ବେଙ୍ଗାଲୁରୁ:ବେଙ୍ଗାଲୁରୁ ସିଟିରେ ଜଳ ସଙ୍କଟ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ସହରବାସୀ । ଖରା ଦିନ ଆରମ୍ଭରୁ ଜଳ କଷ୍ଟ ଭୋଗିଲେଣି ଲୋକେ । ସହରର ଭୂତଳ ଜଳ ସ୍ତର ଦିନକୁ ଦିନ ହ୍ରାସ ପାଉଛି ଏବଂ ବୋରୱେଲଗୁଡିକ ଶୁଖିଯାଉଛି । ଯାହା ଫଳରେ ଖରାଦିନରେ ଜଳ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଜଳ ଯୋଗାଣ ସଠିକ୍ ଭାବରେ କରାଯାଉନଥିବା ବେଳେ ଜଳ ପାଇଁ ହାହାକାର ସୃଷ୍ଟି ହୋଇଛି । ଗତ ଏକ ସପ୍ତାହ ହେଲା ଲୋକେ ଏହି ସମସ୍ୟା ଭୋଗୁଛନ୍ତି ।
ବେଙ୍ଗାଲୁରୁ ସମେତ ମହାଦେବପୁର, କେ.ଆର ପୁର, ଯଶବନ୍ତପୁର, ୟାଲାହଙ୍କା, ଦସାରାହଲ୍ଲୀ, ବଟାରାୟଣପୁର ନିର୍ବାଚନ ମଣ୍ଡଳୀର 110 ଗାଁର ବାସିନ୍ଦାଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଣ କରାଯାଉନାହିଁ । ମହାଦେବପୁର ନିର୍ବାଚନମଣ୍ଡଳୀରେ ଅଧିକ ଜଳ ସମସ୍ୟା ରହିଛି । ପ୍ରତ୍ୟେକ ୱାର୍ଡରେ ଜଳ ଅଭାବରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ ଠାରୁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ମଧ୍ୟ ଜଳ ମିଳୁନି । ଏହି ନିର୍ବାଚନମଣ୍ଡଳୀର ଭାରତୁର, ହାଗଦୁର ଏବଂ ଅନ୍ୟାନ୍ୟ ୱାର୍ଡରେ ବୋରୱେଲ ଗୁଡିକରେ ପାଣି ଶୁଖି ଯାଇଛି । ଏଠାରେ ଲୋକଙ୍କୁ ପାଣି ପାଇଁ ଟ୍ୟାଙ୍କର୍ ଉପରେ ନିର୍ଭର କରିବାକୁ ପଡୁଛି । ଜଳ ସମସ୍ୟାକୁ ନେଇ ଲୋକମାନେ ସ୍ଥାନୀୟ ପ୍ରତିନିଧୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ପାଣି ଟ୍ୟାଙ୍କର ବୁକ କଲେ ମଧ୍ୟ ତାହା ପହଞ୍ଚିବାକୁ ଏକ ସପ୍ତାହ ସମୟ ଲାଗୁଛି ।