ଓଡିଶା

odisha

ETV Bharat / bharat

ଷ୍ଟେସନରେ ମହାପ୍ରସାଦ ବିକ୍ରି ପ୍ରସ୍ତାବ ଦେଲେ ପୁରୀ ସାଂସଦ, ସେବାୟତଙ୍କ ନାପସନ୍ଦ - LORD JAGANNATH DRY PRASAD

ସଂସଦରେ ଉଠିଲା ଶ୍ରୀମନ୍ଦିର ଭୋଗ ବିକ୍ରି ପ୍ରସଙ୍ଗ । ରେଳଷ୍ଟେସନରେ ଶୁଖିଲା ପ୍ରସାଦ କେନ୍ଦ୍ରର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଲେ ପୁରୀ ସାଂସଦ । ସେପଟେ ଏହାକୁ ନା ପସନ୍ଦ କରିଛନ୍ତି ସେବାୟତ

PURI MP SAMBIT PATRA
PURI MP SAMBIT PATRA (ETV Bharat Odisha)

By ETV Bharat Odisha Team

Published : Dec 11, 2024, 4:18 PM IST

Updated : Dec 11, 2024, 10:36 PM IST

ଭୁବନେଶ୍ବର/ପୁରୀ:ସଂସଦରେ ଉଠିଲା ପୁରୀ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବିକ୍ରି ପ୍ରସଙ୍ଗ । ଆଜି(ବୁଧବାର) ଲୋକସଭାରେ ଉଠିଛି ଶ୍ରୀମନ୍ଦିର ଶୁଖିଲି ଭୋଗ ବିକ୍ରି ପ୍ରସଙ୍ଗ । ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ମହାପ୍ରସାଦ ସମ୍ପର୍କରେ ସଂସଦରେ ଆଲୋଚନା କରିବା ସହ ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନରେ ମନ୍ଦିର ପ୍ରଶାସନ ତରଫରୁ ହେଉ ଭକ୍ତଙ୍କ ପାଇଁ ଶୁଖିଲି ପ୍ରସାଦ କେନ୍ଦ୍ରର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଷ୍ଟେସନରେ ମହାପ୍ରସାଦ ବିକ୍ରି ପ୍ରସ୍ତାବକୁ ଗ୍ରହଣ କଲେନି ସେବାୟତ ।

ପ୍ରସ୍ତାବ ଦେଲେ ସମ୍ବିତ:

କୋଟି ପ୍ରାଣର ଆହ୍ଲାଦ ମହାପ୍ରଭୁ ଜଗନ୍ନାଥ । କିଏ କେଉଁଠି ବି ଥିଲେ ଧାଇଁ ଆସନ୍ତି ଜଗନ୍ନାଥ ଧାମ ପୁରୀକୁ । ମହାପ୍ରଭୁଙ୍କ ଦର୍ଶନ କରି ମହାପ୍ରସାଦ ପାଇଲେ କୋଟି ଜନ୍ମର ପୂଣ୍ୟ ମିଳେ ବିଶ୍ବାସ ରହିଛି । ସେଥିପାଇଁ ତ ଚାରିଧାମରୁ ଶ୍ରେଷ୍ଠ ଧାମ ଜଗନ୍ନାଥ ଧାମକୁ ପ୍ରତିଦିନ ଛୁଟେ ଲକ୍ଷାଧିକ ଭକ୍ତଙ୍କ ସୁଅ । ମହାପ୍ରଭୁଙ୍କ ଦର୍ଶନ ହେଉ ଅବା ମହାପ୍ରସାଦ, ଶୁଖିଲା ଭୋଗ ପାଇବାକୁ ଚାତକ ଭଳି ଚାହିଁ ରହିଥାନ୍ତି ଭକ୍ତ । ତେଣୁ ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ଓଡ଼ିଶାର ପ୍ରମୁଖ ରେଳଷ୍ଟେସନ ଗୁଡିକରେ ଶୁଖିଲା ପ୍ରସାଦ କେନ୍ଦ୍ରର ବ୍ୟବସ୍ଥା କରିବାକୁ ଆଜି ସଂସଦରେ ରେଳମନ୍ତ୍ରୀଙ୍କ ଆକର୍ଷଣ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ।

ସେବାୟତଙ୍କ ନାପସନ୍ଦ (ETV Bharat Odisha)

‘ରେଳଷ୍ଟେସନରେ ହେଉ ଶୁଖିଲା ପ୍ରସାଦ ଉପଲବ୍ଧ’:

ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଆଜି ସଂସଦରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି । ସମ୍ବିତ ପାତ୍ର ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଶ୍ରୀ ଗଜପତି ମହାରାଜା, ଏବଂ ମୁକ୍ତି ମଣ୍ଡପ ସହିତ ଚର୍ଚ୍ଚା କରି ଭକ୍ତମାନଙ୍କ ପାଇଁ ଶୁଖିଲା ପ୍ରସାଦ ଉପଲବ୍ଧ କରିବାର କେନ୍ଦ୍ର ଖୋଲିବାର ପ୍ରସ୍ତାବ ଦେଇଛନ୍ତି ।

ଭକ୍ତଙ୍କ ଅନେକ ଅସୁବିଧା ଦୂର ହେବ:

ସମ୍ବିତ ପାତ୍ର ଏହି ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପ୍ରତ୍ୟେକ ଭକ୍ତଙ୍କର ଆଶା ଓ ଭାବନା ରହେ ଯେ ସେ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ନିଜ ଘରକୁ ନେଇଯାଉ । କିନ୍ତୁ, ବର୍ତ୍ତମାନର ଭିଡ଼ ଓ ପରିସ୍ଥିତି ଯୋଗୁଁ ଏହା ସମ୍ପୂର୍ଣ୍ଣ ଭାବେ ସମ୍ଭବ ହୋଇପାରୁନାହିଁ । ଯଦି ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନରେ ମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କ ସହଯୋଗରେ ଏକ ସୁବ୍ୟବସ୍ଥିତ କେନ୍ଦ୍ର ଖୋଲି ଭକ୍ତମାନଙ୍କ ପାଇଁ ଶୁଖିଲା ପ୍ରସାଦ ଉପଲବ୍ଧ କରାଯାଏ, ତେବେ ଏହା ଭକ୍ତମାନଙ୍କ ଅନେକ ଅସୁବିଧା ଦୂର ହେବ ।’



ଏହି ପ୍ରସ୍ତାବ ଦ୍ବାରା ଜଗନ୍ନାଥ ଭକ୍ତମାନଙ୍କ ପାଇଁ ନୂଆ ସୁବିଧା ଉପଲବ୍ଧ ହେବ । ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଶ୍ରଦ୍ଧା ଏବଂ ଭକ୍ତିର ଅଭିବ୍ୟକ୍ତି ହେବ। ସେମାନେ ନିଜ ଘରକୁ ସୁବିଧାରେ ଶ୍ରୀଜଗନ୍ନାଥଙ୍କ ପବିତ୍ର ପ୍ରସାଦ ନେଇ ଯାଇ ପାରିବା ସହ ମାନସିକ ସନ୍ତୋଷ ଅନୁଭବ କରିପାରିବେ । ଏହି ଅଭିନବ ପଦକ୍ଷେପ ଫଳରେ ମନ୍ଦିରର ପରମ୍ପରା ଓ ଭକ୍ତମାନଙ୍କ ଭକ୍ତିକୁ ଏକ ନୂଆ ଦିଗ ମିଳିବ ଓ ଜଗତ କଲ୍ୟାଣ ହେବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ଲୁହା କଡ଼େଇରେ ମହାପ୍ରସାଦ ରନ୍ଧାଯିବା ଘଟଣା, ମହାପ୍ରଭୁଙ୍କ ସେବାରୁ 3 ସୁପକାର ନିଲମ୍ବିତ - MAHAPRASAD PREPARATION IN IRON PANS

ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଉଛି କି ହାନିକାରକ ଘିଅ ? ଖଣ୍ଡନ କଲା ମହାସୁଆର ନିଯୋଗ - specified company ghee using Khaja

ବିଧାନସଭାରେ ମହାପ୍ରସାଦ ଦର ହ୍ରାସ ପ୍ରସଙ୍ଗ:

ମହାପ୍ରସାଦର ଦର ହ୍ରାସ ନେଇ ଗୃହରେ ଦାବି କଲେ ବିଜେଡି ବିଧାୟକ ସୁନିଲ ମହାନ୍ତି । ବିଧାନସଭାରେ ବିଜେଡି ବିଧାୟକ ସୁନିଲ ମହାନ୍ତି କହିଛନ୍ତି, ଓମ୍ଫେଡ ଘିଅ ବ୍ୟବହାର ପାଇଁ ମନ୍ଦିରରେ ନିର୍ଦ୍ଦେଶ ଯାଇଛି । କିନ୍ତୁ ତାର ଦାମ ବହୁତ୍ । ଯାହା ଅଭଡ଼ା ପ୍ରସ୍ତୁତରେ ପ୍ରଭାବ ପକାଉଛି । ମହାସୁଆରଙ୍କ ସହ ଆଲୋଚନା କରି ତାଙ୍କୁ ସବସିଡ ଜରିଆରେ ଘିଅ ଯୋଗାଇଦେବାର ଆବଶ୍ୟକ ରହିଛି । ଯେହେତୁ ମହାପ୍ରଭୁଙ୍କ ଦର୍ଶନର ଭକ୍ତ ମାନେ ଗଲେ ପୁଣ୍ୟ ପ୍ରାପ୍ତି ପାଇଁ ସେମାନେ ମହାପ୍ରଭୁଙ୍କର ମହାପ୍ରସାଦ ସେବନ କରିଥାନ୍ତି କିନ୍ତୁ ଦର୍ ବୃଦ୍ଧି ଏବେ ସେଥିରେ ବାଧା ଉପୁଜୁଛି। ତେଣୁ ଶ୍ରୀ ମନ୍ଦିର ପାଇଁ ଗୃହ କମିଟି ରହିଛି ତାହାର ଏକ ବୈଠକ କରି ମହାପ୍ରସାଦ ଉପରେ ଆଲୋଚନା ଖୁବ୍ ଶୀଘ୍ର କରିବା ପାଇଁ ମୁଁ ଦାବି କରୁଛି। ସାମ୍ପ୍ରତିକ ସ୍ଥିତିରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପାଉଛି । ମହାପ୍ରସାଦର ମୂଲ୍ୟ ମଧ୍ୟ ବଢିଛି ।

ଶ୍ରୀମନ୍ଦିର ଛଡା ବାହାରେ ମହାପ୍ରସାଦ ବିକ୍ରି ଗ୍ରହଣୀୟ ନୁହେଁ:

ସମ୍ବିତଙ୍କ ପ୍ରସ୍ତାବକୁ ଗ୍ରହଣ କଲେନି ସେବାୟତ । ମହାପ୍ରସାଦ ଅତ୍ୟନ୍ତ ପବିତ୍ର । ଏହା ଶ୍ରୀମନ୍ଦିର ଛଡା ଅନ୍ୟ କୌଣସି ସ୍ଥାନରେ ବିକ୍ରି ହୋଇ ପାରିବ ନାହିଁ ବୋଲି ସେବାୟତ ମତ ରଖିଛନ୍ତି । ରେଳୱେ ଷ୍ଟେସନରେ ଆମିଷ, ପିଆଜ ରସୁଣ ଖାଦ୍ୟ ବିକ୍ରି ହେଉଥିବା ବେଳେ ସେଠାରେ ମହାପ୍ରସାଦ ବିକ୍ରି ଠିକ୍ ହେବ ନାହିଁ । ଲୋକ ମାନେ ମହାପ୍ରସାଦ ନେବା ବେଳେ ଆମିଷ, ପିଆଜ ରସୁଣ ଖାଦ୍ୟ ଖାଇ ମହାପ୍ରସାଦକୁ ନେବେ । ଏହା ମହାପ୍ରସାଦ ପାଇଁ ଅପମାନ ହେବ। ସେପଟେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ କହିଛି ଏଭଳି ପ୍ରସ୍ତାବ ଆସିଲେ ଆମେ ପ୍ରଥମେ ଆମ ସୁଆର ମହାସୁଆର ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ, ଛତିଶା ନିଯୋଗ ସହ ଆଲୋଚନା କରି ଯାହା ସର୍ବ ସମ୍ମତି ନିଷ୍ପତ୍ତି ହେବ ତାହାକୁ ଆମେ ମାନିବୁ।

ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ (ETV Bharat Odisha)

ଶ୍ରୀମନ୍ଦିରର ବରିଷ୍ଠ ସେବାୟତହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ରେଳୱେ ଷ୍ଟେସନରେ କୌଣସି ନୀତି ନିୟମ ନାହିଁ । ଲୋକ ମାନେ ଆମିଷ, ପିଆଜ ରସୁଣ ଖାଦ୍ୟ ଖାଇ ମହାପ୍ରସାଦ ନେବେ । ଏହା ଦ୍ବାରା ମହାପ୍ରସାଦର ଅପମାନ ହେବ । ମହାପ୍ରସାଦର ପବିତ୍ରତା ରହିବ ନାହିଁ। ଶୁଖିଲା ମହାପ୍ରସାଦ କେବଳ ଶ୍ରୀମନ୍ଦିର ଭିତରେ ବିକ୍ରି ହୋଇ ପାରିବ । ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ବିକ୍ରୟ ହେବା ତାହାର ମହତ୍ତ୍ଵ ଅଲଗା । ଷ୍ଟେସନରେ ମହାପ୍ରସାଦ ସଠିକ୍ ଢଙ୍ଗରେ ବିକ୍ରି ନେଇ ରେଳୱେ ଦାୟିତ୍ଵ ନେଇ ପାରିବ ନାହିଁ । ଷ୍ଟେସନରେ ମହାପ୍ରସାଦ ବିକ୍ରି ସମ୍ପୂର୍ଣ୍ଣ ଭୁଲ କଥା। ଯେଉଁ ଭକ୍ତ ଚାହିଁବେ ଶ୍ରୀ ମନ୍ଦିର ଆସି ମହାପ୍ରସାଦ ନିଅନ୍ତୁ । ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବା କେବଳ ଅନୁଭବି ହିଁ ଜାଣିଛି କେତେ ଶାନ୍ତି ଓ ତୃପ୍ତି ମିଳିଥାଏ । ତେବେ ରେଳୱେ ଷ୍ଟେସନରେ ଶୁଖିଲା ମହାପ୍ରସାଦ ବିକ୍ରି ହେଲେ ଆଗାମୀ ଦିନରେ ବଡ ଘୋଟଲା ହେବ। ଭଲକି ଭାବି ଚିନ୍ତି ଏହି ପଦକ୍ଷେପ ନିଆଯାଉ । ନ ହେଲେ ଆଗାମୀ ଦିନ ବଡ ସମସ୍ୟା ଏହାକୁ ନେଇ ସୃଷ୍ଟି ହେବ । ତେବେ ପୁରୀ ସାଂସଦ ଭାବ ବିହ୍ଵଳିତ ହୋଇ ଏହି କଥା ଉଠାଇଛନ୍ତି । ଏନେଇ ସେବାୟତଙ୍କ ସହ ଆଲୋଚନାର ଆବଶ୍ୟକତା ନାହିଁ। ଶ୍ରୀ ନ୍ଦିର ବାହାରେ ମହାପ୍ରସାଦ ବିକ୍ରି ହୋଇ ପାରିବନାହିଁ। ଯାହାର ଆବଶ୍ୟକତା ରହିଛି ସେମାନେ ଶ୍ରୀମନ୍ଦିର ଆସି ମହାପ୍ରସାଦ କିଣନ୍ତୁ।’

ନାରାୟଣ ମହାସୁଆର (ETV Bharat Odisha)

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସହ ସଂପାଦକନାରାୟଣ ମହାସୁଆର ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ରେଳୱେ ଷ୍ଟେସନରେ ଶୁଖିଲି ମହାପ୍ରସାଦ ଖଜା ବିକ୍ରି ପାଇଁ କିଛି ପ୍ରସ୍ତାବ ଆସିଲେ ଏହି ପ୍ରସଙ୍ଗକୁ ଆମେ ଆମ ସୁଆର ମହସୁଆର ନିଯୋଗରେ ଆଲୋଚନା କରିବୁ । ଏହା ଏକ ବଡ ଗୁରୁତ୍ବପୂର୍ଣ୍ଣ ବିଷୟ । ଏ ବିଷୟରେ ଶ୍ରୀ ମନ୍ଦିର ମୂଖ୍ୟ ପ୍ରଶାସକ ଓ ଶ୍ରୀ ମନ୍ଦିର ଛତିଶା ନିଯୋଗ ସହିତ ଆଲୋଚନା କରିବୁ । ଆଲୋଚନା ପରେ ଖଜା ମହାପ୍ରସାଦ ବିକ୍ରି ହୋଇ ପାରିବ କି ନାହିଁ ନିଷ୍ପତ୍ତି ହେବ । ଏହାକୁ ନେଇ ସମସ୍ତେ ରାଜି ହେଲେ ଏହା ସମ୍ଭବ ହୋଇ ପାରିବ । କିନ୍ତୁ ଗତ କିଛି ବର୍ଷ ପୂର୍ବେ ଖୁଖିଲି ଭୋଗ ଖଜା, ସିରି କପଡା, ବାନା, ନିର୍ମାଲ୍ୟ ପୁରୀ ରେଲୱେ ଷ୍ଟେସନରେ ଭକ୍ତଙ୍କ ପାଇଁ ବିକ୍ରି ହେଉଥିଲା । ଭୁବନେଶ୍ବର ଏୟାରପୋର୍ଟରେ ମଧ୍ୟ ବିକ୍ରିର ବ୍ୟବସ୍ଥା ଥିଲା । କିଛି ଦିନ ପରେ ଏହା ବନ୍ଦ ହୋଇଗଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ଯୋଗାଇ ଦିଆଯାଉଥିଲା। ଯଦି ସୁଖିଲି ମହାପ୍ରସାଦ ବିକ୍ରି ପାଇଁ ପ୍ରସ୍ତାବ ଆସେ ତେବେ ପୁରୀ ରେଲୱେ ଷ୍ଟେସନ ଓ ଭୁବନେଶ୍ବର ଏୟାରପୋର୍ଟ ଭଲ ସ୍ଥାନ ହେବ। ଏହି ଦୁଇ ସ୍ଥାନ ଛଡା ଅନ୍ୟ ସ୍ଥାନରେ ବିକ୍ରି ଠିକ୍ ହେବ ନାହିଁ ।’

ବିକ୍ରି ପାଇଁ ଉଚିତ୍‌ ସ୍ଥାନ ରହିବା ଆବଶ୍ୟକ:

ସେ ଆହୁରି କହିଛନ୍ତି, ‘ତେବେ ରେଲୱେ ଷ୍ଟେସନରେ ମହାପ୍ରସାଦ ବିକ୍ରି ପାଇଁ ସ୍ବତନ୍ତ୍ର ସ୍ଥାନ ରହିବା ଉଚିତ୍ । ରେଳୱେ ଷ୍ଟେସନରେ ଆମିଷ ଠାରୁ ଆରମ୍ଭ କରି ପିଆଜ, ରସୁଣ ଖାଦ୍ୟ ଜିନିଷ ବିକ୍ରି ହେବା ସହ ଯାତ୍ରୀ ମାନେ ଖାଉଛନ୍ତି । ଏହା ମହାପ୍ରସାଦ ବିକ୍ରି ସ୍ଥାନରେ ଯେଭଳି ଅନ୍ୟ କିଛି ବ୍ୟତିକ୍ରମ ଅବା ଦୋକାନ ନ ଖୋଲିବା ଦରକାର୍ । ମହାପ୍ରସାଦର ସ୍ଵତନ୍ତ୍ର ଗାରିମା ରହିଛି । ଷ୍ଟେସନ ଭିତରେ ଏହା ଯେଭଳି କ୍ଷୁର୍ଣ୍ଣ ନ ହୁଏ ରେଳୱେ ଦାୟିତ୍ଵ ନେବା ଉଚିତ୍। ଭୁବନେଶ୍ଵର ଏୟାରପୋର୍ଟରେ ମଧ୍ୟ ଅନୁରୂପ ବ୍ୟବସ୍ଥା ହେବା ଉଚିତ୍ । ତେବେ ଭୁବନେଶ୍ବର ଏୟାରପୋର୍ଟରେ ଶୁଖିଲା ମହାପ୍ରସାଦ ଖଜା ଭକ୍ତଙ୍କ ପାଇଁ ବିକ୍ରି ପାଇଁ ମୁଁ ଅନେକ ଥର କହିଛି । କାରଣ ଅନେକ ଭକ୍ତ ଏହି ବ୍ୟବସ୍ଥା ପାଇଁ ଆମକୁ କହୁଛନ୍ତି ।’

ସେ ଆହୁରି କହିଛନ୍ତି, ତେବେ ପୁରୀ ଓ ଭୁବନେଶ୍ଵର ଛଡା ଅନ୍ୟ ରେଳୱେ ଷ୍ଟେସନରେ ମହାପ୍ରସାଦ ବିକ୍ରି ହେଲେ ଏହା ସଠିକ୍ ଢଙ୍ଗରେ ବିକ୍ରି ହେଉଛି କି ନାହିଁ ତାହା ଯାଞ୍ଚ କରିବ କିଏ ? ଏହା ମୋର ବ୍ୟକ୍ତିଗତ ମତ । ଶୁଖିଲା ମହାପ୍ରସାଦ ନାମରେ କିଏ ଯଦି ଅନ୍ୟ କୌଣସି ଜିନିଷ ବିକ୍ରି କରିବେ ଏହାକୁ ଯାଞ୍ଚ କିଏ କରିବ ? ଏଣୁ ପୁରୀ ଓ ଭୁବନେଶ୍ଵର ରେଳୱେ ଷ୍ଟେସନରେ ଶୁଖିଲା ମହାପ୍ରସାଦ ବିକ୍ରି ପାଇଁ ରେଳୱେ ସ୍ଵତନ୍ତ୍ର ବ୍ୟବସ୍ଥା କଲେ ଭଲ ହେବ । ତେବେ ରେଲୱେ ଷ୍ଟେସନରେ ମହାପ୍ରସାଦ ବିକ୍ରି ସ୍ଥାନରେ ରେଳୱେ ପକ୍ଷରୁ ସୂପକାର ପିଲାଙ୍କୁ ନିଯୁକ୍ତି ଦିଆଯାଉ । ଏହା ଦ୍ବାରା ସଠିକ୍ ଢଙ୍ଗ ମହାପ୍ରସାଦର ପବିତ୍ରତା ରକ୍ଷା କରାଯାଇ ଭକ୍ତଙ୍କୁ ବିକ୍ରି କରାଯାଇପାରିବ । ଅନେକ ଆମର ସୂପକାର ସେବକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାକିରି କରିଛନ୍ତି । ଅନେକ ଶିକ୍ଷିତ ଯୁବକ ମଧ୍ୟ ଆମର ଅଛନ୍ତି । ସେମାନଙ୍କୁ ରେଳୱେ ନିଯୁକ୍ତି ଦେଇ ତାଙ୍କ ତତ୍ତ୍ବାବଧାନରେ ଶୁଖିଲା ମହାପ୍ରସାଦ ବିକ୍ରି ହେଲେ ଭଲ ବ୍ୟବସ୍ଥା ହୋଇ ପାରିବ।

ଇଟିଭି ଭାରତ, ଭୁବନେଶ୍ବର ଓ ପୁରୀ

Last Updated : Dec 11, 2024, 10:36 PM IST

ABOUT THE AUTHOR

...view details