ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟଙ୍କ ଛାଟ ପରେ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟ ବ୍ୟାଙ୍କ - SBI Sends Electoral Bonds Data

SBI Sends Electoral Bonds Data To Poll Panel: ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ । ଗତକାଲି ସମୟ ସୀମା ବୃଦ୍ଧି ଆବେଦନ ଖାରଜ କରିବା ସହ 24 ଘଣ୍ଟିଆ ମହଲତ ଦେଇଥିଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟଙ୍କ ଛାଟ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ ସୁପ୍ରିମକୋର୍ଟଙ୍କ ଛାଟ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ
ସୁପ୍ରିମକୋର୍ଟଙ୍କ ଛାଟ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ

By ETV Bharat Odisha Team

Published : Mar 12, 2024, 10:27 PM IST

ନୂଆଦିଲ୍ଲୀ: ଗତକାଲି ସୁପ୍ରିମକୋର୍ଟଙ୍କ ଛାଟ ପରେ ଷ୍ଟେଟ ବ୍ୟାଙ୍କ ଆଜି ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି । ଗତକାଲି ଶୁଣାଣିରେ ସର୍ବୋଚ୍ଚ କୋର୍ଟ ଷ୍ଟେଟବ୍ୟାଙ୍କର ଆବେଦନକୁ ଖାରଜ କରିବା ସହ 24 ଘଣ୍ଟା ମଧ୍ୟରେ ତଥ୍ୟ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି । ମାତ୍ର ନିର୍ବାଚନ କମିଶନ ଏହାକୁ ସାର୍ବଜନୀନ କରିନାହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ,ଏହି ତଥ୍ୟ ଆୟୋଗଙ୍କ ଅଫିସିଆଲ ଓ୍ବେବ-ସାଇଟରେ ଉପଲବ୍ଧ ହେବ । ସାଧାରଣ ଲୋକେ ଏହାକୁ ଦେଖିପାରିବେ । ତେବେ ଏହି ତଥ୍ୟକୁ ଖୁବଶୀଘ୍ର ଆୟୋଗ ଏହାର ଓ୍ବବସାଇଟରେ ଅପଲୋଡ କରିବ ।

ନିର୍ବାଚନୀ ବଣ୍ଡ ମାମଲାରେ ଫେବୃଆରୀ 15 ତାରିଖରେ ଶୁଣାଣି କରି ଐତିହାସିକ ରାୟ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ମୋଦି ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଏହି ଯୋଜନାର କାର୍ଯ୍ୟକାରିତା ଅସାମ୍ବିଧାନିକ ଓ ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବା ସହ 2019 ପରଠାରୁ କେତେ ସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି ସେ ସମ୍ପର୍କରେ ମାର୍ଚ୍ଚ 6 ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ଏହାକୁ ନେଇ ପରବର୍ତ୍ତୀ ସମୟରେ ପୁଣି କୋର୍ଟରେ ଦ୍ବାରସ୍ଥ ହୋଇଥିଲା ଷ୍ଟେଟବ୍ୟାଙ୍କ । ଏହି ସମୟ ସୀମାକୁ ଜୁନ 30 ତାରିଖକୁ ବୃଦ୍ଧି କରିବାକୁ ଷ୍ଟେଟବ୍ୟାଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଗତକାଲି ଏହି ଆବଦେନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ସହ ମାତ୍ର 24 ଘଣ୍ଟା (ଆଜି ସୁଦ୍ଧା) ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ଷ୍ଟେଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେଲେ ଷ୍ଟେଟବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ କୋର୍ଟ ।

ଏହା ମଧ୍ୟ ପଢ଼ନ୍ତୁ...ଷ୍ଟେଟବ୍ୟାଙ୍କକୁ ସୁପ୍ରିମ ଝଟକା: ସମୟ ସୀମା ବୃଦ୍ଧି ଆବେଦନ ଖାରଜ, ଆସନ୍ତାକାଲି ସୁଦ୍ଧା ନିର୍ବାଚନୀ ବଣ୍ଡ ତଥ୍ୟ ଦେବାକୁ ନିର୍ଦ୍ଦେଶ

ନିର୍ବାଚନୀ ବଣ୍ଡ କଣ ?

2018 ମସିହା ଜାନୁଆରୀ 2 ତାରିଖରେ କେନ୍ଦ୍ର ସରକାର ନିର୍ବାଚନୀ ବଣ୍ଡ ଯୋଜନା କାର୍ଯ୍ୟକାରୀ କରିଥିଲେ । ରାଜନୈତିକ ଚାନ୍ଦା ବା ଦାନ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ଏହି ବ୍ୟବସ୍ଥାର ଏକମାତ୍ର ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ ଯକ୍ତି ବଢାଯାଇଥିଲା । ଏହି ଯୋଜନାର ନିୟମ ଅନୁଯାୟୀ, ଦେଶର କୌଣସି ନାଗରିକ କିମ୍ବା ସଂସ୍ଥା ବ୍ୟାଙ୍କରୁ ବଣ୍ଡ କ୍ରୟ କରି ରାଜନୈତିକ ଦଳକୁ ଦାନ ଦେଇପାରିବେ । ହେଲେ ଏଥିରେ ସେମାନଙ୍କ ନାମ ଓ ଅନ୍ୟ ପରିଚୟ ଗୋପନ ରଖାଯିବାର ବ୍ୟବସ୍ଥା ଥିଲା । ତେବେ ଏହି ବଣ୍ଡ ସମସ୍ତ ବ୍ୟାଙ୍କ ପରିବର୍ତ୍ତେ କେବଳ ଷ୍ଟେଟବ୍ୟାଙ୍କରେ ଉପଲବ୍ଧ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ କୋର୍ଟ ଅସିଦ୍ଧ ମଧ୍ୟ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details