ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଲଢିନପାରନ୍ତି କଂଗ୍ରେସ ଭେଟେରାନ ସୋନିଆ ଗାନ୍ଧୀ । ସୋନିଆ ରାଜ୍ୟସଭାକୁ ମନୋନିତ ହେବା ସହ ତାଙ୍କ ପାରମ୍ପରିକ ସଂସଦୀୟ ଆସନ ଉତ୍ତର ପ୍ରଦେଶର ରାଏ ବରେଲିରୁ ଝିଅ ପ୍ରିୟଙ୍କା ପ୍ରତ୍ୟେକ୍ଷ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଥିବା ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସର ଏହି ହେଭିଓ୍ବେଟ ତଥା ପୂର୍ବତନ ଅଧ୍ୟକ୍ଷା ରାଜସ୍ଥାନର କୌଣସି ଆସନରୁ ଉଚ୍ଚସଦନକୁ ମନୋନିତ ହୋଇପାରନ୍ତି । ପ୍ରିୟଙ୍କା ପ୍ରଥମ ଥର ନିଜ ମା’ଙ୍କ ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
2019 ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ଉଭୟ ସୋନିଆ ଓ ରାହୁଲ ଗାନ୍ଧୀ ଲଢିଥିଲେ । ସୋନିଆ ନିଜ ପାରମ୍ପରିକ ଆସନରୁ କଡା ଟକ୍କର ମଧ୍ୟରେ ବିଜୟୀ ହୋଇଥିଲେ । ହେଲେ ରାହୁଲଙ୍କୁ ପରାଜିତ ହେବାକୁ ପଡିଥିଲା । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଠୀ ଆସନରେ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରଥିଲେ । ରାହୁଲ ସେଥର ଦୁଇଟି ଆସନରେ ନିର୍ବାଚନ ଲଢିଥିଲେ । କେରଳର ଓ୍ବାୟନାଡ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିତି ରାହୁଲ ଲୋକସଭାରେ ପହଞ୍ଚିଥିଲେ । ଚଳିତ ନିର୍ବାଚନରେ ରାହୁଲ ପୁଣି ଦକ୍ଷିଣରୁ ଲଢିବେ ନା ଆମେଠିରେ ଶକ୍ତି ପରୀକ୍ଷା ଦେବେ, ସେ ନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳୁନି ।
ହେଲେ ସୋନିଆ ଲୋକସଭା ନିର୍ବାଚନ ଲଢିବା ପରିବର୍ତ୍ତେ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ସୂତ୍ର କହୁଛି । ତେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି । କିଛି ବର୍ଷ ପୂର୍ବରୁ ରାଜନୀତିରେ ପ୍ରବେଶ କରିଥିଲେ ପ୍ରିୟଙ୍କା । ତାଙ୍କୁ ଦଳର ସାଧାରଣ ସମ୍ପାଦିକା ଦାୟିତ୍ବ ମିଳିଛି । ହେଲେ ଯଦି ପ୍ରିୟଙ୍କା ନିର୍ବାଚନୀ ମୈଦାନକୁ ଓହ୍ଲାନ୍ତି, ତେବେ ଏହା ତାଙ୍କର ପ୍ରଥମ ନିର୍ବାଚନ ହେବାକୁ ଯାଉଛି ।