ଓଡିଶା

odisha

By ETV Bharat Odisha Team

Published : Apr 12, 2024, 9:25 PM IST

ETV Bharat / bharat

ରାହୁଲ, ଲାଲୁଙ୍କୁ ମୋଗଲ ବିଚାରଧାରୀ କହିଲେ ମୋଦି; ଜବାବ ରଖିଲେ ତେଜସ୍ବୀ - PM Modi Mughal Mindset statement

PM Modi Mutton statement: ବିରୋଧୀ ମହାମେଣ୍ଟକୁ ମୋଦିଙ୍କ ଟାର୍ଗେଟ । କହିଲେ ଶ୍ରାବଣ ମାସରେ ମଟନ ରୋଷେଇ କରି, ନବରାତ୍ରିରେ ମାଛ ଖାଇ ଇଣ୍ଡିଆ ମହାମେଣ୍ଟ ହିନ୍ଦୁଙ୍କ ଭାବମୂର୍ତ୍ତିକୁ ଆଘାତ ପହଞ୍ଚାଇଛନ୍ତି । ଅଧିକ ପଢନ୍ତୁ

PM Modi
PM Modi

ଶ୍ରୀନଗର/ପାଟନା:ଶ୍ରାବଣ ମାସରେ ମଟନ ରୋଷେଇ କରିବା ଓ ନବରାତ୍ରିରେ ମାଛ ଖାଇ ଇଣ୍ଡିଆ ମହାମେଣ୍ଟ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବମୂର୍ତ୍ତିକୁ ଆଘାତ ପହଞ୍ଚାଇଛି । ଜମ୍ମୁକାଶ୍ମୀର ଉଧମପୁରରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ମୋଦି ଏପରି ଢଙ୍ଗରେ ରାହୁଲ ଗାନ୍ଧୀ, ଲାଲୁ ପ୍ରସାଦ ଯାଦବ ଓ ପୁଅ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରିଥିଲେ । ଏହାସହିତ ଇଣ୍ଡିଆ ମହାମେଣ୍ଟ ମୋଗଲ ବିଚାରଧାରାରୁ ଅନୁପ୍ରାଣିତ ବୋଲି କହିଥିଲେ । ଏହାପରେ ତେଜସ୍ବୀ ମତ ରଖି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏପଟ ସେପଟ କଥା ନ କରି ପ୍ରସଙ୍ଗ ଭିତ୍ତିକ କଥାବାର୍ତ୍ତା କରନ୍ତୁ ।

ଗତ 2023 ସେପ୍ଟେମ୍ବର 2 ତାରିଖରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରକୁ ଯାଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ସେମାନେ ମଟନ ଭୋଜ କରିଥିଲେ । ୱାୟନାଡ ସାଂସଦ ରାହୁଲ ଏନେଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଥିଲେ । ମୋଦି ରାହୁଲଙ୍କ ଏହି ଯାତ୍ରାକୁ ଇଙ୍ଗିତ କରି ଏପରି ବୟାନ ରଖିଛନ୍ତି । ମୋଦି ଉଧମପୁରରେ ଜନସଭାକୁ ସମ୍ବୋଧିତ କରି କହିଥିଲେ, "ଦେଶର ଅଧିକାଂଶ ଲୋକଙ୍କ ସମ୍ପର୍କରେ ଇଣ୍ଡିଆ ମେଣ୍ଟ କି କଂଗ୍ରେସ ଚିନ୍ତା କରେ ନାହିଁ । ସେମାନେ ଲୋକଙ୍କ ଭାବନା ସହିତ ଖେଳିଥାନ୍ତି । ଜଣେ ଯିଏକି ବନ୍ଦୀ ଥିଲେ ଓ ଆଉ ଜଣେ ଯିଏକି ଜାମିନରେ ଅଛନ୍ତି..ସେମାନେ ଜଣେ ଅପରାଧୀ ଘରକୁ ଯାଇ ଶ୍ରାବଣ ମାସରେ ମଟନ ଖାଉଛନ୍ତି । ସେମାନେ ଏହାର ଭିଡିଓ ଉତ୍ତୋଳନ କରି ଲୋକଙ୍କୁ ଚିଡାଇବାକୁ ଚେଷ୍ଟା କରିଛନ୍ତି । ଏହା ସତ ଯେ ଜଣେ କଣ ଖାଇବ ତାର ନିଜସ୍ବ ବିଚାର । ହେଲେ ଏଠାରେ ବିରୋଧୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।"

ଏହା ବି ପଢନ୍ତୁ- ଭାରତକୁ ଶକ୍ତିହୀନ କରିବାକୁ ଚାହୁଁଛି ଇଣ୍ଡିଆ ମହାମେଣ୍ଟ: ପ୍ରଧାନମନ୍ତ୍ରୀ ମୋଦି

ମୋଦି କହିଛନ୍ତି, "ଆଇନ କେବେ ହେଲେ କାହାକୁ କୌଣସି ଜିନିଷ ଖାଇବା ଉପରେ ରୋକ ଲଗାଉନାହିଁ । ମୋଦି ମଧ୍ୟ ରୋକ ଲଗାଉନାହିଁ । ଯେତେବେଳେ ମୋଗଲମାନେ ଭାରତ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ସେମାନେ ମନ୍ଦିରକୁ ଭାଙ୍ଗିବାରେ ଲାଗିଥିଲେ । ଠିକ ସେହିପରି ମୋଗଲ ବିଚାରଧାରାଠୁ ଅନୁପ୍ରାଣିତ ହୋଇ ବିରୋଧୀ ଶ୍ରାବଣ ମାସରେ ମାଂସ ଭକ୍ଷଣ କରି ଦେଶବାସୀଙ୍କୁ ଚିଡାଇବାକୁ ଚାହୁଁଛନ୍ତି ।" ମୋଦି ତେଜସ୍ବୀ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଯେଉଁଠି ତେଜସ୍ବୀ ଏକ ହେଲିକପ୍ଟରରେ ବସି ମାଛ ଖାଉଥିବାର ଦେଖିବାକୁ ମିଲିଥିଲା । ଯେଉଁଥିରେ ତେଜସ୍ବୀ ଦେଖାଇବାକୁ ଚାହୁଁଥିଲେ ଯେ ନିର୍ବାଚନୀ ପ୍ରଚାର ମଧ୍ୟରେ ସେ ମାତ୍ର 10ରୁ 15 ମିନିଟ ମଧ୍ୟରେ ନିଜ ଖାଦ୍ୟ ଗ୍ରହଣ କରୁଛନ୍ତି । ଏଥିରେ ସେ ରୁଟି ସହିତ ମାଛ ଖାଉଥିବା ଦେଖିବାକୁ ମିଳିଥିଲା । ଏହାପରେ ମୋଦି କହିଛନ୍ତି, "ନବରାତ୍ରିରେ ତୁମେ ମାଂସ ଖାଉଛ । ଏଭଳି ଭିଡିଓ ଦେଖାଇ ତୁମେ କଣ ଦର୍ଶାଇବାକୁ ଚାହୁଁଛ ? ଏହା କେବଳ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇବା ।"

ତେଜସ୍ବୀ ରଖିଲେ ଜବାବ:-ମୋଦିଙ୍କ ଏଭଳି ବୟାନ ପରେ ତେଜସ୍ବୀ ଜବାର ରଖି କହିଛନ୍ତି, "ମୁଁ ଏଠାରେ ଚାକିରି, ନିଯୁକ୍ତି ବିଷୟରେ ଆଲୋଚନା କରୁଛି । ସେ ଏହା ଉପରେ ପ୍ରତିକ୍ରିୟା ରଖିନାହାନ୍ତି । ପ୍ରଧାନମନ୍ତ୍ରୀ ଲୋକଙ୍କୁ ଯାହା ଚାହିଁବେ କହିପାରିବେ, ହେଲେ ଲୋକେ ଶୁଣିବାକୁ ଚାହୁଁଛନ୍ତି ସେ କଣ ବିହାର ଲୋକଙ୍କ ପାଇଁ କରିଛନ୍ତି ? ଗତ 10 ବର୍ଷରେ ବିହାର ପାଇଁ ସେ କଣ କରିଛନ୍ତି କୁହନ୍ତୁ । ପ୍ରଧାନମନ୍ତ୍ରୀ ଏପଟ ସେପଟ କଥା ନ କହି, ପ୍ରସଙ୍ଗ ଭିତ୍ତିକ କଥା କରନ୍ତୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details