ମୁମ୍ବାଇ:ଗତକାଲି ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି’ (ଏନସିପି) ଘୋଷଣା ସହ ଦଳୀୟ ଚିହ୍ନ ପ୍ରଦାନ କରିବା ପରେ ଆଜି ଶରଦ ପାଓ୍ବାରଙ୍କ ଗୋଷ୍ଠୀକୁ ନୂଆ ଦଳୀୟ ନାମ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ଏବେ ଶରଦଙ୍କ ଗୋଷ୍ଠୀ ‘ଏନସିପି-ଶରଦଚନ୍ଦ୍ର ପାଓ୍ବାର’ ଭାବେ ନାମିତ ହେବ । ଆଜି ଶରଦଙ୍କ ଗୋଷ୍ଠୀ ନୂଆ ନାମ ପାଇଥିବା ବେଳେ ନୂତନ ନିର୍ବାଚନୀ ସଙ୍କେତ ବା ‘ଚିହ୍ନ’ ନେଇ ଏବେବି ନିର୍ବାଚନ ଆୟୋଗ ସସପେନ୍ସ ବଜାୟ ରଖିଛନ୍ତି ।
ଗତକାଲି ଦଳର ମାନ୍ୟତା ସହ ଅଜିତ ଗୋଷ୍ଠୀ ଏନସିପିର ନିର୍ବାଚନୀ ଚିହ୍ନ ‘କାନ୍ଥ-ଘଣ୍ଟା’ ମଧ୍ୟ ପାଇଥିଲା । ତେବେ ଆଜି ସଂଧ୍ୟା ସୁଦ୍ଧା ଶରଦଙ୍କ ଗୋଷ୍ଠୀକୁ ତିନିଟି ବିକଳ୍ପ ପ୍ରସ୍ତାବିତ ନାମ ସୁପାରିଶ କରିବାକୁ ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା । ଶରଦଙ୍କ କ୍ୟାମ୍ପରୁ 3 ବିକଳ୍ପ ନାମ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ସେଥିମଧ୍ୟରୁ ଗୋଟିଏକୁ ଶରଦଙ୍କ ଗୋଷ୍ଠୀକୁ ଆୟୋଗ ପ୍ରଦାନ କରିଛନ୍ତି ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶରଦଙ୍କ ଗୋଷ୍ଠୀ ପ୍ରସ୍ତାବ ରଖିଥିବା ନାମ ମଧ୍ୟରେ ନ୍ୟାସଲିଷ୍ଟ କଂଗ୍ରେସ ପାର୍ଟି-ଏସ, ନ୍ୟାସାଲିଷ୍ଟ କଂଗ୍ରେସ ପାର୍ଟି କଂଗ୍ରେସ ପାର୍ଟି ଶରଦ ପାଓ୍ବାର ଓ ନ୍ୟାସଲିଷ୍ଟ କଂଗ୍ରେସ ପାର୍ଟି- ଶରଦଚନ୍ଦ୍ର ପାଓ୍ବାର ରଖିଥିଲା । ପାର୍ଟିର ବିକଳ୍ପ ନାମ ପ୍ରସ୍ତାବ ରଖିବା ପୂର୍ବରୁ ଶରଦ ପାଓ୍ବାର ନିଜ ଗୋଷ୍ଠୀର ନେତା ଓ ଆଇନଗତ ପରାମର୍ଶଦାତାଙ୍କ ସହ ଆଲୋଚନା କରିଥିଲେ । ଶେଷରେ ତୃତୀୟ ନାମଟିର ମୋହର ମାରିଛନ୍ତି ଆୟୋଗ । ଏନସିପିରେ ପୂର୍ବରୁ ମୋଟ 53 ବିଧାୟକ ଥିବା ବେଳେ ଏବେ 84 ବର୍ଷୀୟ ଶରଦଙ୍କ ଗୋଷ୍ଠୀରେ 12 ବିଧାୟକ ରହିଛନ୍ତି । ଅଜିତ ଗୋଷ୍ଠୀରେ 40ରୁ ଅଧିକ ବିଧାୟକ ଥିବା ଦାବି ହେଉଛି ।
ଗତକାଲି ଦଳର ମୂଳ ନାମ ଓ ନିର୍ବାଚନୀ ସଙ୍କେତ ଅଜିତଙ୍କ ଗୋଷ୍ଠୀକୁ ମିଳିବା ପରେ ଏହାକୁ ଶରଦ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ସଙ୍କେତ ମିଳିଥିଲା । ହେଲେ ଆଜି ସୁଦ୍ଧା ଶରଦଙ୍କ ଗୋଷ୍ଠୀ କୋର୍ଟରେ ମାମଲା ଦାଏର କରିନାହିଁ । ଏହା ପୂର୍ବରୁ ଆଜି ଅଜିତ ଗୋଷ୍ଠୀ ଆଗୁଆ କୋର୍ଟର ଦ୍ବାରସ୍ଥ ହୋଇ ଏକ କ୍ୟାଭେଟ ପିଟିସନ (caveat petition) ଦାଖଲ କରିଛି । ଆୟୋଗ ପ୍ରଦାନ କରିଥିବା ରାୟ ମାମଲାରେ କୌଣସି ରାୟ ପ୍ରଦାନ କରିବା ପୂର୍ବରୁ ଅଦାତଲ ତାଙ୍କ ଗୋଷ୍ଠୀର ପକ୍ଷ ମଧ୍ୟ ଶୁଣିବାକୁ ଅଜିତ ଗୋଷ୍ଠୀ ଆବେଦନରେ ଦର୍ଶାଇଛି ।