ନୂଆଦିଲ୍ଲୀ:ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଚୌଧୁରୀ ଚରଣ ସିଂ, ସବୁଜ ବିପ୍ଳବର ଜନକ ଏମ୍ ଏସ. ସ୍ୱାମୀନାଥନ, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ଭାରତ ରତ୍ନରେ ଆଜି ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କୀୟ ଏହି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇଛନ୍ତି ।
ଚଳିତ ବର୍ଷ ଆରମ୍ଭରୁ ଜାନୁଆରୀ 23 ତାରିଖରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଥିଲା । ଫେବୃଆରୀ 3 ତାରିଖରେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ପ୍ରଦା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ପରେ ଫେବୃଆରୀ 9 ତାରିଖରେ ନରସିଂହରାଓ, ଚରଣ ସିଂହ ଏବଂ ସ୍ବାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ମଧ୍ୟ ପଢନ୍ତୁ-ଆଉ 3 ଜଣଙ୍କୁ 'ଭାରତ ରତ୍ନ': ନରସିଂହରାଓ, ଚରଣ ସିଂହ ଏବଂ ସ୍ବାମୀନାଥନ
ଲାଲକୃଷ୍ଣ ଆଡଭାନୀ: ଆଡଭାନୀ, ଅଟଳ ସରକାର ସମୟରେ ଦେଶର ସପ୍ତମ ଉପପ୍ରଧାନମନ୍ତ୍ରୀ ଭାବେ ଦେଶସେବାରେ ନିୟୋଜିତ ହୋଇଥିଲେ । ଏହାବାଦ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଆନ୍ଦୋଳନରେ ମଧ୍ୟ ଆଡ଼ଭାନୀଙ୍କ ବଳିଷ୍ଠ ଭୂମିକା ରହିଥିଲା । ମାତ୍ର 14 ବର୍ଷ ବୟସରେ RSSରେ ସାମିଲ ହୋଇଥିଲେ । 1980ରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିବା ବେଳେ, ଏହାର ପ୍ରତିଷ୍ଠାତା ସଦସ୍ୟ ଥିଲେ ସେ । ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହିତ ମିଶି ବିଜେପିକୁ ନେତୃତ୍ବ ଦେଇଥିଲେ ଆଡଭାନୀ । 1998 ରୁ 2004 ମଧ୍ୟରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । 2015 ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ