ମୁମ୍ବାଇ:ପୁଣେର ପୋର୍ସ କାର୍ ଟ୍ରାଜେଡି ମାମଲାରେ ବଢିବାରେ ଲାଗିଛି ଗିରଫଦାରୀ । ପ୍ରଥମରୁ ବିବାଦ ଓ ସମାଲୋଚନା ଘେରରେ ରହିଆସିଛି ଏହି ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟା । ତେବେ ଆଜି ଅଭିଯୁକ୍ତର ରକ୍ତ ନମୂନା ପରୀକ୍ଷା କରିଥିବା ଦୁଇ ଡାକ୍ତରଙ୍କୁ ପୋଲିସ୍ ଗିରଫ କରିଛି । ନାବାଳକ ଦୁର୍ଘଟଣା ଦିନ ମଦ୍ୟପାନ କରି ନିଶାସକ୍ତ ଥିବା ସତ୍ତ୍ବେ ମଧ୍ୟ ପରୀକ୍ଷାରେ ସେ ନିଶାସକ୍ତ ନଥିବା ରିପୋର୍ଟ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରେ ଅଭିଯୁକ୍ତ ନାବାଳକ ଓ ତାର କିଛି ସହଯୋଗୀ କୌଣସି ଏକ ରେସ୍ତୋରାଁରେ ବସି ମଦ୍ୟପାନ କରୁଥିବାର ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହୋଇଥିଲା । ଏବେ ଅଭିଯୁକ୍ତର ଡାକ୍ତରୀମାଇନା କରିଥିବା ଦୁଇ ଡାକ୍ତରଙ୍କୁ ଗିରଫ କରାଯାଇଛି । ଏମାନେ ଭୁଲ ରିପୋର୍ଟ ଦେଇଥିବା ଓ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ପୋଲିସ ସ୍ପଷ୍ଟ କରିଛି ।
ତେବେ ପୁଣେ ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଗିରଫ ଦୁଇ ଡାକ୍ତର ହେଉଛନ୍ତି, ଡା.ଅଜୟ ତିଓ୍ବାରୀ ଓ ଡା.ଶ୍ରୀହରି ହରନୁର । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଜେନେରାଲ ହସ୍ପିଟାଲର ଫୋରେନସିକ ଲ୍ୟାବର ଏହି ଡାକ୍ତରଙ୍କ ଜରିଆରେ ରକ୍ତ ନମୂନା ପରୀକ୍ଷା କରାଇଥିଲା । ହେଲେ ଉଭୟ ଡାକ୍ତର ଅଭିଯୁକ୍ତର ରକ୍ତ ନମୂନା ଅନ୍ୟ କୌଣସି ସୁସ୍ଥ ବ୍ୟକ୍ତିର ରକ୍ତ ନମୂନା ସହ ବଦଳ କରି ରିପୋର୍ଟ ଦେଇଥିଲେ । ଫଳରେ ମଦ୍ୟପାନ କରିବା ସତ୍ତ୍ବେ ମଧ୍ୟ ଅଭିଯୁକ୍ତ ଡାକ୍ତରୀ ରିପୋର୍ଟରେ ନିଶାସକ୍ତ ବୋଲି ଧରା ପଡିନଥିଲା । ତେଣୁ ଏହି କାରଣରୁ କୋର୍ଟ ମଧ୍ୟ ତାଙ୍କ ପ୍ରତି ଅତିକୋହଳ ମନୋଭାବ ପ୍ରକାଶ କରିଥିଲେ । ଯାହା ସାରା ଦେଶରେ ଚର୍ଚ୍ଚା, ସମାଲୋଚନା ଓ ବିବାଦ ସୃଷ୍ଟି କରିଥିଲା ।