ଚେନ୍ନାଇ:ତାମିଲନାଡୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ରାଜ୍ୟ ସଭାପତି କେ ଆର୍ମଷ୍ଟ୍ରଙ୍ଗଙ୍କୁ ନିର୍ମମ ହତ୍ୟା କରିଛନ୍ତି ଏକାଧିକ ଅଜଣା ଆତତାୟୀ । ଗତକାଲି (ଶୁକ୍ରବାର) ବିଳମ୍ବିତ ସଂଧ୍ୟାରେ ତାଙ୍କୁ ତାଙ୍କ ବାସଭବନ ନିକଟରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । 6ଜଣ ଅଜଣା ଆତତାୟୀ ଏକାଧିକ ବାଇକରେ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ଆର୍ମଷ୍ଟ୍ରଙ୍ଗ ଗତକାଲି ବିଳମ୍ବିତ ଅପରାହ୍ନରେ ଚେନ୍ନାଇର ସେମ୍ବିୟୁମର ସ୍ଥିତ ବାସଭବନ ସମ୍ମୁଖରେ କିଛି ଦଳୀୟ କର୍ମୀଙ୍କ ସହ ଆଲୋଚନା କରୁଥିଲେ । 6ଜଣ ବାଇକ ଆରୋହୀ ଆତତାୟୀ ଆସି ମାରଣାସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରିବାର ସଦସ୍ୟ ଓ ସହଯୋଗୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି । ସ୍ଥାନୀୟ ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, ଏହା ରାଜନୈତିକ ଓ ଗ୍ୟାଙ୍ଗଓ୍ବାର ପରି ଘଟଣାରୁ ହୋଇଥାଇପାରେ ।