଟଣା ପ୍ରଘଟ ହେବା ମାତ୍ରେ ଉତ୍ୟକ୍ତ ଲୋକମାନେ ଅଭିଯୁକ୍ତର ଦୋକାନ ଜାଳି ଦେଇଥିଲେ ।