ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ଆଜି (ଶୁକ୍ରବାର) 2 ମାସ ପୁରିଛି । ଜାନୁଆରୀ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଜମାନୀରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ତେବେ ରାମ ଲାଲାଙ୍କ ଦର୍ଶନ କରିବା ପାଇଁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଥିବା ବେଳେ ଏହି ସଂଖ୍ୟା ରେକର୍ଡ ସୃଷ୍ଟି କରିଛି । 23 ଜାନୁଆରୀରୁ 21 ମାର୍ଚ୍ଚ ମଧ୍ୟରେ 1 କୋଟି 12 ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର ଆସିଥିବା ଜଣାପଡିଛି । ପର୍ଯ୍ୟଟନ ବିଭାଗର ସୂଚନା ଅନୁଯାୟୀ, ପ୍ରତିଦିନ 1 ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ରାମ ମନ୍ଦିରକୁ ଆସୁଛନ୍ତି । ତେବେ ମଙ୍ଗଳବାର, ଶନିବାର ଓ ରବିବାର ଦିନ ଅଧିକ ଭକ୍ତ ମନ୍ଦିର ଆସୁଥିବା ଦେଖିବାକୁ ମିଳୁଛି ।
ବର୍ଷକ ମଧ୍ୟରେ ଯେତିକି ଭକ୍ତ ଆସନ୍ତି, ମାତ୍ର 2 ମାସ ମଧ୍ୟରେ ଆସି ସାରିଲାଣି ତା ଠୁ ଅଧିକ ଭକ୍ତ: ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତ ବର୍ଷ ଅଯୋଧ୍ୟା ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ବହୁଗୁଣା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟନ ବିଭାଗର ଆକଳନ ଅନୁଯାୟୀ, 2017ରେ 1 କୋଟି 78 ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ଅଯୋଧ୍ୟା ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ 25 ହଜାର 141 ବିଦେଶୀ ପର୍ଯ୍ୟଟକ ସାମିଲ ଥିଲେ । ସେହିଭଳି 2018ରେ 1କୋଟି 95 ଲକ୍ଷ 34 ହଜାର 824 ଭାରତୀୟ ଓ 28 ହଜାର 335 ବିଦେଶୀ ନାଗରିକ ଅଯୋଧ୍ୟା ଆସିଥିଲେ । ଆଉମଧ୍ୟ 2019- 20ରେ କୋଭିଡ ଯୋଗୁଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁତ କମ ଦେଖିବାକୁ ମିଳିଥିଲା ।