ସିମଲା:କସ୍ମେଟିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଘଟଣାକୁ 24 ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା 5ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି(ଶୁକ୍ରବାର) ଡାକ୍ତରଖାନାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାରୀ ଟିମ ଆଜି(ଶନିବାର) ଆଉ 4ଟି ମୃତଦେହ ଉଦ୍ଧାର କରିଛନ୍ତି । ତେବେ ଏହି ଘଟଣାରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ୟାକ୍ଟ୍ରି ମାଲିକଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଏସଆଇଟ ତଦନ୍ତ କରାଯିବା ନେଇ ସୂଚନା ରହିଛି ।
24 ଘଣ୍ଟା ପରେ ବି ଲିଭିନି ନିଆଁ:ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ 1.30 ସମୟରେ, ହିମାଚଳ ପ୍ରଦେଶ ସୋଲନର ଶିଳ୍ପାଞ୍ଚଳର ବଦ୍ଦି ଝାଡମାଜରୀ ସ୍ଥିତ କସମେଟିକ ପ୍ରଡକ୍ଟ ଉତ୍ପାଦନ କରୁଥିବା ଏକ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । କାରଖାନାରେ ରାସାୟନିକ ପଦାର୍ଥ ରହିଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା । ଫଳରେ ହୁତୁହୁତୁ ହୋଇ ଜଳିଥିଲା କାରଖାନା । ତେବେ ନିଆଁ ଲାଗିବାକୁ 24 ଘଣ୍ଟା ବିତିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଆୟତ୍ତ କରିବାରେ ବିଫଳ ହୋଇଛନ୍ତି ଅଗ୍ନିଶମ ବାହିନୀ ।
ଏହା ମଧ୍ୟ ପଢନ୍ତୁ: କସ୍ମେଟିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ, 32 ଆହତ, 9 ନିଖୋଜ