ଓଡିଶା

odisha

ETV Bharat / bharat

IIT ବାବାଙ୍କ ବିରୋଧରେ ଆକ୍ସନ, ବହିଷ୍କୃତ କଲା ଜୁନା ଆଖଡା - IIT BABA ABHAY

ପିତା ମାତା ଓ ଗୁରୁଙ୍କ ସମ୍ପର୍କରେ ଗଣମାଧ୍ୟମରେ ଦେଇଥିଲେ ବିବାଦୀୟ ବୟାନ । ଜୁନା ଆଖଡା ଅନୁଶାସନ ସମିତି ନେଲା କାର୍ଯ୍ୟାନୁଷ୍ଠାନ ।

Action Against IIT Baba
Action Against IIT Baba (ETV Bharat)

By ETV Bharat Odisha Team

Published : Jan 19, 2025, 7:11 PM IST

ଲକ୍ଷ୍ନୌ:ସଙ୍ଗମନଗରୀ ପ୍ରୟାଗରାଜରେ ଜାରି ରହିଥିବା ମହାକୁମ୍ଭ ମେଳାରେ ଚର୍ଚ୍ଚାରେ ଥିବା IIT ବାବାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସନ୍ଥ ସମାଜ । ଜଣେ ଉଚ୍ଚଶିକ୍ଷିତ ଯୁବକ ଭାବେ ଆଧ୍ୟାତ୍ମିକତାରେ ପ୍ରବେଶ କରିଥିବାରୁ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ଥିବା ଏହି ଯୁବସନ୍ଥ ଅଭୟ ସିଂଙ୍କୁ ବହିଷ୍କୃତ କରିଛି ‘ଜୁନା ଆଖଡା’ । ପିତାମାତା ଓ ଗୁରୁଙ୍କୁ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜୁନା ଆଖଡା ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଥିବା ଜଣାପଡିଛି ।

  • କିଏ ନେଲା ଆକ୍ସନ?

ଜୁନା ଆଖଡାର ଅନୁଶାସନ ସମିତି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଶନିବାର ବିଳମ୍ବିତ ରାତିରେ ପଞ୍ଚ ପରମେଶ୍ବର ବୈଠକ ବସିଥିଲା । ଏହି ବୈଠକରେ ଆଇଆଇଟି ବାବା ଭାବେ ଚର୍ଚ୍ଚାକୁ ଆସିଥିବା ଅଭୟ ସିଂଙ୍କୁ ଆଖଡାରୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଅନୁଶାସନ କମିଟି । ଏନେଇ ସୂଚନା ଦେଇଛନ୍ତି ଆଖଡାର ସୂଚନା କମିଟିର ସଚିବ ମହନ୍ତ ହରି ଗିରି ।

Abhay And His Father (ETV Bharat)
  • ଗଣମାଧ୍ୟମରେ ଛାଇ ଯାଇଥିଲେ IIT ବାବା:

କହି ରଖୁଛୁ, ଗତ କିଛି ଦିନ ଧରି ବେଶ ଚର୍ଚ୍ଚାରେ ଥିଲେ IIT ବାବା ଅଭୟ ସିଂ । ଯିଏ କି ହରିୟାଣାର ଝାଜ୍ଜରର ଜଣେ ବାସିନ୍ଦା ହୋଇଥିବା ବେଳେ ପ୍ରତିଷ୍ଠିତ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ‘IIT ’ରୁ ଶିକ୍ଷା ଗ୍ରହଣ କରିଥିଲେ । ‘IIT-ମୁମ୍ବାଇ’ରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବି.ଟେକ୍‌ କରିଛନ୍ତି ଅଭୟ । କେବଳ ସେ ଉଚ୍ଚଶିକ୍ଷିତ ନୁହନ୍ତି ବରଂ ଏହା ପରେ ବିଦେଶର ଏକାଧିକ ପ୍ରତିଷ୍ଠିତ କମ୍ପାନୀରେ କାମ ମଧ୍ୟ କରିଛନ୍ତି । ଅଭୟ ଭାରତ ଏବଂ କାନାଡାରେ କାମ କରିଛନ୍ତି । ହେଲେ ପରେ ସେ ଆଧ୍ୟାତ୍ମିକ ଚେତନା ସହ ଜଡିତ ହୋଇ ସନ୍ଥ ହେବାର ନିଷ୍ପତ୍ତି ନେଇଥିଲେ । ମହାକୁମ୍ଭ ମେଳାରେ ଉଚ୍ଚଶିକ୍ଷିତ ବାବା ଅଭୟ ଖବରର ଶିରୋନାମାରେ ରହିଥିଲେ ।

  • କ'ଣ ବୟାନ ଦେଇଥିଲେ IIT ବାବା ?

ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଅଭୟ କହିଥିଲେ, "ଜୀବନରେ ବୈରାଗୀ ଭାବ ସେହି ସମୟରୁ ଆସିବା ଆରମ୍ଭ ହେଲା, ଯେତେବେଳେ ଘରେ ମାତା ପିତାଙ୍କ ମଧ୍ୟରେ ଝଗଡା ହେବାର ଦେଖିଥିଲି । ଭାବିଲି ଯଦି ଝଗଡା ହିଁ କରିବାର ଅଛି ତେବେ ବିବାହ କାହିଁକି ?" ଏହାସହ ସେ ନିଜ ଗୁରୁଙ୍କ ସମ୍ପର୍କରେ ମଧ୍ୟ ସେ ବିବାଦୀୟ ବୟାନ ଦେଇଥିଲେ । ପୂର୍ବରୁ ଅଭୟ ନିଜ ବୟାନରେ କହିଥିଲେ ଯେ, ମାତା ପିତା ଭଗବାନଙ୍କଠାରୁ ବଡ଼ ନୁହେଁ । ଏହା ଉପରେ ଜୁନା ଆଖଡା ତରଫରୁ ଆପତ୍ତି କରାଯାଇଛି । ଏହାକୁ ଗମ୍ଭୀରତା ସହ ନେଇ ବାବୁଙ୍କୁ ଆଖଡା ତରଫରୁ ବାସନ୍ଦ କରାଯାଇଛି । ଏବେ ଅଭୟ ଜୁନା ଆଖଡା ସହ ଜଡିତ ସନ୍ଥ ହେବାରୁ ବଞ୍ଚିତ ହୋଇଛନ୍ତି।

  • ଅଭୟ ସିଂ ପରମ୍ପରା ଭାଙ୍ଗିଛନ୍ତି: ଜୁନା ଆଖଡା

ମହନ୍ତ ହରିଗିରି ମହାରାଜ ‘ଇଟିଭି ଭାରତ’ରେ ପ୍ରତିକ୍ରିୟା ରଖି କହିଛନ୍ତି, "ନିଜ ଗୁରୁଙ୍କ ଅସମ୍ମାନ ଓ ସାଧୁସନ୍ଥଙ୍କ ପରମ୍ପରା ଭାଙ୍ଗିବାର ଅଧିକାର କାହାର ବି ନାହିଁ । ଗୁରୁ, ମାତା ପିତାଙ୍କ ସମ୍ମାନ ହିଁ ଜଣେ ସାଧୁ ହେବା ପାଇଁ ପ୍ରଥମ ପାହଚ । ଏହା ଅନିବାର୍ଯ୍ୟ ମଧ୍ୟ ।" ସାଧୁ ହରିଗିରି ମହାରାଜ ଆହୁରି କହିଛନ୍ତି, ଗୁରୁଙ୍କ ପ୍ରତି ଅସମ୍ମାନ ଅର୍ଥ ସନାତନ ଧର୍ମକୁ ଅସମ୍ମାନ କରିବା । ଆଖଡାରେ ଅନୁଶାସନ ହିଁ ସର୍ବୋତ୍ତମ ପରମ୍ପରା । ହେଲେ ଅଭୟ ସିଂ ଆଖଡାର ପରମ୍ପରାକୁ ଭାଙ୍ଗିଛନ୍ତି । ଅଶାଳୀନ ଭାଷାର ବ୍ୟବହାର କରିଛନ୍ତି ।"

ଏହା ବି ପଢନ୍ତୁ...କୁମ୍ଭ ମେଳାରେ IIT ଇଞ୍ଜିନିୟର ସନ୍ଥ, ଫେରି ଆସିବାକୁ ବାପାଙ୍କ ନିବେଦନ - MAHAKUMBH MELA 2025

ଏହା ବି ପଢନ୍ତୁ...ମହାକୁମ୍ଭରେ ମହା ଆକର୍ଷଣ ରୁଦ୍ରାକ୍ଷ ବାବା, ପିନ୍ଧିଛନ୍ତି ଦେଢ଼ ଲକ୍ଷ ରୁଦ୍ରାକ୍ଷ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details