ଅଯୋଧ୍ୟା: ରାମମୟ ଅଯୋଧ୍ୟା । ରାମଙ୍କ ସ୍ୱାଗତରେ ରଙ୍ଗବେରଙ୍ଗର ଫୁଲ ଓ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା। 500 ବର୍ଷର ଅପେକ୍ଷାର ଅନ୍ତ ଘଟି ଶେଷରେ ରାମଲାଲା ବିରାଜମାନ କରିବାକୁ ଯାଉଛନ୍ତି । ଯାହାକୁ ନେଇ ପରିବେଶ ରାମନାମରେ ପ୍ରକମ୍ପିତ ହେଉଛି । ତେବେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଅନେକ ପୌରାଣିକ କଥା ରହିଛି । ସେହି କଥା ମଧ୍ୟରେ ପିତୃଭକ୍ତ ଶ୍ରୀରାମଙ୍କ 14 ବର୍ଷ ବନବାସ ଯିବା କାହାଣୀ ମଧ୍ୟ ରହିଛି । ତେବେ ଏଭଳି କିଛି କାହାଣୀ ରହିଛି ଯାହା କେବଳ ଅଯୋଧ୍ୟାରେ ହିଁ ସୀମିତ ରହିଛି । ରାମଙ୍କ ବନବାସ ବ୍ରତ କେବଳ ରାମ, ସୀତା ଓ ଲକ୍ଷ୍ମଣ ପାଳିନଥିଲେ । ବରଂ ଅଯୋଧ୍ୟାରେ କିନ୍ନର ଗୋଷ୍ଠୀର ପୂର୍ବଜମାନେ ମଧ୍ୟ ରାମଙ୍କ ସହ ପାଳିଥିଲେ ବନବାସ ବ୍ରତ । ଯାହା ଖୁବ କମ ଲୋକଙ୍କୁ ଜଣା ।
ଅଯୋଧ୍ୟା କିନ୍ନର ସମାଜ ସହ ପ୍ରଭୁ ଶ୍ରୀରାମଙ୍କ ମଧ୍ୟରେ ସମ୍ପର୍କ ଖୁବ କମ ଲୋକଙ୍କୁ ଜଣା । ଶ୍ରୀରାମଙ୍କ ଜଡିତ ଅନ୍ୟ ପୌରାଣିକ କାହାଣୀ ଭଳି ଏହି କାହାଣୀ ଲୋକଲୋଚନକୁ ଆସନଥିଲେ ମଧ୍ୟ ଏହି କାହାଣୀ ଅଯୋଧ୍ୟା କିନ୍ନର ଗୋଷ୍ଠୀଙ୍କ ମୁଖରେ ସବୁବେଳେ ଶୁଣିବାକୁ ମିଳିଥାଏ । ରାମଙ୍କ 14 ବର୍ଷ ବନବାସ ସମୟରେ ରାମ ଯେଭଳି ବଣରେ ଚଳିଥିଲେ ସେହିଭଳି କିନ୍ନରମାନଙ୍କ ପୂର୍ବଜମାନେ ମଧ୍ୟ ରହୁଥିଲେ ବୋଲି କହିଛନ୍ତି ।
ଅଯୋଧ୍ୟାରେ ସ୍ୱର୍ଗରୁ ଆସିଥିଲେ କିନ୍ନର:ଅଯୋଧ୍ୟାରେ କିନ୍ନର ସମାଜ ରହିଛି। ସେମାନଙ୍କ କହିବାନୁଯାୟୀ ସେମାନଙ୍କ ପୂର୍ବଜମାନେ ସ୍ୱର୍ଗରୁ ଆସିଛନ୍ତି । ରାଜା ଦଶରଥଙ୍କ ଘରେ ରାମଲାଲାଙ୍କ ଜନ୍ନ ହେବା ପରେ କିନ୍ନରମାନେ ସ୍ୱର୍ଗକୁ ଆସିଥିଲେ । ସେମାନେ ହିଁ ସର୍ବପ୍ରଥମେ ରାମଲାଲାଙ୍କୁ କୋଳରେ ଧରିଥିଲେ । କିନ୍ନରମାନଙ୍କ ଜନ୍ମ ହୋଇନି ବରଂ ସେମାନଙ୍କୁ ସ୍ବର୍ଗରୁ ଅଣାଯାଇଛି । ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ୱର ରୂପ ହିଁ କିନ୍ନର ସମାଜର ରୂପ ଅଟେ । ଅଯୋଧ୍ୟାରେ କିନ୍ନର ସମାଜର କହିବାନୁଯାୟୀ, ଶ୍ରୀରାମ ଯେତେବେଳେ ବନବାସ ଯାଉଥିଲେ ସେତେବେଳେ ତାଙ୍କ ସହ ସମସ୍ତେ ବନ ଯିବାକୁ ତାଙ୍କୁ ପଛେ ପଛେ ଆସିଥିଲେ । ରାମ ଏହି ସମୟରେ ସମସ୍ତ ନରନାରୀଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କିନ୍ନର ସମାଜ ନାଁ ନେଇନଥିଲେ । ଯାହାପରେ କିନ୍ନର ସମାଜ ଶ୍ରୀରାମଙ୍କ ଫେରିବା ନେଇ 14 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ।