ନୂଆଦିଲ୍ଲୀ:ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ କଂଗ୍ରେସର ବିବାଦୀୟ ବୟାନ ପରେ ତେଜିଛି ରାଜନୀତି । କଂଗ୍ରେସ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କ ଏଭଳି ଟିପ୍ପଣୀକୁ ଦୃଢ ସମାଲୋଚନା କରିଛି ବିଜେପି । ଅନ୍ୟପଟେ ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି ।ସଂସଦକୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି କୌଣସି ସମୟରେ କ୍ଳାନ୍ତ ହୋଇନଥିଲେ ଏବଂ କଂଗ୍ରେସ ନେତାଙ୍କ ମନ୍ତବ୍ୟ ଖରାପ, ଦୁର୍ଭାଗ୍ୟଜନକ ଏବଂ ଏହା ସମ୍ପୂର୍ଣ୍ଣ ପରିହାର ଯୋଗ୍ୟ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ।
ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ପଷ୍ଟୀକରଣ:
ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ," ରାଷ୍ଟ୍ରପତିଙ୍କ ସଂସଦରେ ସମ୍ବୋଧନ ଉପରେ କଂଗ୍ରେସର କିଛି ପ୍ରତିଷ୍ଠିତ ନେତାଙ୍କ ମନ୍ତବ୍ୟ ସ୍ପଷ୍ଟ ଭାବେ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦା କ୍ଷତି ପହଞ୍ଚାଉଛି, ତେଣୁ ଏହା ଗ୍ରହଣୀୟ ନୁହେଁ । ଏହି ନେତାମାନେ କହିଛନ୍ତି ଯେ, ରାଷ୍ଟ୍ରପତି ଶେଷ ଆଡକୁ ବହୁତ କ୍ଲାନ୍ତ ହୋଇଯାଇଥିଲେ ଓ ଯେଉଁଥିପାଇଁ ସେ କିଛି କଥା କହିପାରୁନଥିଲେ ।
ରାଷ୍ଟ୍ରପତି ଭବନ ଏହା ସ୍ପଷ୍ଟ କରିବାକୁ ଚାହେଁ, ସତ୍ୟ ଠାରୁ କିଛି ଦୂରରେ ରହିପାରିବ ନାହିଁ । ରାଷ୍ଟ୍ରପତି କୌଣସି ସମୟରେ ବି କ୍ଲାନ୍ତ ହୋଇନଥିଲେ । ବାସ୍ତବିକ ସେ ବିଶ୍ୱାସ କରନ୍ତି ଯେ, କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ, ମହିଳା ଓ କୃଷକଙ୍କ ବିଷୟରେ କିଛି କହିବାକୁ ସେ କେବେ କ୍ଲାନ୍ତ ହୋଇପାରିବେ ନାହିଁ ।
'ହିନ୍ଦୀ ଭାଷା ସହ ପରିଚିତ ନାହାନ୍ତି'
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହା ବିଶ୍ୱାସ କରୁଛି, ଏହି ନେତାମାନେ ହିନ୍ଦୀ ଭଳି ଭାରତୀୟ ଭାଷାର ବାକ୍ ପଦ୍ଧତି ତଥା ଭାଷଣ ସହିତ ପରିଚିତ ହୋଇନାହାନ୍ତି ଯେଉଁଥିପାଇଁ ଏଭଳି ଏକ ଭୁଲ ଭାବନା ସୃଷ୍ଟି ହୋଇଛି । ଯେ କୌଣସି ପରିସ୍ଥିତିରେ ଏଭଳି ମନ୍ତବ୍ୟ ଖରାପ, ଦୁର୍ଭାଗ୍ୟଜନକ ଓ ସମ୍ପୂର୍ଣ୍ଣ ପରିହାର ଯୋଗ୍ୟ ।