ପାଟନା:ମାତ୍ର 35 ଟଙ୍କା ପାଇଁ ଶିକ୍ଷୟତ୍ରୀଙ୍କ ହାଇ ଭୋଲ୍ଟେଜ ଡ୍ରାମା । ଛାତ୍ରଛାତ୍ରୀଙ୍କୁ ଉପରେ ଅବିଶ୍ବାସ କରି କଲେ ସନ୍ଦେହ । ଶିକ୍ଷୟତ୍ରୀଙ୍କ ପର୍ସରୁ 35 ଟଙ୍କା ଚୋରି ହୋଇଯିବାରୁ 105 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଦୁର୍ଗା ମନ୍ଦିରରେ ଶପଥ କରାଇଥିବା ନେଇ ହୋଇଛି ଅଭିଯୋଗ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଏକ ସ୍କୁଲରେ ।
ଘଟଣା କ୍ରମ ଅନୁସାରେ, ଗତ 21 ଫେବୃୟାରୀରେ ବିହାରର ରଜୌନ ବ୍ଲକ ଅନ୍ତର୍ଗତ ଅସମାନିଚ ଗାଁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ସ୍କୁଲରେ ପହଞ୍ଚିବାର କିଛି ସମୟ ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପର୍ସରୁ 35 ଟଙ୍କା ଗାଏବ ହୋଇଯାଇଛି । ଏହାକୁ ନେଇ ଶିକ୍ଷୟିତ୍ରୀ ଜଣଙ୍କ ରାଗ ମୁଣ୍ଡକୁ ଚଢ଼ିଗଲା । ଶିକ୍ଷୟତ୍ରୀଙ୍କ ରାଗକୁ ଦେଖି ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଟଙ୍କା ବିଷୟରେ ପଚରାଉଚରା କରିଥିଲେ । କିନ୍ତୁ ପିଲାମାନେ ଶିକ୍ଷୟତ୍ରୀଙ୍କ ଟଙ୍କା ନେଇନଥିବା ସଫାସଫା ମନା କରିଦେଇଥିଲେ । ହେଲେ ଶିକ୍ଷୟତ୍ରୀଙ୍କ ଗୋଟିଏ ଜିଦ୍ ତାଙ୍କ ଟଙ୍କା କିଛି ପିଲା ହିଁ ଚୋରି କରିଛନ୍ତି ।
ଏହି ଘଟଣାକୁ ନେଇ ଶିକ୍ଷୟିତ୍ରୀ ଜଣଙ୍କ ସ୍କୁଲରେ ପଢ଼ୁଥିବା 105 ଜଣ ଛାତ୍ରଛାତ୍ରୀଙ୍କୁ ତନତନ୍ନ କରି ପକେଟ୍ ଯାଞ୍ଚ କରିଥଲେ । ହେଲେ ପିଲାଙ୍କ ପାଖରୁ ଟଙ୍କା ମିଳିନଥିଲା । ଏତିକିରେ ଶିକ୍ଷୟତ୍ରୀଙ୍କ ସନ୍ଦେହ କମି ନଥିଲା । ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ପାଖରେ ଥିବା ଦୁର୍ଗା ମନ୍ଦିରରେ ପହଞ୍ଚିଲେ, ଆଉ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଶପଥ କରାଇଲେ । ସେପଟେ ଯେତେବେଳେ ଏହି ଖବର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ କାନରେ ପଡ଼ିଲା ଅଭିଭାବକମାନେ ସ୍କୁଲରେ ପହଞ୍ଚି ହଙ୍ଗାମା ଆରମ୍ଭ କଲେ । ଯାହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ସ୍କୁଲ ପରିସରରେ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା ।