ହାଇଦ୍ରାବାଦ: ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଉଦବେଗ ପ୍ରକାଶ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପାଇଁ ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ନିବେଦନ କରିଛନ୍ତି ।
ସୂଚନା ଅନୁସାରେ, ଚିକାଗୋରେ ରହୁଥିବା ହାଇଦ୍ରାବାଦ ଛାତ୍ର ମାଜାହିର ଅଲିଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ସେ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସାହାଯ୍ୟ ମାଗିଥିଲେ । ଚାରିଜଣ ଯୁବକ ଚିକାଗୋରେ ମାଜାହିର ଅଲିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ବିଦେଶରେ ରହୁଥିବା ରାଜ୍ୟ ଛାତ୍ରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ହେଲ୍ପ ଡେସ୍କ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।
ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି, "ହାଇଦ୍ରାବାଦ ଛାତ୍ର ମାଜାହିର ଅଲିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଖବର ମୋତେ ବିବ୍ରତ କରିଛି । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଶ୍ରେୟସ ରେଡ୍ଡିଙ୍କୁ ମଧ୍ୟ ହତ୍ଯା କରାଯାଇଥିଲା । ତେବେ ବିଦେଶରେ ରହୁଥିବା ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ପାଇଁ ମୁଁ ବୈଦେିକ ମନ୍ତ୍ରୀଙ୍କୁ ନିବେଦନ କରୁଛି । ତେବେ ବିଦେଶରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ତେଲେଙ୍ଗାନା ସରକାର ଏକ ହେଲ୍ସ ଡେସ୍କ ଖୋଲିବେ । ଯାହାଦ୍ବାରା ଆବଶ୍ୟକ ସମୟରେ ଛାତ୍ରମାନେ ସାହାଯ୍ୟ ମାଗିପାରିବେ । ମୁଁ ତେଲେଙ୍ଗାନାବାସୀଙ୍କୁ ଏହି ଆଶ୍ବାସନା ଦେଉଛି କି, ଆପଣ ବିଶ୍ବର ଯେଉଁ ସ୍ଥାନରେ ରହିଥିଲେ ସୁଦ୍ଧା କଂଗ୍ରେସ ସରକାର ଆପଣଙ୍କୁ ସାହାଯ୍ୟ କରିବ । "