ମୁମ୍ବାଇ:ରାମଲୀଳା ନାଟକରେ ହିନ୍ଦୁ ସମ୍ପ୍ରଦାୟର ଧାର୍ମିକ ଭାବନାକୁ କୁଠାରଘାତ । ମଞ୍ଚରେ ଧୂମ୍ରପାନ କଲେ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା କଳାକାର । ସିଗାରେଟ୍ ଟାଣିବା ସହ ନାନା ଅସଭ୍ୟ ଭାଷା ପ୍ରୟୋଗ କଲେ । ମହାରାଷ୍ଟ୍ରର ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ବବିଦ୍ୟାଳୟରେ ଏହି ନାଟକ ଆୟୋଜିତ ହୋଇଥିଲା । ଏଥିରେ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା କଳାକାର ଧୂମ୍ରପାନ କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସମେତ ୬ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି । ନାଟକ ଜରିଆରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ସମସ୍ତେ ଗିରଫ ହୋଇଛନ୍ତି ।
ପୁଣେ ବିଶ୍ବବିଦ୍ୟାଳୟର ଏହି ରାମଲୀଲା ନାଟକର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏଥିରେ ଅନେକ ଆପତ୍ତିଜନକ ଦୃଶ୍ୟ ଓ ସଂଳାପ ଦେଖିବାକୁ ମିଳୁଛି । ଭିଡିଓରେ ଦେଖାଯାଇଛି, ମଞ୍ଚରେ ସୀତା ଚରିତ୍ରରେ ଜଣେ ପୁରୁଷ ଅଭିନୟ କରୁଛନ୍ତି । ସେ ସିଗାରେଟ୍ ଟାଣୁଛନ୍ତି ଏବଂ ନାନା ଆଶାଳୀନ ଭାଷାର ବ୍ୟବହାର କରୁଛନ୍ତି । ଗତ ଶୁକ୍ରବାର ରାତିରେ ଏହି ନାଟକ ପରିବେଷଣ ହୋଇଥିଲା । ନାଟକରେ ଏଭଳି ବିବାଦୀୟ ଦୃଶ୍ୟ ଦେଖି ଏବିଭିପି ଛାତ୍ରମାନେ ତାତି ଯାଇଥିଲେ । ଏହାକୁ ବିରୋଧ କରିବାରୁ ପୁଣେ ବିଶ୍ବବିଦ୍ୟାଳୟର ଲଳିତ କେନ୍ଦ୍ର ଛାତ୍ର ଏବଂ ଏବିଭିପି ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।