ଶ୍ରୀନଗର:ଜାମ୍ମୁ- କାଶ୍ମୀରର ପୁଞ୍ଚରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ । ୫ ଯବାନ ଶହୀଦ, ୫ ଆହତ । ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଲାଇନ ଅଫ କଣ୍ଟ୍ରୋଲ (LoC) ନିକଟ ବାଲନୋଇରେ ବଡ ଧରଣର ଅଘଟଣ ଘଟିଛି । ସେନା ଗାଡି ଗଭୀର ଖାଇକୁ ଖସିପଡିବାରୁ ୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ୫ ଯବାନ ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା ଜାରି ରହିଛି ।
ସେନା ଗାଡି ଦୁର୍ଘଟଣା:
ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର ପୁଞ୍ଚରେ ସେନା ଗାଡି ଗଭୀର ଖାଇକୁ ଖସିପଡିବାରୁ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଦୁଃଖଦ ଘଟଣାକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଁଛି । ଏନେଇ ହ୍ୱାଇଟ ନାଇଟ କ୍ରପ୍ସର ମୁଖପାତ୍ର ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ଲେଖିଛନ୍ତି, "ପୁଞ୍ଚ ସେକ୍ଟରରେ ଅପରେସନାଲ ଡ୍ୟୁଟି ସମୟରେ ହୋଇଥିବା ଗାଡି ଦୁର୍ଘଟଣାରେ ଶହୀଦ ୫ ବୀର ଯବାନଙ୍କ ପାଇଁ ହ୍ୱାଇଟ ନାଇଟ କ୍ରପ୍ସ ଗଭୀର ଶୋକ ପ୍ରକାଶ କରୁଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତ ଯବାନମାନଙ୍କର ଚିକିତ୍ସା ଚାଲିଛି ।"
୫ ଯବାନ ଶହୀଦ:
ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ," ପୁଞ୍ଚ ଅଞ୍ଚଳରେ ଯବାନମାନଙ୍କ ଅପରେସନାଲ ଡ୍ୟୁଟି ସମୟରେ ଗଭୀର ଖାଇକୁ ଯବାନଙ୍କ ଗାଡି ଖସିପଡିଥିଲା । ଦୁର୍ଘଟଣା ଘଟିବାର ତୁରନ୍ତ ପରେ ସେଠାରେ ସ୍ଥାନୀୟ ପୋଲିସ ଓ ଭାରତୀୟ ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ କ୍ୟାମ୍ପକୁ ନିଆଯାଇ ସେଠାରେ ତାଙ୍କର ଚିକିତ୍ସା କରାଯାଇଛି । ଗାଡି ଡ୍ରାଇଭରଙ୍କୁ ମିଶାଇ ସେନା ଗାଡି ମଧ୍ୟରେ ୧୦ ଜଣ ଯବାନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରାଣ ହରାଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ପୂର୍ବରୁ ମଧ୍ୟ ପୁଞ୍ଚରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହେବାର ନଜିର ରହିଛି ।